Latest Odisha News

BREAKING NEWS

‘ଆଦିବାସୀ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ସଂସଦ ଭବନ ଉଦଘାଟନକୁ ଡକାଗଲାନି’

ଭୁବନେଶ୍ୱର: ସନାତନ ଧର୍ମ ଓ ହିନ୍ଦୀ ଭାଷାକୁ ନେଇ ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ଥିବା ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ପୁଣି ବିବାଦକୁ ଆସିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରସଙ୍ଗ ଉଠାଇ ସେ ପୁଣିଥରେ ସନାତନ ଧର୍ମକୁ ଟାର୍ଗେଟ କରିଛନ୍ତି।

ନିଜର ଏକ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଷ୍ଟାଲିନ ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତିଙ୍କୁ ଡକା ନ ଯିବା ପ୍ରସଙ୍ଗକୁ ନେଇ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି।

ରାଷ୍ଟ୍ରପତି ମୁର୍ମୁ ଆଦିବାସୀ ସମ୍ପ୍ରଦାୟର ଓ ବିଧବା ହୋଇଥିବାରୁ ତାଙ୍କୁ ଡକାଗଲା ନାହିଁ ବୋଲି ଷ୍ଟାଲିନ ଅଭିଯୋଗ କରିବା ସହ ଏହା କଣ ସନାତନ ଧର୍ମ ବୋଲି ପ୍ରଶ୍ନ କରିଛନ୍ତି।

ଏହା ପୂର୍ବରୁ ତାମିଲନାଡୁର ଯୁବ କଲ୍ୟାଣ ଓ ଖେଳ ବିକାଶ ମନ୍ତ୍ରୀ ସନାତନ ଧର୍ମକୁ କୋରୋନା ଭାଇରସ, ମ୍ୟାଲେରିଆ ଓ ଡେଙ୍ଗୁ ସହ ତୁଳନା କରିଥିଲେ। ଯାହାକୁ ନେଇ ସାରା ଦେଶରେ ଝଡ଼ ସୃଷ୍ଟି ହୋଇଥିଲା।

ବିଜେପି ଏହି ପ୍ରସଙ୍ଗକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଟାର୍ଗେଟ କରିଥିଲା। ଏବେ ପୁଣିଥରେ ଷ୍ଟାଲିନ ଏ ପ୍ରସଙ୍ଗକୁ ନେଇ ଏକ ଦଳୀୟ କାର୍ଯ୍ୟକ୍ରମରେ ସନାତନ ଧର୍ମ ଉପରେ ବର୍ଷିଛନ୍ତି।

ଏହି କାର୍ଯ୍ୟକ୍ରମରେ ଆମ ଦେଶର ପ୍ରଥମ ନାଗରିକ କିଏ ବୋଲି ପ୍ରଶ୍ନ କରିବା ସହ ରାଷ୍ଟ୍ରପତି ବୋଲି କହିଛନ୍ତି। ଏହା ପରେ ତାଙ୍କ ନାଁ ଦ୍ରୌପଦୀ ମୁର୍ମୁ ବୋଲି କହିବା ସହ ତାଙ୍କୁ ନୂଆ ସଂସଦ ଭବନ ଉଦଘାଟନରେ ଡକାଗଲା ନାହିଁ ବୋଲି ଷ୍ଟାଲିନ କହିଛନ୍ତି। କାରଣ ସେ ଆଦିବାସୀ ସମ୍ପ୍ରଦାୟର ଓ ବିଧବା ବୋଲି କହିବା ସହ ଏହାକୁ ଆମେ ସନାତନ କହୁଛେ ବୋଲି କଟାକ୍ଷ କରି କହିଛନ୍ତି ଷ୍ଟାଲିନ।

ତେଣୁ ସନାତନ ଧର୍ମ ବିରୋଧରେ ତାଙ୍କ ସ୍ୱର ଉଠାଇବା ଜାରି ରଖିବେ ବୋଲି ସେ କହିଛନ୍ତି। ନୂଆ ସଂସଦ ଭବନ ନିର୍ମାଣରେ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେଲା। ଉଦଘାଟନ ପାଇଁ ତାମିଲନାଡୁରୁ ସନ୍ଥଙ୍କୁ ଡକାଗଲା କିନ୍ତୁ ରାଷ୍ଟ୍ରପତିଙ୍କୁ ଡକାଗଲା ନାହିଁ।

ଏପରିକି ମହିଳା ସଂରକ୍ଷଣ ବିଲ ଅଣାଯିବା ସମୟରେ କିଛି ହିନ୍ଦୀ ଅଭିନେତ୍ରୀଙ୍କୁ ନିମନ୍ତ୍ରଣ କରାଗଲା କିନ୍ତୁ ରାଷ୍ଟ୍ରପତିଙ୍କୁ ପଚରାଗଲା ନାହିଁ ବୋଲି ଷ୍ଟାଲିନ କହିଛନ୍ତି। ଏସବୁ ପ୍ରସଙ୍ଗ ସନାତନ ଧର୍ମର ପ୍ରଭାବ ଯୋଗୁ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ସନାତନ ଧର୍ମ ଉପରେ ଟିପ୍ପଣୀ ପାଇଁ ତାଙ୍କୁ ଟାର୍ଗେଟ କରାଯାଉଛି କିନ୍ତୁ ସେ ଏହି ପ୍ରକ୍ରିୟାକୁ ଆହୁରି ଜୋରଦାର କରିବେ ବୋଲି କହିଛନ୍ତି। ଡିଏମକେର ପ୍ରତିଷ୍ଠା ସନାତନକୁ ଶେଷ କରିବାକୁ ହୋଇଥିଲା। ତେଣୁ ଯେଉଁ ପର୍ଯ୍ୟନ୍ତ ଲକ୍ଷ ହାସଲ ନ ହୋଇଛି ସେ ପର୍ଯ୍ୟନ୍ତ ସେ ଚୁପ ହୋଇ ବସିବେନି ବୋଲି କହିଛନ୍ତି।

ଚଳିତ ବର୍ଷ ମେ ମାସ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ନୂଆ ସଂସଦ ଭବନର ଉଦଘାଟନ କରିଥିଲେ। କିନ୍ତୁ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା। ଯେଉଁଥିପାଇଁ ବିପକ୍ଷ ଦଳଗୁଡିକ ଉଦଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ। ତେଣୁ ଷ୍ଟାଲିନ ପୁଣିଥରେ ରାଷ୍ଟ୍ରପତିଙ୍କୁ ଯୋଡି ସନାତନ ଧର୍ମକୁ ଟାର୍ଗେଟ କରିଥିବାରୁ ଏହାକୁ ନେଇ ଚର୍ଚ୍ଚା ଆହୁରି ତୀଵ୍ର ହୋଇଛି।

Leave A Reply

Your email address will not be published.