ନୂଆଦିଲ୍ଲୀ: ସ୍ନାତକ ଅନର୍ସ ଡିଗ୍ରୀ ହାସଲ ପାଇଁ ଏଣିକି ୪ ବର୍ଷ ପଢ଼ିବାକୁ ପଡ଼ିବ । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ୪ ବର୍ଷିଆ ଅଣ୍ଡରଗ୍ରାଜୁଏଟ୍ ପ୍ରୋଗ୍ରାମର ଚିଠା ପ୍ରସ୍ତୁତ କରିଛି । ଯାହାର ଘୋଷଣା ଡିସେମ୍ବର ୧୨ ସୋମବାର ହୋଇପାରେ । ୟୁଜିସିର ନୂଆ ନିୟମ ଚିଠା ଅନୁସାରେ, ତିନି ବର୍ଷ ବଦଳରେ ୪ ବର୍ଷରେ ଛାତ୍ର ଅନର୍ସ ଡିଗ୍ରୀ ହାସଲ କରି ପାରିବେ ।
ୟୁଜିସି ଅନୁସାରେ, ୩ ବର୍ଷରେ ସ୍ନାତକ ଶେଷ କରୁଥିବା ଛାତ୍ରଙ୍କୁ ୧୨୦ କ୍ରେଡିଟ୍ ଏବଂ ଅନର୍ସରେ ସ୍ନାତକ ଛାତ୍ରଙ୍କୁ ୪ ବର୍ଷର ପାଠ୍ୟକ୍ରମ ପାଇଁ ୧୬୦ କ୍ରେଡିଟ୍ ହାସଲ କରିବାକୁ ପଡ଼ିବ । ଯଦି କୌଣସି ଛାତ୍ର ରିସର୍ଚ୍ଚ ସ୍ପେଶଲାଇଜେସନ୍ କରିବାକୁ ଚାହିଁବେ ତ ତାଙ୍କୁ ୪ ବର୍ଷର ପାଠ୍ୟକ୍ରମ ଭିତରେ ଗୋଟିଏ ରିସର୍ଚ୍ଚ ପ୍ରୋଜେକ୍ଟ ଆରମ୍ଭ କରିବାକୁ ପଡ଼ିବ ।
ଏଥିରେ ତାଙ୍କୁ ରିସର୍ଚ୍ଚ ସ୍ପେଶଲାଇଜେସନ୍ ସହ ଅନର୍ସ ଡିଗ୍ରୀ ମିଳିବ । ଏବେ ଛାତ୍ରଙ୍କୁ ୩ ବର୍ଷର ସ୍ନାତକ ପାଠ୍ୟକ୍ରମ ସାରିବା ପରେ ଅନର୍ସ ଡିଗ୍ରୀ ମିଳୁଛି । ତେବେ ନୂଆ ଚିଠା ଅନୁସାରେ, କୌଣସି ଛାତ୍ର ପାଠ୍ୟକ୍ରମ ଅଧାରୁ ପାଠ ଛାଡ଼ି ୩ ବର୍ଷ ମଧ୍ୟରେ ପୁଣି ପଢ଼ି ପାରିବେ । ଅର୍ଥାତ୍ ସ୍ନାତକ ପାଠ୍ୟକ୍ରମ ୭ ବର୍ଷ ମଧ୍ୟରେ ସାରିବାକୁ ପଡ଼ିବ ।
Comments are closed.