Latest Odisha News

BREAKING NEWS

ଜାଣନ୍ତୁ, ରାଜ୍ୟର କେଉଁ ସ୍ଥାନରେ ହେବ ପ୍ରବଳ ବର୍ଷା…

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ । ଏହା ସହିତ ଅନେକ ସ୍ଥାନରେ ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଶନିବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂଚନା ପ୍ରଦାନ କରିଛି ।

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଜଳବାୟୁ ଛୁଇଁବା ସହିତ ସ୍ୱାଭାବିକ ମୌସୁମୀ ବୃଷ୍ଟିପାତ ଶୁକ୍ରବାର ସକାଳେ ଓଡ଼ିଶାରେ ଆରମ୍ଭ ହୋଇଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ ସାହୁ ସୂଚନା ଦେଇ କହିଛନ୍ତି, ଉପକୂଳ ଓଡ଼ିଶା ସମେତ ସମଗ୍ର ଉତ୍ତର ଓଡ଼ିଶାରେ ମୌସୁମୀ ସକ୍ରିୟ ହୋଇପଡ଼ିଛି । ଏହାଫଳରେ ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ସମେତ ଦକ୍ଷିଣ ଓଡ଼ିଶାର ମାଲକାନଗିରି, ଗଜପତି, ରାୟଗଡ଼ା, ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାମାନଙ୍କରେ ଏବେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଗତକାଲିଠାରୁ ମୌସୁମୀ ପ୍ରବେଶ କରିବା ପରଠାରୁ ଅଧିକାଂଶ ଜିଲ୍ଲାରେ ଏହା ସକ୍ରିୟ ହୋଇପଡ଼ିଛି, ମାତ୍ର ଏହା କ୍ରମେ ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ଅନୁଭୂତ ହେବ । ସେହି ଜିଲ୍ଲାଗୁଡ଼ିକ ହେଉଛି – ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ଡୁଟି ଅଫିସର୍ ଶ୍ରୀ ସାହୁଙ୍କ କହିବାନୁଯାୟୀ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଯୋଗୁଁ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଯେଉଁସବୁ ଜିଲ୍ଲାମାନଙ୍କରେ ଶନିବାର ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା – ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼ା, ବାଲେଶ୍ୱର, ଗଞ୍ଜାମ, ଗଜପତି, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲା ।

ଏହାବ୍ୟତୀତ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେଓଗଡ଼, ନୂଆପଡ଼ା, ସୋନପୁର, ବଲାଙ୍ଗୀର, ନବରଙ୍ଗପୁର, ବୌଦ୍ଧ, କଳାହାଣ୍ଡି ଏବଂ କନ୍ଧମାଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୨୩ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

ପାଣିପାଗ କେନ୍ଦ୍ର ପକ୍ଷରୁ ମତ୍ସଜୀବୀମାନଙ୍କୁ ୨୩ ତାରିଖ ଦିନ ସମୁଦ୍ର ମଧ୍ୟକୁ ନ’ଯିବା ଲାଗି ପରାମର୍ଶ ଦିଆଯାଇଛି । ଏଥିସହିତ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହିତ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଜନସାଧାରଣ ନିରାପଦ ସ୍ଥାନରେ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.