କାମ୍ପାଲା: ୟୁଗାଣ୍ଡାର ସେନା ମୁଖ୍ୟ ତୁର୍କୀ କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେନା ମୁଖ୍ୟ ମୁହୁଜି କାଇନେରୁଗାବା ୩୦ ଦିନ ମଧ୍ୟରେ ତୁର୍କୀଠାରୁ ୧ ବିଲିୟନ ଡଲାର ଦାବି କରିଛନ୍ତି । ଏହା ସହ ସବୁଠାରୁ ସୁନ୍ଦରୀ ମହିଳାଙ୍କୁ ବିବାହ କରିବାକୁ କହିଛନ୍ତି । ସର୍ତ୍ତାବଳୀ ପୂରଣ ନ ହେଲେ ସେ କୂଟନୈତିକ ସମ୍ପର୍କ ଛିନ୍ନ କରିବାକୁ ଧମକ ଦେଇଛନ୍ତି । ଏହି ବୟାନ କାଇନେରୁଗାବାଙ୍କ ପାଇଁ ତୀବ୍ର ଅନ୍ତର୍ଜାତୀୟ ସମାଲୋଚନାର କାରଣ ହୋଇଛି ।
କାଇନେରୁଗାବାଙ୍କ ଅଭିଯୋଗ ଯେ, ସୋମାଲିଆରେ ଆଞ୍ଚଳିକ ସୁରକ୍ଷା ବଜାୟ ରଖିବା ପାଇଁ ୟୁଗାଣ୍ଡା ଦୀର୍ଘ ଦୁଇ ଦଶନ୍ଧି ଧରି ଅଲ-ଶବାବ ଭଳି ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ଲଢ଼େଇ କରି ବହୁମୂଲ୍ୟ ଜୀବନ ଓ ଶକ୍ତି ଖର୍ଚ୍ଚ କରୁଛି । ମାତ୍ର ତୁର୍କୀ ସେଠାରେ ବନ୍ଦର ଓ ବିମାନବନ୍ଦର ଭଳି ଭିତ୍ତିଭୂମି ପ୍ରକଳ୍ପ ଜରିଆରେ କୋଟି କୋଟି ଟଙ୍କା ଲାଭ କରୁଛି । ୟୁଗାଣ୍ଡାର ଏହି ବଳିଦାନର ପ୍ରତିବଦଳରେ ତୁର୍କୀଠାରୁ ସେ ୧ ବିଲିୟନ ଡଲାର “ସୁରକ୍ଷା ଡିଭିଡେଣ୍ଡ” ଦାବି କରିଛନ୍ତି ।
ସେ କହିଛନ୍ତି, ତୁର୍କୀ ପାଇଁ ଏହା ଏକ ସରଳ କାରବାର, ସେମାନେ ଆମକୁ ପଇସା ଦିଅନ୍ତୁ, ନଚେତ୍ ମୁଁ ସେମାନଙ୍କ ଦୂତାବାସ ବନ୍ଦ କରିଦେବି । ଆର୍ଥିକ ଦାବି ସହିତ ସେ ତୁର୍କୀର ସବୁଠାରୁ ସୁନ୍ଦରୀ ମହିଳାଙ୍କୁ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରି ଏକ ଅଜବ ସର୍ତ୍ତ ରଖିଛନ୍ତି ।
କାଇନେରୁଗାବା ପୂର୍ବରୁ ଏପରି ବିବାଦୀୟ ବୟାନ ପାଇଁ ଖବରରେ ରହିସାରିଛନ୍ତି । ୨୦୨୨ ମସିହାରେ ସେ କହିଥିଲେ ଯେ ୟୁଗାଣ୍ଡା ୨ ସପ୍ତାହ ମଧ୍ୟରେ କେନିଆର ରାଜଧାନୀ ନୌରୋବିକୁ କବଜା କରିପାରିବ । ଏହି ବୟାନ ପରେ, ଉଗାଣ୍ଡା ସରକାର କ୍ଷମା ମାଗିବାକୁ ବାଧ୍ୟ ହୋଇଥିଲେ ଏବଂ ତାଙ୍କୁ ତାଙ୍କ ପଦବୀରୁ ଅସ୍ଥାୟୀ ଭାବରେ ବହିଷ୍କାର କରାଯାଇଥିଲା । ସେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ବିଷୟରେ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।