ଯାଜପୁର: ଡ଼କାୟତି ଯୋଜନା ପଣ୍ଡ କରିବା ସହ ୫ଜଣ ଡ଼କାୟତ ଗିରଫ। ଯାଜପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲିଚନ୍ଦ୍ରପୁର ଓ ବଡ଼ଚଣା ପୋଲିସ ମିଳିତ ଭାବେ ଏହି ଡ଼କାୟତି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି। ଏଥିସହ ସେମାନଙ୍କ ନିକଟରୁ ଏକ ବୋଲେରୋ, ୨ଟି ପିକ ଅପ ଭ୍ୟାନ, ଗୋଟିଏ ଟାଟା ଏସିଇ ଗାଡି ସହ ବିଭିନ୍ନ ମାରଣାସ୍ତ୍ର ଓ ବହୁ ଚୋରି ପାଇଁ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି।
ଡ଼କାୟତି କରିବା ପରେ ବୋଲେରୋରେ ବତୀ ଲଗାଇ ଆମ୍ବୁଲାନ୍ସ ଭାବେ ବ୍ୟବହାର କରି ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରୁଥିଲେ। ଏଭଳି ଡ଼କାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଯାଜପୁର ପୋଲିସ। ଆଜି ବାଲିଚନ୍ଦ୍ରପୁର ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ରୋଡ଼ ଏସଡିପିଓ। ଏହି ଥାନା ପତରାଜପୁର ନିକଟରେ ଥିବା ବିଦ୍ୟୁତ ଷ୍ଟକ ୟାର୍ଡ଼ରୁ ଏମାନେ ଚୋରି କରିବା ପାଇଁ ଯୋଜନା କରୁଥିବା ବେଳେ ଏସପି ୟସ ପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରି ଏମାନଙ୍କୁ ଗିରିଫ କରିଛି।
ଗିରଫ ଅଭିଯୁକ୍ତଙ୍କ ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଥାନାରେ ୨୦ରୁ ଅଧିକ ଡ଼କାୟତି ମାମଲା ରହିଛି। ବିଶେଷ କରି ଏମାନେ ବିଦ୍ୟୁତ ପୋଲ, ଟ୍ରାନ୍ସଫର୍ମର, ବିଦ୍ୟୁତ ତାର, ଆଲୁମିନିୟମ ସାମଗ୍ରୀ ଆଦି ଚୋରି କରି ଅଭିନବ ଉପାୟରେ କବାଡିଖାନାରେ ବିକ୍ରୀ କରିଥାନ୍ତି। ଗିରଫ ଅଭିଯୁକ୍ତମାନେ କଟକ, ଖୋର୍ଦ୍ଧା, ଯାଜପୁର ଅଞ୍ଚଳର ହୋଇଥିବା ବେଳେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଯାଜପୁର ରୋଡ଼ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ।
Comments are closed.