Latest Odisha News

BREAKING NEWS

ପୁଟିନଙ୍କ ମାନଭଞ୍ଜନ କରୁଛନ୍ତି କି ଟ୍ରମ୍ପ?,ଜେଲେନସ୍କିଙ୍କଠାରୁ ଜବରଦଖଲ ହୋଇଥିବା ଜମି ରଖିବାକୁ କଲେ ଇଙ୍ଗିତ…

ନୂଆଦିଲ୍ଲୀ: ପୁଣି ଓଭାଲ ଅଫିସରେ ଟ୍ରମ୍ପ ଜେଲେନସ୍କି ମିଟ୍…ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଲା ଆଲୋଚନା…ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ କହିଲେ ଟ୍ରମ୍ପ…ୟୁକ୍ରେନକୁ ମିଳିବନି ଟୋମାହକ…ହେଲେ ରୁଷିଆକୁ ମିଳିପାରେ ୟୁକ୍ରେନ ଦଖଲ ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ହ୍ୱାଇଟ୍ ହାଉସରେ ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷ ଭୋଲୋଦିମିର ଜେଲେନ୍ସକିଙ୍କ ସହ ଏକ ଲମ୍ବା ବୈଠକ କରିଥିଲେ। ଏହାପରେ ସୋସିଆଲ ମିଡିଆ ପୋଷ୍ଟରେ ସେ କିଭ୍ ଏବଂ ମସ୍କୋକୁ ଯୁଦ୍ଧ ସମାପ୍ତ କରିବାକୁ ଆହ୍ୱାନ କରିଛନ୍ତି । “ଯେଉଁଠି ଅଛ ସେଠି ହିଁ ରହିଯାଅ” ବୋଲି ଦୁଇ ଦେଶକୁ ଯୁଦ୍ଧ ବନ୍ଦ କରିବାକୁ କହିଛନ୍ତି । ଯାହାକୁ ନେଇ ଏବେ ତର୍କ ଆରମ୍ଭ ହୋଇଛି । କ’ଣ ଟ୍ରମ୍ପଙ୍କ ଏହି ଆହ୍ବାନ ରୁଷୀଆ ସପକ୍ଷରେ କି?, କାରଣ ଟ୍ରମ୍ପଙ୍କ ସଦ୍ୟତମ ମନ୍ତବ୍ୟ ୟୁକ୍ରେନକୁ ରୁଷଠାରୁ ହରାଇଥିବା ଅଞ୍ଚଳକୁ ପୁନର୍ବାର ଦଖଲ କରିବାର ପ୍ରୟାସ ପରିତ୍ୟାଗ କରିବା ପାଇଁ ଏକ ବାର୍ତ୍ତା ପରି ମନେ ହେଉଛି। ରୁଷ-ୟୁକ୍ରେନ ଯୁଦ୍ଧରେ, ରୁଷୀଆ ୟୁକ୍ରେନର ଅନେକ ଜାଗା ମାଡି ମାଡି ଆଗକୁ ବଢିଚାଲିଛି । ଆଉ ଟ୍ରମ୍ପଙ୍କ “ତୁମେ ଯେଉଁଠାରେ ଅଛ ସେଠାରେ ବନ୍ଦ କର” ବୟାନ, ପୁଟିନଙ୍କ ପାଖରେ ଜେଲେନସ୍କିଙ୍କଠାରୁ ଜବରଦଖଲ ହୋଇଥିବା ଜମି ରଖିବାକୁ ଇଙ୍ଗିତ କରିଛି ।

ପୁଟିନଙ୍କ ସପକ୍ଷରେ କହିଲେ କି ଟ୍ରମ୍ପ?

ଜେଲେନ୍ସକି ଏବଂ ତାଙ୍କ ଦଳ ମଧ୍ୟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ପରେ, ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ କହିଛନ୍ତି, “ଢେର୍ ରକ୍ତପାତ ହୋଇସାରିଛି; ଯୁଦ୍ଧ ଏବଂ ସାହସ ମାଧ୍ୟମରେ ସମ୍ପତ୍ତି ସୀମା ଟଣାଯାଉଛି । ସେମାନେ ଯେଉଁଠାରେ ଅଛନ୍ତି ସେଠାରେ ବନ୍ଦ ହେବା ଉଚିତ। ଉଭୟଙ୍କୁ ବିଜୟ ଦାବି କରିବାକୁ ଦିଅନ୍ତୁ, ଇତିହାସ ନିଷ୍ପତ୍ତି ନେବାକୁ ଦିଅନ୍ତୁ!” ଟ୍ରମ୍ପ ପରେ ଫ୍ଲୋରିଡାରେ ପହଞ୍ଚିବା ପରେ ଉଭୟ ପକ୍ଷକୁ “ତୁରନ୍ତ ଯୁଦ୍ଧ ବନ୍ଦ କରିବା” ପାଇଁ ଅନୁରୋଧ କରିଥିଲେ ଏବଂ ଇଙ୍ଗିତ ଦେଇଥିଲେ ଯେ ରୁଷ ୟୁକ୍ରେନରୁ ଦଖଲ କରାଯାଇଥିବା ଅଞ୍ଚଳକୁ ରଖିବା ଉଚିତ। ଯାହା ପୁଟିନଙ୍କ ସପକ୍ଷରେ ମନ୍ତବ୍ୟ ନେଇ ଚର୍ଚ୍ଚା ହେଉଥିବା ବେଳେ ୟୁକ୍ରେନ ପାଇଁ ବଡ ଝଟକା ସାବ୍ୟସ୍ତ ହୋଇପାରେ ।

କ’ଣ କହିଲେ ଜେଲେନସ୍କି?

