Latest Odisha News

ଗୋଟେ ପଟୁଆର ବିପକ୍ଷରେ

ଗୋଟେ ପଟୁଆର ବିପକ୍ଷରେ

ପବିତ୍ର ମୋହନ କର

ଯୁଦ୍ଧର ପ୍ରତିଟି ଗୁଳିରେ
କେହି ଜଣେ ଛେଉଣ୍ଡ ହୁଏ ପୃଥିବୀରେ
ମୁଣ୍ଡ ଉପରୁ ଆକାଶ, ପାଦ ତଳୁ ମାଟି ଖସିଯାଏ
କା’ର ବାପ, ତ କା’ର ପୁଅ ଯାଏ

ଯୁଦ୍ଧର ପ୍ରତିଟି ଗୁଳିରେ
ନାରୀଟିଏ ଜଖମ ହୁଏ ପୃଥିବୀରେ
ତା ନିଶ୍ୱାସରେ ପୋଡ଼ିଯାଏ ବିଶ୍ୱାସ
କ୍ଷୟ ହୁଏ ଅନ୍ତରୀକ୍ଷର ଆୟୁଷ

ଯୁଦ୍ଧର ପ୍ରତିଟି ଗୁଳିରେ
ଲେଖାଥାଏ ଜଣେ ଅଂଧ ରାଜାର ଫର୍ମାନ
ଲେଖାଥାଏ ବାଳୁତ ସୂର୍ଯ୍ୟଙ୍କର ହତ୍ୟା ଷଡଯଂତ୍ର
ଲେଖାଥାଏ କିଶୋର ସ୍ଵପ୍ନଙ୍କର ବଂଧ୍ୟାକରଣ
ମାଟି ସହ ମନକୁ ବି ଶ୍ମଶାନ କରି ଦବାର ସମନ

ଯୁଦ୍ଧର ପ୍ରତିଟି ଗୁଳିରେ
ଖୋଦେଇ ହୋଇଥାଏ ବିବେକର ଅୟୁତ ଧିକ୍କାର,
ଇତିହାସର ହାହାକାର ।
ଲେଖାଥାଏ ବିଶ୍ଵବ୍ୟାପୀ ଶୋକସଭା, ଶୋକବାର୍ତ୍ତା
ଥାଏ ପୁଣି, ଉନ୍ମାଦ କାନଙ୍କୁ ଶୁଭୁ ନଥିବା
ଗୋଟେ କରୁଣ କାନ୍ଦଣାର ସ୍ଵର, ନିରନ୍ତର

ଯିଏ କେବେ ମରିନି, ହୁଏତ ଜାଣି ପାରିବନି ।

ଅତୀତକୁ ଅପଦସ୍ତ କରି ଯୁଦ୍ଧ ହେଲେ
କେମିତି ବାରୁଦ ଗନ୍ଧରେ ପବନ ଆତ୍ମହତ୍ୟା କରେ

ପ୍ରଜାପତିର ନିରୀହ ଡେଣାରେ
ଫୁଲ ଲୁହ ଗଡ଼ାଏ ନିରବରେ

କବି କଲମରୁ ତରଳ ଗରଳ ଝରେ

ଜୀବନ ପାଲଟି ଯାଏ
ତତଲା ରକ୍ତର ଅଭିଶାପରେ ଅଂକା
ବିକଳାଙ୍ଗ ଛବିଟିଏ, ସମୟର କ୍ଷତାକ୍ତ ପିଠିରେ ॥

ଯୁଦ୍ଧର ତାଜା ଖବର ଏବେ ଟିଭିରେ ।

ବିଡମ୍ବନା, ସହରର କିଛିଲୋକ
ତଥାପି ବାହାରିଛନ୍ତି ପଟୁଆରରେ
ଯୁଦ୍ଧ ସପକ୍ଷରେ ॥

………………….
ବି.ଏସ.ଏନ.ଏଲ. କଲୋନୀ
ୟୁନିଟ-୮, ଭୁବନେଶ୍ଵର – ୧୨
(୯୪୩୭୦୬୬୦୯୯)

Leave A Reply

Your email address will not be published.