Latest Odisha News

BREAKING NEWS

ଛେଣ୍ଡିପଦାରେ ପୁଣିଥରେ ସୁଶାନ୍ତ !

ଭୁବନେଶ୍ୱର: ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ଏଭଳି ସ୍ଥିତିରେ ସମ୍ପୃକ୍ତ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏମିତି ଏକ ନିର୍ବାଚନ ମଣ୍ଡଳୀ ହେଉଛି ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା। ତେଣୁ ଏହି ନିର୍ବାଚନ ମଣ୍ଡଳୀକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ରାଜ୍ୟର ନିର୍ବାଚନ ମଣ୍ଡଳୀ ଗୁଡିକର ସୀମା ପୁନଃନିର୍ଦ୍ଧାରଣ ପରେ ଛେଣ୍ଡିପଦା ସୃଷ୍ଟି ହୋଇଛି।

ଏହି ବିଧାନସଭା କ୍ଷେତ୍ରରୁ ଶାସକ ବିଜେଡି ଲଗାତର ଭାବେ ଜିତିଆସୁଛି। ଶାସକ ଦଳର ବିଧାୟକ ଭାବେ ସୁଶାନ୍ତ କୁମାର ବେହେରା ୨୦୧୪ ଓ ୨୦୧୯ ନିର୍ବାଚନ ଜିତିଛନ୍ତି। ଛେଣ୍ଡିପଦାରେ ୨୦୧୯ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ହୋଇଥିଲା। ବିଜେଡି ପ୍ରାର୍ଥୀ ସୁଶାନ୍ତ ବେହେରା ୬୭୯୪ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଅଗସ୍ତି ବେହେରାଙ୍କୁ ହରାଇଥିଲେ।

ସୁଶାନ୍ତଙ୍କୁ ୭୪ ହଜାର ୯୧୧ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଅଗସ୍ତିଙ୍କୁ ୬୮ ହଜାର ୧୧୭ ଖଣ୍ଡ ଭୋଟ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ସସ୍ମିତା ବେହେରା ମାତ୍ର ୧୬ ହଜାର ୫୮୮ ଖଣ୍ଡ ଭୋଟ ପାଇଥିଲେ।

୨୦୦୯ ରେ ବିଜେଡି ଟିକେଟ ପାଇ ଖଗେଶ୍ୱର ବେହେରା ଜିତିଥିଲେ। ସେତେବେଳେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହୋଇଥିଲା। ୨୦୦୯ ରେ କଂଗ୍ରେସ ପ୍ରାର୍ଥୀ ଭାବେ ଅଗସ୍ତି ବେହେରା ନିର୍ବାଚନ ଲଢ଼ିଥିଲେ। ବିଜେଡି ପ୍ରାର୍ଥୀ ଖଗେଶ୍ୱର ବେହେରା ୨୧ ହଜାର ୪୯୩ ଭୋଟରେ ଅଗସ୍ତିଙ୍କୁ ହରାଇଥିଲେ।

ବିଜେପି ପ୍ରାର୍ଥୀ ୬ ହଜାର ୯୦୪ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ। ସେହିପରି ୨୦୧୪ରେ ବିଜେଡି ପ୍ରାର୍ଥୀ ବଦଳାଇଥିଲା। ସୁଶାନ୍ତ କୁମାର ବେହେରାଙ୍କୁ ଦଳ ଟିକେଟ ଦେଇଥିଲା।

ସୁଶାନ୍ତଙ୍କ ସହ କଂଗ୍ରେସ ପ୍ରାର୍ଥୀ ଅଗସ୍ତି ପ୍ରତିଦ୍ବନ୍ଦିତା କରିଥିଲେ। ୨୦୧୪ ରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ଏହି ଲଢେଇରେ ସୁଶାନ୍ତ ୯୮୦୭ ଖଣ୍ଡ ଭୋଟରେ କଂଗ୍ରେସ ପ୍ରାର୍ଥୀ ଅଗସ୍ତି ବେହେରାଙ୍କୁ ହରାଇଥିଲେ।

୨୦୧୯ ରେ ଅଗସ୍ତି ବେହେରା କଂଗ୍ରେସ ଛାଡି ବିଜେପିରୁ ପ୍ରାର୍ଥୀ ହେବା ପରେ କଂଗ୍ରେସ ଦୁର୍ବଳ ହୋଇପଡିଥିଲା। କଂଗ୍ରେସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ଝିଅ ତଥା ରାଜ୍ୟ ମହିଳା କଂଗ୍ରେସର ପୂର୍ବତନ ସଭାନେତ୍ରୀ ସସ୍ମିତା ବେହେରାଙ୍କୁ ଦଳ ନିଜର ଚେହେରା କରିଛି।

କିନ୍ତୁ ୨୦୧୯ ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳ ଚିନ୍ତାରେ ପଡିଥିବା କୁହାଯାଉଛି। ଲଗାତର ତିନିଥର ବିଜେଡି ପ୍ରାର୍ଥୀ ଜିତିଥିବାରୁ ଏଥର ମଧ୍ୟ ଶାସକ ବିଜେଡି ଛେଣ୍ଡିପଦାରେ ଜିତିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି।

ବିଜେଡି ବିଧାୟକ ସୁଶାନ୍ତ କୁମାର ବେହେରା ୨୦୨୪ ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ପ୍ରାୟ ସ୍ପଷ୍ଟ ବୋଲି କୁହାଯାଉଛି। ଏପରିକି ଆଗାମୀ ନିର୍ବାଚନ ପାଇଁ ସେ କ୍ଷେତ୍ର ପ୍ରସ୍ତୁତ କରିବା ସହ ସଙ୍ଗଠନ ଦୃଢ଼ କରୁଛନ୍ତି।

ସେପଟେ ବାରମ୍ବାର ପ୍ରାର୍ଥୀ ପରିବର୍ତ୍ତନ କରିଥିବା ବିଜେପି କିନ୍ତୁ ଏଥର ସେହି ଅଗସ୍ତି ବେହେରାଙ୍କ ଉପରେ ଭରସା କରିପାରେ। ଦଳର ପୂର୍ବ ପ୍ରାର୍ଥୀମାନେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବେଳେ ଅଗସ୍ତି କିନ୍ତୁ ବିଜେଡିକୁ ଭଲ ଫାଇଟ ଦେଇଥିଲେ।

କଂଗ୍ରେସର ସ୍ଥିତି ଦୁର୍ବଳ ଥିବାରୁ ଏଥର ୨୦୧୯ ଭଳି ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। ଧର୍ମେନ୍ଦ୍ରଙ୍କ ଫୋକସ ସମ୍ବଲପୁର ସଂସଦୀୟ କ୍ଷେତ୍ର ଉପରେ ଥିବାରୁ ଛେଣ୍ଡିପଦା ବିଧାନସଭା କ୍ଷେତ୍ରର ଗୁରୁତ୍ୱ ବଢ଼ିଛି। ତେଣୁ ଆଗାମୀ ନିର୍ବାଚନର ଚିତ୍ର କଣ ହେବ ତା ଉପରେ ସମସ୍ତଙ୍କର ନଜର।

Leave A Reply

Your email address will not be published.