ମୁମ୍ବାଇ: ମହଙ୍ଗା ପଡିଲା ଫେସ୍ବୁକରେ ବନ୍ଧୁତା । ପ୍ରେମ ନିବେଦନକୁ ନା ଓ ବିବାହକୁ ମନା କରିବାରୁ ଟେଲି ଅଭିନେତ୍ରୀଙ୍କୁ ଛୁରାମାଡ । ଛୁରାମାଡରେ ଅଚେତ ଅଭିନେତ୍ରୀ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅଭିଯୁକ୍ତ ଫେରାର୍ ଅଛି ।
ସୋମବାର ଅଭିନେତ୍ରୀ ମାଲବୀ ମଲହୋତ୍ରାଙ୍କୁ ତାଙ୍କର ଜଣେ ବନ୍ଧୁ ଛୁରାମାଡ କରି ଚମ୍ପଟ୍ ମାରିଛି । ମୁମ୍ବାଇର ଫିସେରିସ୍ ୟୁନିଭର୍ସିଟି ରୋଡରେ ଏହି ଘଟଣା ଘଟିଥିଲା । ଏହି ଘଟଣା ପଛରେ କାରଣ ସାଜିଥିଲା ଏକତରଫା ପ୍ରେମ । ଫେରାର ଅଭିଯୁକ୍ତର ପରିଚୟ ମହିପାଲ ସିଂ ବୋଲି ଜଣାପଡିଛି ।
ନିଜକୁ ଫିଲ୍ମ ପ୍ରଯୋଜକ କହି ଫେସ୍ବୁକ ଜରିଆରେ ମହିପାଲ ୨୦୧୯ରେ ମାଲବୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲା । ପରେ ଦୁହେଁ ଏକାଧିକ ଥର ସାକ୍ଷାତ ବି କରିଥିଲେ । ମହିପାଲଙ୍କ ବିରୋଧରେ ମାଲବୀ ଥାନାରେ ଅଭିଯୋଗ ଆଣିଛନ୍ତି ଯେ, “ମହିପାଲ ତାଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ କରିବାକୁ ଚାହୁଁଥିଲା । ତେବେ ଏ ନେଇ ମାଲବୀ ମନା କରିବା ସହ ତାଙ୍କ ସହ ସଂପର୍କ ଛିନ୍ନ କରିଥିଲେ । ଫଳରେ ପ୍ରତିଶୋଧ ପରାୟଣ ହୋଇ ମହିପାଲ ତାଙ୍କୁ ଛୁରାମାଡ କରିଥିଲା ” ।
ପୋଲିସ ରିପୋର୍ଟ ଅନୁଯାୟୀ ଦୁବାଇରେ ସୁଟିଂ ସାରି ସୋମବାର ରାତିରେ ମାଲବୀ ମୁମ୍ବାଇ ପହଂଚିଥିଲେ । ଏକ କଫି ସପ୍ରୁ ବାହାରି ମାଲବୀ ଘରକୁ ଯାଉଥିବାବେଳେ ମହିପାଲ୍ ତାଙ୍କୁ ଅଟକାଇଥିଲା । ତେବେ କଥା ହେବାକୁ ମନା କରିବାକୁ ମହିପାଲ ଉତ୍ତ୍ୟକ୍ତ ହୋଇ ମାଲବୀଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ମାଲବୀଙ୍କ ପେଟ, ଡାହାଣ ହାତ ଓ ଏକ ଅଙ୍ଗୁଳିରେ ଗଭୀର ଆଘାତ ଲାଗିଛି ।
Comments are closed.