ଡେରାଡୁନ: ଜାନୁଆରୀ ୨୭ ତାରିଖରେ ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ୍ (UCC) ଲାଗୁ କରିବାର ନଅ ଦିନ ପରେ, ପ୍ରଥମ ଲିଭ-ଇନ୍ ଦମ୍ପତି ନୂତନ ଆଇନ ଅନୁଯାୟୀ ସଫଳତାର ସହ ପଞ୍ଜୀକରଣ କରିଛନ୍ତି। ଯେତେବେଳେ କି ସରକାରୀ ୱେବସାଇଟ୍ ଅନୁଯାୟୀ ଅନ୍ୟ ଦୁଇଟି ଆବେଦନ ବର୍ତ୍ତମାନ ସମୀକ୍ଷାାଧୀନ ରହିଛି। ମଙ୍ଗଳବାର ଡେରାଡୁନସ୍ଥିତ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ନୂଆ ଆଇନ ଅନୁସାରେ ସେମାନଙ୍କ ନାଁ ପଞ୍ଜୀକୃତ ହୋଇଛି।
ଡେରାଡୁନର UCC ପାଇଁ ନୋଡାଲ୍ ଅଧିକାରୀ ଅଭିନବ ଶାହ ଏହି ବିକାଶକୁ ନିଶ୍ଚିତ କରି କହିଛନ୍ତି, “ଆବେଦନ ଦାଖଲ କରାଯାଇଛି ଏବଂ ରେଜିଷ୍ଟ୍ରାରମାନଙ୍କ ଦ୍ୱାରା ସମୀକ୍ଷା କରାଯିବ। ସବ-ରେଜିଷ୍ଟ୍ରାର ଏବଂ ରେଜିଷ୍ଟ୍ରାରଙ୍କ କର୍ତ୍ତବ୍ୟ ପାଇଁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ଅଛି ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।”
ଲିଭ-ଇନ୍ ପଞ୍ଜୀକରଣ ଆବେଦନ ମଧ୍ୟରୁ ଦୁଇଟି ରାଜ୍ୟ ରାଜଧାନୀରୁ ଆସିଥିବା ଜଣାପଡ଼ିଛି। ଡେରାଡୁନ୍ ପୋଲିସର ଏକ ସୂତ୍ର କହିଛି ଯେ ରେଜିଷ୍ଟ୍ରାରଙ୍କ ଦ୍ୱାରା ପ୍ରାରମ୍ଭିକ ଯାଞ୍ଚ ପରେ, ଏକ ପୋଲିସ ଟିମ୍ ପାସପୋର୍ଟ ଯାଞ୍ଚ ପରି ପ୍ରକ୍ରିୟାରେ ଡକ୍ୟୁମେଣ୍ଟ ଯାଞ୍ଚ କରିବ। ଗତ ଜାନୁୟାରୀ ୨୭ ତାରିଖରେ ଉତ୍ତରାଖଣ୍ଡ ସରକାର ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିଥିଲେ। ଏହି ନୂଆ ଆଇନ ଅନୁସାରେ ରାଜ୍ୟରେ କୌଣସି ଯୁବତୀ ଯୁବକ ବିନା ପଞ୍ଜୀକରଣରେ ଲିଭ-ଇନ ସମ୍ପର୍କରେ ରହିପାରିବେ ନାହିଁ। ସେମାନଙ୍କୁ ସରକାରୀ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜୀକରଣ କରିବାକୁ ହେବ। ଯାହାର ତଥ୍ୟ ସେମାନଙ୍କ ଅଭିଭାବକଙ୍କ ନିକଟକୁ ପଠାଯିବ।
ସେହିପରି ୟୁସିସିରେ ଆହୁରି ଅନେକ ପ୍ରାବଧାନ ରହିଛି। ତେବେ ରାଜ୍ୟରେ ୟୁସିସି ଲାଗୁ ହେବା ପରେ ୩ ଲିଭ-ଇନ ଦମ୍ପତି ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଦମ୍ପତିଙ୍କ ନାଁ ପଞ୍ଜୀକୃତ ହୋଇଛି। ଅନ୍ୟ ଆବେଦନକାରୀଙ୍କ ସମ୍ପର୍କରେ ତଥ୍ୟ ଯାଞ୍ଚ କରାଯିବା ପରେ ପଦକ୍ଷେପ ନିଆଯିବ ବୋଲି ନୋଡାଲ ଅଧିକାରୀ ଅଭିନବ ଶାହ କହିଛନ୍ତି।
Comments are closed.