ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବହୁ ଚେଷ୍ଟା ପରେ ବି ରୁଷ- ୟୁକ୍ରେନ ମଧ୍ୟରେ ଶାନ୍ତି ଫେରିପାରିଲା ନାହିଁ । ଏପର୍ଯ୍ୟନ୍ତ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ସମ୍ପର୍କରେ କୌଣସି ଆଲୋଚନା ହୋଇପାରି ନାହିଁ। ଆଲାସ୍କାରେ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ପୁଟିନିଙ୍କ ଐତିହାସିକ ବୈଠକ ଗତ ସାଢ଼େ ତିନି ବର୍ଷ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବା ଦିଗରେ କୌଣସି ସମାଧାନ କରିପାରି ନାହିଁ । ହେଲେ ଏବେ ଦିଲ୍ଲୀରୁ ବାହାରିବ ୟୁକ୍ରେନ-ରୁଷର ଶାନ୍ତିର ପଥ ! ଭାରତ ମଧ୍ୟସ୍ଥିରେ ଦୀର୍ଘ ୩ ବର୍ଷର ଯୁଦ୍ଧରେ ପଡିବ ଯବନିକା ! କାରଣ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଖୁବଶୀଘ୍ର ଭାରତ ଗସ୍ତରେ ଆସୁଛନ୍ତି । ଏଥିସହିତ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଏହି ବର୍ଷ ଭାରତ ଗସ୍ତରେ ଆସୁଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଦିଲ୍ଲୀରୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତିର ବାଟ ମିଳିପାରେ । ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠୁଛି ଯେ କ’ଣ ବାସ୍ତବରେ ଯାହା ଟ୍ରମ୍ପ କରିପାରିଲେନି, ତାହା ଭାରତ କରି ଦେଖାଇବ?
କେବେ ଆସୁଛନ୍ତି ଜେଲେନସ୍କି?
ୟୁକ୍ରେନର ରାଷ୍ଟ୍ରଦୂତ ଓଲେକଜାଣ୍ଡର ପୋଲିଶଚୁକ୍ କହିଛନ୍ତି ଯେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଖୁବ୍ ଶୀଘ୍ର ଭାରତ ଆସିପାରନ୍ତି। ଏହି ଗସ୍ତର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, କିନ୍ତୁ ତାରିଖ ସମ୍ପର୍କରେ ଆଲୋଚନା ଚାଲିଛି। ଗତ ବର୍ଷ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଗସ୍ତ କରି ଜେଲେନସ୍କିଙ୍କୁ ଭେଟିଥିଲେ, ସେ ତାଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ। ବର୍ତ୍ତମାନ ଭାରତ ଏବଂ ୟୁକ୍ରେନ ଜେଲେନସ୍କିଙ୍କ ସମ୍ଭାବ୍ୟ ଭାରତ ଗସ୍ତର ତାରିଖ ସ୍ଥିର କରିବାରେ ବ୍ୟସ୍ତ ଅଛନ୍ତି । ଭାରତରେ ୟୁକ୍ରେନୀୟ ରାଷ୍ଟ୍ରଦୂତ କହିଛନ୍ତି, ଭାରତ ଏବଂ ୟୁକ୍ରେନ ମଧ୍ୟରେ ଭବିଷ୍ୟତର ରଣନୈତିକ ସହଭାଗୀତା ବିଷୟରେ ହୋଇଥିବା ଘୋଷଣାକୁ ବିଶ୍ୱାସ କରନ୍ତୁ, ଏଥିରେ ଆମର ବହୁତ ସମ୍ଭାବନା ଅଛି। ଭାରତର ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ରାଷ୍ଟ୍ରପତି ଜେଲେନସ୍କି ନିଶ୍ଚିତ ଭାବରେ ଭାରତ ଆସିବେ। ଏହା ଆମର ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଏକ ବଡ଼ ସଫଳତା ହେବ । ତେବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜେଲେନସ୍କି ପୂର୍ବରୁ ଅନେକ ଥର ସାକ୍ଷାତ କରିଛନ୍ତି।
