Latest Odisha News

ଯୁଦ୍ଧରେ ଦୁଇ ଗୋଡ କଟିଲା, ଚାକିରି ବି ଗଲା, ଏବେ କିନ୍ତୁ ପାଲଟିଗଲେ ସୁପରଷ୍ଟାର

ୟୁକ୍ରେନ: ଏହା ଭିତରେ ଋଷ-ୟୁକ୍ରେନ ଯୁଦ୍ଧ ଦେଢ ବର୍ଷ ଟପିଲାଣି । ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି । ଋଷ ତୁଳନାରେ ୟୁକ୍ରେନ ଦେଶ ଯୁଦ୍ଧରେ ଅଧିକ କ୍ଷତି ସହିଲାଣି । ୟୁକ୍ରେନର ସଂଖ୍ୟାଧିକ ଲୋକ ଦେଶ ଛାଡ଼ି ପଳାଇ ଯାଇଥିବା ବେଳେ ମୋଟାମୋଟି ଭାବେ ୟୁକ୍ରେନରେ ଏବେ କେବଳ ଯୁଦ୍ଧ ଗାଡ଼ି ଓ ସାଜ୍ଜ ସରଞ୍ଜାମ ଦେଖିବାକୁ ମିଳୁଛି । ଋଷର ଭୟଙ୍କର ଆକ୍ରମଣକୁ ସାହସର ସହିତ ମୁକାବିଲା କରୁଛନ୍ତି ୟୁକ୍ରେନ ସୈନିକ । ଭୟଙ୍କର ଆକ୍ରମଣରେ ୟୁକ୍ରେନର ସୈନିକ ପ୍ରାଣହାନି ଘଟିଛି ଓ ବହୁ ସୈନିକ ଦିବ୍ୟାଙ୍ଗ ମଧ୍ୟ ହୋଇଯାଇଛନ୍ତି । ଏଭଳି ସମୟରେ ୟୁକ୍ରେନର ଜଣେ ସୈନିକଙ୍କ ଆତ୍ମବିଶ୍ୱାସକୁ ସୋସିଆଲ ମିଡ଼ିଆରେ ଖୁବ୍ ପ୍ରଶଂସା ମିଳୁଛି ।

୨୭ ବର୍ଷୀୟ ଓଲେକ୍ସ ଚନ୍ଦ୍ର । ସେ ୟୁକ୍ରେନ ସେନା ଯବାନ ଭାବେ ନିଯୁକ୍ତି ପାଇଥିଲେ । ହେଲେ ଗତବର୍ଷ ଅଗଷ୍ଟ ମାସରେ ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ତାଙ୍କର ଦୁଇ ଗୋଡ଼ ହରାଇଲେ । କୁହାଯାଏ, ଯେଉଁ ସୈନିକଙ୍କର ଗୋଡ ନାହିଁ ସେନାରେ ତାଙ୍କର ସ୍ଥାନ ନାହିଁ । ଏଭଳି ପରିସ୍ଥିତିରେ ସେ ତାଙ୍କ ଚାକିରି ହରାଇଲେ । କିନ୍ତୁ ଓଲେକ୍ସ ଚନ୍ଦ୍ର ଦୁଇଗୋଡ଼କୁ ହରାଇ ଅସହାୟ ହୋଇଥିଲେ ମଧ୍ୟ ହାର ମାନି ନ ଥିଲେ । କ’ଣ କରି ଆଗକୁ ବଢିବେ ସେ ନେଇ ଚିନ୍ତା କଲେ । ଶେଷରେ ନୃତ୍ୟରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଲେ ଏବଂ ଆଜି ଜଣେ ସୁପରଷ୍ଟାର ହୋଇପାରିଛନ୍ତି ।

ଓଲେକ୍ସଚନ୍ଦ୍ରଙ୍କ ନୃତ୍ୟର ହଜାର ହଜାର ପ୍ରଶଂସକ ଅଛନ୍ତି । ତାଙ୍କ ଶୋ ଦେଖିବା ପାଇଁ ପ୍ରତିଦିନ ବହୁ ଲୋକଙ୍କ ଭିଡ଼ ଜମେ । ସେ ତାଙ୍କ ନକଲି୍ ଗୋଡ ନ ପିନ୍ଧି ନାଚନ୍ତି । ତାଙ୍କ ଶୋ’ର ଆୟୋଜନ କରୁଥିବା ୟୁନାଇଟେଡ୍ ୟୁକ୍ରେନ୍ ବାଲେଟ୍ କମ୍ପାନୀରେ ଯୋଗ ଦେଇଛନ୍ତି । ସେ ଆମେରିକାରେ ଅନେକ ଶୋ କରି ଲୋକଙ୍କ ହୃଦୟକୁ ଛୁଇଁପାରିଛନ୍ତି । ଏବେ ସେ ଅନେକ ଲୋକଙ୍କ ପାଇଁ ଏକ ପ୍ରେରଣା ପାଲଟିଛନ୍ତି ।

Leave A Reply

Your email address will not be published.