ଭୁବନେଶ୍ବର: MMDR ସଂଶୋଧନ ବିଲକୁ ଜୋରଦାର ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ବିଲ୍ ସଂସଦରେ ପାରିତ ହୋଇଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ। ଏହି ବିଲ୍ ବିରୋଧରେ ବିରୋଧୀ ଦେଇଛନ୍ତି ରଣହୁଙ୍କାର। ରାଜ୍ୟର ହକ୍ ଏବଂ ଅଧିକାରକୁ ନେଇ ପୁଣି ଥରେ ତେଜିଛି ରାଜନୀତି। ସଂସଦର ମୌସୁମୀ ଅଧିବେଶନରେ ପାରିତ ‘ଖଣି ଓ ଖଣିଜ ବିକାଶ ଓ ନିୟାମକ’ ସଂଶୋଧନ ବିଲ୍କୁ ନେଇ ଆରମ୍ଭ ହୋଇଛି ପ୍ରବଳ ଜନଅସନ୍ତୋଷ।
ନବୀନ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି ଯେ ଓଡ଼ିଶାକୁ ଦୁର୍ବଳ କରିବାକୁ ଭୟଙ୍କର ଚକ୍ରାନ୍ତ ଚାଲିଛି। ଓଡ଼ିଶା ମାଟି ଓ ଖଣି ଅଧିକାରର ସୁରକ୍ଷା ପାଇଁ ଲଢ଼େଇ କରିବେ ବୋଲି ଘୋଷଣା କରିଛନ୍ତି ନବୀନ । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଅଧିକାର ପାଇଁ ସେ ଲଢେଇ କରିବେ। ୨୦୧୪ରେ କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରେ ଖଣି ଅଞ୍ଚଳର ବିକାଶ ପାଇଁ ଡିଏମ୍ଏଫ୍ର ବ୍ୟବସ୍ଥା କରିଥିଲେ। କିନ୍ତୁ ବର୍ତ୍ତମାନ ଏହାକୁ କେନ୍ଦ୍ର ନିଜ ଅଧୀନକୁ ନେବା ପାଇଁ ନିୟମରେ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ ହୋଇଛି। କେବଳ ଏମିତି ନୁହେଁ, ଏହି ଆଇନ୍ ଆସିଲେ, କେବଳ ରାଜକୋଷ ନୁହେଁ ବରଂ ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକର ଅବସ୍ଥା ସଂଗିନ ହେବାର ଆଶଙ୍କା ରହିଛି।
କେବଳ ସେତିକି ନୁହେଁ, ରାଜ୍ୟର ବକେୟା ଥିବା ଏକ ଲକ୍ଷ କୋଟି ଟଙ୍କା ମଧ୍ୟ ସ୍ବାହା ହୋଇଯିବ। ଆଇନ ଆସିବା ପରେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ସୁନ୍ଦରଗଡ଼ର ବିଜେଡି ବିଧାୟକ ଯୋଗେଶ ସିଂହ। ଖଣି ଅଞ୍ଚଳର ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଥିବାବେଳେ ଏପଟେ ଜୋର ଧରିଲାଣି ରାଜନୀତି।
ବର୍ତ୍ତମାନ ଏହାର ପାଲଟା ଜବାବ ରଖିଛନ୍ତି ଖଣିମନ୍ତ୍ରୀ। ନବୀନଙ୍କୁ କଡ଼ା ଜବାବ ଦେଇ ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ଗଣତନ୍ତ୍ର ରାଷ୍ଟ୍ରରେ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି। କିନ୍ତୁ ଲୋକଙ୍କୁ ଭ୍ରମିତ କରିବାର ଅଧିକାର କାହାର ନାହିଁ। ୨୦୦୪ ରେ ରାଜ୍ୟମାନେ ମିନେରାଲ ଟିକସ ଲଗାଇବା ପାଇଁ ଆବେଦନ କରିଥିଲେ। ୨୦୧୪ ରେ ଏହା ସଂଶୋଧନ ହେଲା। ୨୦୧୫-୧୬ରେ ରାଜ୍ୟର ଖଣି ରାଜସ୍ବ ୧୮ ହଜାର କୋଟିରେ ପହଞ୍ଚିଲା। ମୋଦିଙ୍କ ଯୋଗୁ ଖଣିଜ, ଲଘୁ ଖଣିଜ ଏବଂ ଡିଏମଏଫକୁ ମିଶାଇଲେ ଓଡ଼ିଶା ୫୭ ହଜାର କୋଟି ପାଉଛି।
ଓଏମସି ସର୍ବକାଳୀନ ରେକର୍ଡ କରିଛି। ଆମେ ସରକାରକୁ ଆସିବାପରେ ୩୦ଟି ଖଣିର ନିଲାମ କରିଛୁ। ବିଶ୍ୱ ବଜାରରେ ଚାହିଦା ନଥିବା ବେଳେ ବି ଆମେ ଲାଭ କରିଥିଲୁ। କେବଳ ରାଜନୀତି କରିବା ପାଇଁ ନବୀନ ବାବୁ ଅଭିଯୋଗ କରୁଛନ୍ତି। ବାସ୍ତବରେ ଓଡ଼ିଶାର କିଛି କ୍ଷତି ହେବନି। ଯାହା ସେ କହିଛନ୍ତି ତାହା ସପୂର୍ଣ୍ଣ ଭୁଲ। ବିଜେଡି ରାଜରାସ୍ତାକୁ ଯାଉ କିନ୍ତୁ ନବୀନ ବାବୁ ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଜେନା।