ପୁଟିନ ବି ଭାରତ ଗସ୍ତ କରିବେ
ଜେଲେନସ୍କିଙ୍କ ସମ୍ଭାବ୍ୟ ଭାରତ ଗସ୍ତର ତାରିଖ ଆଲୋଚନା ହେଉଥିବା ବେଳେ, ରୁଷ ରାଷ୍ଟ୍ରପତି ପୁଟିନ ମଧ୍ୟ ଏହି ବର୍ଷ ଭାରତ ଗସ୍ତରେ ଆସୁଛନ୍ତି। ସେ ଏହି ବର୍ଷ ଶେଷରେ ଭାରତ ଗସ୍ତ କରିବାକୁ ଯାଉଛନ୍ତି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମସ୍କୋ ଗସ୍ତ ସମୟରେ ଏହି ସୂଚନା ଦେଇଥିଲେ। ଏଥିସହିତ ଏହି ନିକଟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବି ରୁଷିଆ ଗସ୍ତରେ ଯାଇ ରୁଷ ଏବଂ ଭାରତର ସଂପର୍କକୁ ଆହୁରି ମଜଭୁତ କରିଛନ୍ତି । ପୂର୍ବରୁ ଆଲାସ୍କାରେ ୟୁକ୍ରେନ ସହ ଯୁଦ୍ଧ ନେଇ ଟ୍ରମ୍ପଙ୍କ ସହ ଆଲୋଚନା କରିବା ପରେ ପୁଟିନ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ଆଲୋଚନାର ବିଷୟରେ ଅବଗତ କରିଥିଲେ । ଯାହା ଉଭୟ ଦେଶ ମଧ୍ୟରେ ପ୍ରତିବଦ୍ଧତାକୁ ଦେଖାଉଛି । ଏଥିସହିତ ଏହା ବି ଜଣାପଡୁଛି ଯେ, କେବଳ ଯେ ଟ୍ରମ୍ପ ତାହା ନୁହେଁ ଭାରତ ବି ଦୂରରୁ ଏହି ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନା ଉପରେ ତୀକ୍ଷ୍ଣ ନଜର ରଖିଛି ।
ପୁଟିନ-ଜେଲେନସ୍କିଙ୍କ ମଧ୍ୟରେ ବନ୍ଧ ମୋଦି
ପ୍ରଧାନମନ୍ତ୍ରୀ ମୋଦି ଲଗାତାର ଭାବରେ ଦୋହରାଇଛନ୍ତି ଯେ ‘ଏହା ଯୁଦ୍ଧର ଯୁଗ ନୁହେଁ’ । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ଆଲୋଚନା ଏବଂ କୂଟନୀତି ଉପରେ ଚାପ ପକାଇଛନ୍ତି। ସେ ପୁଟିନ ଏବଂ ଜେଲେନସ୍କି ଉଭୟଙ୍କ ସହିତ ନିୟମିତ ଆଲୋଚନା କରିଛନ୍ତି, ଶାନ୍ତି ପାଇଁ ଏକ ନିରପେକ୍ଷ ପ୍ରବକ୍ତା ଭାବରେ ଭାରତର ମନୋଭାବକୁ ରେଖାଙ୍କିତ କରିଛନ୍ତି। ଆମେରିକାକୁ ଛାଡି ଦେଲେ ଭାରତ ଏକ ଏମିତି ରାଷ୍ଟ୍ର ଯାହାର ଉଭୟ ଦେଶ ସହିତ ଭଲ ସମ୍ପର୍କ ରହିଛି । ଆଉ ଏବେ ଟ୍ରମ୍ପଙ୍କ ବିଫଳତା ପରେ ଦୁଇ ଦେଶର ଭାରତ ଗସ୍ତ ଯୁଦ୍ଧ ଯବନିକା ଆଲୋଚନାକୁ ଆହୁରି ତୀବ୍ର କରିଛି । ଏଥିସହିତ ଭାରତ ଏବଂ ରୁଷ ମଧ୍ୟରେ ସମ୍ପର୍କ ବହୁତ ଭଲ ରହିଥିବା ବେଳେ ଏବେ ଆମେରିକାର ଟାରିଫ୍ ନୀତି ପ୍ରଧାନମନ୍ତ୍ରୀ ମୋଦି ଏବଂ ପୁଟିନଙ୍କୁ ଆହୁରି ନିକଟତର କରିଛି । ୟୁକ୍ରେନ ସହିତ ଭାରତର ସମ୍ପର୍କ ମଧ୍ୟ ଭଲ ରହିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜେଲେନସ୍କିଙ୍କୁ ବହୁବାର ଭେଟିଛନ୍ତି । ଏଭଳି ସ୍ଥିତିରେ ଏବେ ଭାରତ ଦୁଇ ଦେଶ ମଧ୍ୟରେ ଶାନ୍ତିଚୁକ୍ତିରେ ବଡ ଭୂମିକା ଗ୍ରହଣ କରିପାରେ । ଜେଲେନସ୍କି ଏବଂ ପୁଟିନଙ୍କ ଗସ୍ତ ସମୟରେ ଏପରି କିଛି ଫର୍ମୁଲା ସ୍ଥିର କରାଯାଇପାରେ, ଯାହା ଦ୍ୱାରା ଏହି ବିନାଶକାରୀ ଯୁଦ୍ଧକୁ ବନ୍ଦ କରିବା ଦିଗରେ କିଛି ପଦକ୍ଷେପ ନିଆଯାଇପାରିବ ।
Comments are closed.