Latest Odisha News

BREAKING NEWS

ପିଏମ୍ ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରିକୁ ଭୟଙ୍କର ତ୍ରୁଟି କହି ତଦନ୍ତ ପାଇଁ ବ୍ରିଟେନ୍‌ରେ ପିଟିସନ ଦାଖଲ

ଲଣ୍ଡନ: ଗୁଜୁରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ତିଆରି କରିଥିବା ଡକ୍ୟୁମେଣ୍ଟାରି ଉପରେ ଏବେ ବ୍ରିଟେନ୍‌ରେ ଏକ ପିଟିସନ ଦାଖଲ ହୋଇଛି। ଅନ୍‌ଲାଇନ୍‌ ପିଟିସନ ଦାଖଲ କରାଯାଇ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବେ ବିବିସି  ରିପୋର୍ଟିଂର ନିରେପକ୍ଷତାକୁ ଯାଞ୍ଚ କରିବାକୁ ଦାବି କରାଯାଇଛି।

ଏହି ଡକ୍ୟୁମେଣ୍ଟାରିରେ ଭୟଙ୍କର ତ୍ରୁଟି ରହିଛି। ଏକ ଗଣମାଧ୍ୟମ ହୋଇ ବିବିସି ତା ନିୟମର ଉଲ୍ଲଂଘନ କରିଛି ବୋଲି ଆବେଦନରେ କୁହାଯାଇଛି। ଦୁଇ ଭାଗରେ ଦିଆଯାଇଥିବା ଏହି ପ୍ରାମାଣିକ ରିପୋର୍ଟଟି ଭୟଙ୍କର ଭାବେ ପ୍ରଚାର ସର୍ବସ୍ୱ ସାମ୍ବାଦିକତା। ଯାହା ନିଜର ଦର୍ଶକଙ୍କୁ ଭ୍ରମାତ୍ମକ ସୂଚନା ଦେଉଛି ବୋଲି ପିଟିସନରେ କୁହାଯାଇଛି।

ପିଟିସନରେ ଆହୁରି କୁହାଯାଇଛି “ ଇଣ୍ଡିଆ ଦି ମୋଦୀ କ୍ୱେସ୍‌ଚେନ୍‌ ନାମକ ଦୁଇ ଭାଗରେ ତିଆରି ହୋଇଥିବା ଏହି ଡକ୍ୟୁମେଣ୍ଟାରିରେ ବିବିସି ତାର ଉଚ୍ଚତମ ସମ୍ପାଦକୀୟ ମାନକ କାଏମ ରଖିବାରେ ବିଫଳ ହୋଇଛି। ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ୨୧ ବର୍ଷ ପରେ ଏଭଳି ରିପୋର୍ଟିଂ କରି ଏହାକୁ ତଦନ୍ତମୂଳକ ରିପୋର୍ଟିଂ କହୁଥିବା ବେଳେ ଏଥିରେ କିଛି ନୂତନତ୍ୱ ନାହିଁ। କେବଳ ପ୍ରଯୋଜକଙ୍କୁ ସୁହାଇଲା ଭଳି ପୁରୁଣା ଅଭିଯୋଗକୁ ପୁଣିଥରେ ଦେଖାଯାଇଛି। ପୂର୍ବ ନିର୍ଦ୍ଧାତ ନିଷ୍କର୍ଶ ଅନେକ କଥା କହୁଛି।”

ଗୁଜୁରାଟ ଦଙ୍ଗାର ଦୀର୍ଘବର୍ଷ ଧରି ତଦନ୍ତ ହେବା ପରେ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ। ଆଉ ଏବେ ୨୦ ବର୍ଷ ପରେ ବିବିସି ଏହାକୁ ପୁଣିଥରେ ଉଠାଇବାକୁ ଚାହୁଁଛି ବୋଲି ଆବେଦନରେ କୁହାଯାଉଛି।

ସୂଚନା ଥାଉକି ବିବିସିର ଏହି ଡକ୍ୟୁମେଣ୍ଟାରିକୁ ନେଇ ୟୁକେ ସଂସଦରେ ପ୍ରଥମେ ହୋହ୍ଲା ହେବା ପରେ ଭାରତରେ ମଧ୍ୟ ଏହାକୁ ନିନ୍ଦା କରାଯାଇଥିଲା। ନିହିତ ଉଦ୍ଦେଶ୍ୟ ରଖି ଛବି ମଳିନ କରିବାକୁ ଏଭଳି କରାଯାଇଛି। ଏହା ଉପନିବେଶ ମାନସିକତାକୁ ଦର୍ଶାଉଛି ବୋଲି ଭାରତ ସରକାର କହିଥିଲେ। ଏଥିସହିତ ଏହି ଡକ୍ୟୁମେଣ୍ଟାରିକୁ ଶେୟାର କରିଥିବା ୫୦ରୁ ଅଧିକ ଟ୍ୱିଟର ଆକାଉଣ୍ଟ ଓ ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ବ୍ୟାନ୍ କରିବାକୁ ନିର୍ଦ୍ଦେଶ ଦେଇଥଲେ।

Leave A Reply

Your email address will not be published.