ଶୁକ୍ରବାର ବୈଠକ ପରେ, ଜେଲେନସ୍କି କହିଛନ୍ତି ଯେ ଯୁଦ୍ଧବିରତି ଏବଂ ଆଲୋଚନାର ସମୟ ଆସିଛି। ହେଲେ କ’ଣ ରାଷ୍ଟ୍ରପତି ଟ୍ରମ୍ପ ୟୁକ୍ରେନକୁ ଅଞ୍ଚଳ ଛାଡିବା ପାଇଁ ଚାପ ପକାଉଛନ୍ତି କି? ଏ ପ୍ରଶ୍ନର ସିଧାସଳଖ ଉତ୍ତରକୁ ଯଥୋଚିତ ଏଡାଇଥିଲେ ଜେଲେନସ୍କି । ଯେତେବେଳେ ସାମ୍ବାଦିକମାନେ ଜେଲେନସ୍କିଙ୍କୁ ଟ୍ରମ୍ପଙ୍କ ପୋଷ୍ଟ ବିଷୟରେ ପଚାରିଲେ, ୟୁକ୍ରେନ ରାଷ୍ଟ୍ରପତି କହିଥିଲେ, “ରାଷ୍ଟ୍ରପତି ଠିକ୍ କହିଛନ୍ତି। ଆମେ ଯେଉଁଠାରେ ଅଛୁ ସେଠାରେ ରହିବା ଉଚିତ ଏବଂ ତା’ପରେ କଥା ହେବା ଉଚିତ।” ଯାହା ଯୁଦ୍ଧରେ ରୁଷିଆ ଦଖଲ କରିଥିବା ଅଞ୍ଚଳ ତାୂ ପାଖରେ ରହିବା ଚର୍ଚ୍ଚାକୁ ଇନ୍ଧନ ଦେଉଛି ।

ପୁଟିନଙ୍କୁ ମନାଉଛନ୍ତି ଟ୍ରମ୍ପ

ଶୁକ୍ରବାର ଜେଲେନସ୍କିଙ୍କ ସହ ଆଲୋଚନା ପୂର୍ବରୁ ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ଲମ୍ବା ଫୋନ୍ ଆଲୋଚନା କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ । ଯାହା ପରେ ଯୁଦ୍ଧ ଉପରେ ଟ୍ରମ୍ପଙ୍କ ମତ ବଦଳିଥିବା ଦେଖାଯାଇଛି । କଲ୍ ପରେ, ସେ ଆଗାମୀ ସପ୍ତାହଗୁଡ଼ିକରେ ହଙ୍ଗେରୀର ବୁଡାପେଷ୍ଟରେ ରୁଷ ନେତାଙ୍କୁ ଭେଟିବା ଯୋଜନା ମଧ୍ୟ ଘୋଷଣା କରିଛନ୍ତି ଟ୍ରମ୍ପ । ଯାହାକୁ ନେଇ କୁହାଯାଉଛି ଟ୍ରମ୍ପ ପୁଟିନଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି । ଆଉ ଏଥିପାଇଁ ସେ ୟୁକ୍ରେନ ଉପରେ ଚାପ ପକାଉଛନ୍ତି କି, ରୁଷିଆ ଦଖଲ କରିଥିବା ୟୁକ୍ରେନୀୟ ଅଞ୍ଚଳ ତା ପାଖରେ ରହିବାକୁ ଦିଆଯାଉ । ଯାହା ଦ୍ବାରା ଦୀର୍ଘ ସାଢେ ୩ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିବା ରଷିଆ ଏବଂ ୟୁକ୍ରେନ ଯୁଦ୍ଧରେ ବିରାମ ପଡିବ ।

ୟୁକ୍ରେନକୁ ମିଳିବନି ଟୋମାହକ

ଆମେରିକା ସ୍ପଷ୍ଟ କରିଛି ଯେ ଟ୍ରମ୍ପ କିଭକୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଣାଳୀ ବିକ୍ରୟ କରିବାକୁ ରାଜି ନୁହଁନ୍ତି, ଯଦିଓ ୟୁକ୍ରେନକୁ ସେଗୁଡ଼ିକର ଅତ୍ୟନ୍ତ ଆବଶ୍ୟକତା ଅଛି। ଆଉ ଏହାକୁ ନେଇ ପୁଟିନଙ୍କ ଚେତାବନୀ ସତ୍ତ୍ୱେ ଯେ ଏପରି ପଦକ୍ଷେପ ଆମେରିକା-ରୁଷ ସମ୍ପର୍କକୁ ଆହୁରି ଖରାପ କରିବ, ଟ୍ରମ୍ପ୍ କଦାପି ୟୁକ୍ରେନକୁ ଏହହାକୁ ଦେବାକୁ ଏବେ ଇଚ୍ଛୁକ ନୁହନ୍ତି । ଯଦିଓ ନିକଟରେ ୟୁକ୍ରେନକୁ ଦୂରଗାମୀ ଟୋମାହକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବିକ୍ରି କରିବାକୁ ପୂର୍ବରୁ ତାଙ୍କର ଇଚ୍ଛା ପ୍ରକାଶ କରିଥିଲେ।

Comments are closed.