Latest Odisha News

BREAKING NEWS

ଆଞ୍ଚଳିକ ଭାଷାରେ ପଢ଼ାଯିବ ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ

ନୂଆଦିଲ୍ଲୀ: ସହଜ ହେବ ଶିକ୍ଷାଦାନ । ସ୍ଥାନୀୟ ଭାଷାକୁ ଗୁରୁତ୍ୱ ଦେଇ ଶିକ୍ଷାଦାନକୁ ଆହୁରି ସରଳ କରିବା ସହ ବୋଧଗମ୍ୟ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଜାତୀୟ ଶିକ୍ଷା ନୀତି ଅନୁସାରେ, ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ସାରା ଦେଶରେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଲାଗି ୟୁଜିସି ଯୋଜନା କରିଛି ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ, ଆଞ୍ଚଳିକ ଭାଷାରେ ପାଠ୍ୟକ୍ରମ ବିଷୟ ବସ୍ତୁ ଅନୁବାଦ ପାଇଁ ୟୁଜିସି ଏକ କମିଟି ଗଠନ କରିବ । ଯେଉଁଥିରେ ଭାରତୀୟ ଭାଷା ସମିତି ସହ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ବିଶେଷଜ୍ଞ ପ୍ୟାନେଲ୍ ରହିବ । ଯେଉଁମାନେ ଭାରତୀୟ ଭାଷାକୁ ପ୍ରୋତ୍ସାହିତ କରିବେ ।

ଏ ନେଇ ୟୁଜିସି ଅଧ୍ୟକ୍ଷ ଏମ୍. ଜଗଦୀଶ କୁମାର ଆଲୋଚନା କରିଛନ୍ତି । ଆଞ୍ଚଳିକ ଭାଷାରେ ପାଠ୍ୟ ପୁସ୍ତକ ନେଇ ସମ୍ପୃକ୍ତ ଲେଖକ ଓ ପ୍ରକାଶକଙ୍କୁ ପ୍ରସ୍ତାବିତ କମିଟି ଯୋଗାଯୋଗ କରି ଅନୁବାଦ କରିବେ । ଏଥିସହ ଆଞ୍ଚଳିକ ଭାଷାରେ ପାଠ୍ୟ ପୁସ୍ତକ ନଥାଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥାନୀୟ ଭାଷାରେ ପାଠ୍ୟକ୍ରମ ଆରମ୍ଭ କରିବାକୁ ସକ୍ଷମ ହେବେ ନାହିଁ ବୋଲି କହିଛନ୍ତି ୟୁଜିସି ଅଧ୍ୟକ୍ଷ ।

ତେଣୁ କମିଟିର ପ୍ରଥମ ଦାୟିତ୍ୱ ହେଲା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଦଶନ୍ଧି ଦଶନ୍ଧି ଧରି ବହୁଳ ଭାବେ ବ୍ୟବହୃତ ପୁସ୍ତକକୁ ଚିହ୍ନଟ କରିବା । ଏବଂ ଆବଶ୍ୟକତା ଅନୁଯାୟୀ ଭାରତୀୟ ଭାଷାରେ ଅନୁବାଦ କରିବା । ଭାରତୀୟ ଭାଷାରେ ଅନୁବାଦ ନେଇ ବିଭିନ୍ନ ଲେଖକ ଓ ପ୍ରକାଶକଙ୍କ ଠାରୁ ୟୁଜିସିକୁ ଭଲ ମତାମତ ମଳିଛି ।

ଏହା ପୂର୍ବରୁ ମଧ୍ୟପ୍ରଦେଶ ସରକାର ଦେଶର ପ୍ରଥମ ରାଜ୍ୟ ଭାବେ ମେଡିକାଲ୍ ପାଠ୍ୟକ୍ରମକୁ ଇଂରାଜୀ ସହ ହିନ୍ଦୀରେ ଆରମ୍ଭ କରି ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ଦେଇଥିଲେ । ଅକ୍ଟୋବରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତିନିବର୍ଷିଆ ଏମବିବିଏସ୍ ପାଠ୍ୟକ୍ରମ ଲାଗି ପୁସ୍ତକ ଉନ୍ମୋଚନ କରିଥିଲେ ।

Leave A Reply

Your email address will not be published.