ମୁମ୍ବାଇ: କ୍ଷମତା ଗଲା ପରେ ଅନେକ ଗୁମର ଫିଟେ । ଆଉ କ୍ଷମତାରେ ରହିବା ସମୟରେ ଅନେକ କଥା ଲୋକଲୋଚନକୁ ଆସିପାରେ ନାହିଁ। ଏହା ଭାରତୀୟ ଗଣତନ୍ତ୍ରରେ ପ୍ରାୟତଃ ଦେଖାଯାଏ। ଯାହାକି ଏବେ ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ପୁଣିଥରେ ଦେଖିବାକୁ ମିଳିଛି। ଶିବସେନାର ଏକନାଥ ସିନ୍ଦେ ଗୋଷ୍ଠୀର ନେତା ଦୀପକ କେସରକର ଏବେ ଏପରି ଏକ ବୟାନ ଦେଇଛନ୍ତି ଯାହା ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ପୁଣି ଉଜ୍ଜୀବିତ କରିଛି।
ସେ କହିଛନ୍ତି ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ବେଳେ ଆଦିତ୍ୟ ଠାକରେଙ୍କୁ ସୁରକ୍ଷା ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ ଥିଲେ ଉଦ୍ଧବ ଠାକରେ । ପୁଅ ବିବାଦ ଘେରକୁ ଆସିବା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉଦ୍ଧବ ଠାକରେ ଭେଟିଥିଲେ। ଏହି ସମୟରେ ସେ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ପାରିବାରିକ ସମ୍ପର୍କ ଭଲ ରହୁ। ଏହା ସେ ଚାହାନ୍ତି। ତେଣୁ ସେ ପଦ ଛାଡିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ନାରାୟଣ ରାଣେ ସାମିଲ ହେବା ପରେ ଉଦ୍ଧବ ଅସନ୍ତୋଷ ପ୍ରକାଶ କରି ଆଉ ପଦ ଛାଡିନଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦୀପକ।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ଅନ୍ୟତମ ସହଯୋଗୀ ଦିଶା ସାଲିଆନଙ୍କର ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା। ଏପରି ଘଟଣା ଘଟିବା ପୂର୍ବରୁ ସଂପୃକ୍ତ ମହିଳା ଏକ ଫାର୍ମ ହାଉସକୁ ଯାଇଥିଲେ। ଯାହାକି ଆଦିତ୍ୟ ଠାକରେଙ୍କ ଫାର୍ମ ହାଉସ ଥିଲା ବୋଲି ରିପବ୍ଲିକ ଟିଭି ରିପୋର୍ଟ କରିଥିଲା । ଆଉ ଏହି ଘଟଣାରେ ଷ୍ଟିଙ୍ଗ ଅପରେସନ କରିବାକୁ ଯାଇ ରିପବ୍ଲିକ ଟିଭିର ରିପୋର୍ଟର ମହାରାଷ୍ଟ୍ର ପୁଲିସ ଦ୍ୱାରା ଗିରଫ ହୋଇଥିଲେ। ପରେ ଏହି ମାମଲା ଆଗକୁ ବଢିପାରିନଥିଲା। ଏବେ ଏହି ମାମଲାର ତଦନ୍ତ ସିବିଆଇ କରୁଛି। କିନ୍ତୁ ନିର୍ଯାସ ଆସିନି।
ଏହାରି ଭିତରେ ସାମ୍ବାଦିକ ସମ୍ମିଳନୀରେ ଦୀପକ କେସରକର କହିଛନ୍ତି, ଉଦ୍ଧବ ଠାକରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ସେ କହିଛନ୍ତି ଯେ ଏହି ଗସ୍ତ ସମୟରେ ହୋଇଥିବା ଆଲୋଚନା ବିଷୟରେ ଉଦ୍ଧବ ତାଙ୍କୁ ଜଣାଇଥିଲେ ବୋଲି ସେ କହିଛନ୍ତି। ଏହି ଭେଟଘାଟ ସମୟରେ ଉଦ୍ଧବ ଠାକରେ ମୋଦୀଙ୍କୁ କହିଥିଲେ ଯେ ପଦ ଅପେକ୍ଷା ତାଙ୍କ ସହ ପାରିବାରିକ ସମ୍ପର୍କ ବଜାୟ ରଖିବାକୁ ପସନ୍ଦ କରେ। ଦୀପକ କହିଛନ୍ତି ଯେ ଏହି ବାର୍ତ୍ତାଳାପ ଅନୁଯାୟୀ ଉଦ୍ଧବ ଠାକରେ ୧୫ ଦିନ ମଧ୍ୟରେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି କୁହାଯାଉଥିଲା। କିନ୍ତୁ ମୁମ୍ବାଇକୁ ଫେରିବା ପରେ ଉଦ୍ଧବ ହୃଦୟଙ୍ଗମ କଲେ ଯେ ଦଳୀୟ କର୍ମୀଙ୍କୁ ମଧ୍ୟ ଏସବୁ କହିବା ଉଚିତ । ନଚେତ୍ ଭୁଲ ବାର୍ତ୍ତା ଯିବ। ଏହା ପରେ ଉଦ୍ଧବ ଠାକରେ କିଛି ସମୟ ମାଗିଥିଲେ।
ଦୀପକ ଦାବି କରିଛନ୍ତି ଯେ ମୋଦୀ ଦଳର ମୁଖ୍ୟ ତଥା ପରିବାରର ମୁଖ୍ୟ ଭାବରେ ଉଦ୍ଧବ ଠାକରେ ଯାହା ଚାହାଁନ୍ତି ତାହା କରିବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଥିଲେ ଯେ ଆମେ ତିନିଜଣ ଏସବୁ ଜାଣିଥିଲୁ। ଏହା ବ୍ୟତୀତ ରଶ୍ମି ଠାକରେ ମଧ୍ୟ ଏହି କଥା ଜାଣିଥିଲେ। କିନ୍ତୁ ଉଦ୍ଧବ ପଦ ଛାଡିବା ନିଷ୍ପତ୍ତି ବହୁତ ସମୟ ନେଇଥିଲା। ଏହି ସମୟରେ ବିଧାନସଭା ଅଧିବେଶନରେ ୧୨ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ପରେ ବିଜେପି ଉଦ୍ଧବ ଠାକରେଙ୍କୁ ଏକ ଅସନ୍ତୋଷର ବାର୍ତ୍ତା ପଠାଇଥିଲା। ବିଜେପି ବିଧାୟକଙ୍କୁ ଏତେଦିନ ନିଲମ୍ବନ କରିବା ଠିକ୍ ନୁହେଁ ବୋଲି ଦଳ କହିଥିଲା।
ଏହି ସମୟରେ ନାରାୟଣ ରାଣେଙ୍କୁ କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ସାମିଲ କରିଥିଲେ। ଯାହାକୁ ନେଇ ଉଦ୍ଧବ ଠାକରେ ଅସନ୍ତୋଷ ଜାହିର କରିଥିଲେ। ଏହି କାରଣରୁ ଉଦ୍ଧବଙ୍କ ସହ ବାର୍ତ୍ତାଳାପ ବନ୍ଦ ହୋଇଯାଇଥିଲା।
Comments are closed.