Latest Odisha News

ଥମୁନି ଋଷ-ୟୁକ୍ରେନ ଯୁଦ୍ଧ, ରାଜଧାନୀ କିଭରେ ମିଳିଲାଣି ୯୦୦ରୁ ଅଧିକ ଶବ

ଦିଲ୍ଲୀ : ୫୨ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ପୋର୍ଟ ସିଟି ମାରିୟୁପୋଲକୁ ନେଇ ଜୋରଦାର ସଂଘର୍ଷ ଜାରି । ରାଜଧାନୀ କିଭରେ ୯୦୦ରୁ ଅଧିକ ଶବ ମିଳିଲାଣି ବୋଲି ଦାବି କରିଛି ୟୁକ୍ରେନ । କିଭରୁ ଋଷ ସୈନ୍ୟ ହଟିବା ପରେ ବିଭିନ୍ନ ଅଞ୍ଚଳରେ ଶବ ଠାବ ପ୍ରକ୍ରିୟା ଜାରିରହିଛି । ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ଖାରକିବରେ ହୋଇଥିବା ଗୁଳିମାଡରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । କମିବା ବଦଳରେ ବଢୁଛି ଋଷ୍ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧର କାୟା । ଯୁଦ୍ଧ ଭିତରେ ଏବେ କ୍ଷୟକ୍ଷତିର ରିପୋର୍ଟ ଦେଖିଲେ ଏ ଯୁଦ୍ଧ କେତେ ଭୟାନକ ତାହା ସ୍ପଷ୍ଟ ହେଉଛି । ୟୁକ୍ରେନରେ କିଭରେ କବରରୁ ୯୦୦ରୁ ଅଧିକ ଲୋକଙ୍କ ମୃତ ଦେହ ବାହାର କରାଯାଇଛି । ସାଧାରଣ ଲୋକଙ୍କୁ ମାରି କିଛି କିଛି ସ୍ଥାନରେ ଋଷ୍ ସେନା କବର ଦେଇଦେଇଥିବା ୟୁକ୍ରେନ୍ ପୋଲିସ କହିଛି । ଏଭଳି ସଙ୍ଗୀନ ସ୍ଥିତି ପାଇଁ ଋଷକୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକାକୁ ଅପିଲ୍ କରିଛନ୍ତି ଜେଲେନସ୍କି ।

ଏପଟେ ୟୁକ୍ରେନର ବିଭିନ୍ନ ଅଞ୍ଚଳକୁ ଲଙ୍ଗ ରେଞ୍ଜ ମିସାଇଲ୍ ଦ୍ବାରା ଋଷ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ଷ୍ଟିଲ ପ୍ଲାଣ୍ଟ ଏବଂ ପୋର୍ଟକୁ ଋଷ୍ ସେନା ଟାର୍ଗେଟ କରୁଛନ୍ତି । ଗତକାଲି କିଭରେ ମିଲିଟାରି କ୍ୟାମ୍ପ ଉପରେ ମଧ୍ୟ ଆକ୍ରମଣ କରିଥିଲେ ଋଷ୍ ସେନା । ଏପଟେ ଋଷିଆ ବ୍ରିଟେନ ସରକାର ଉପରେ କଟକଣା ଲଗାଇଛନ୍ତି ।

ଅନ୍ୟପକ୍ଷରେ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଯୁଦ୍ଧ ଚାଲିପାରେ ବୋଲି କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ । ନିକଟ ଭବିଷ୍ୟତରେ ଯୁଦ୍ଧ ଥମିବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ଋଷ ଆଣବିକ ଅସ୍ତ୍ର ପ୍ରୟୋଗ କରିବାର ଅଧିକ ସମ୍ଭାବନା ରହିଛି ଏବଂ ଏଥିଲାଗି ବିଶ୍ବ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ଋଷ ବାହିନୀ ଆଗରେ ଜୀବନ କିଛି ନୁହେଁ ଏବଂ ସେମାନେ ରାସାୟନିକ ବା ଆଣବିକ ଅସ୍ତ୍ର ବ୍ୟବହାର କରିପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଜେଲେନସ୍କି ।

Leave A Reply

Your email address will not be published.