Latest Odisha News

BREAKING NEWS

ବିଶ୍ୱର ସର୍ବବୃହତ କୋଭିଡ୍‌-୧୯ ଟିକାକରଣ ଅଭିଯାନ: ଭାରତ ସମର୍ଥନରେ ରହିଛି ଜାତିସଂଘର ଏହି ସଂସ୍ଥା

ନୂଆଦିଲ୍ଲୀ: ଭାରତ ବିଶ୍ୱର ସର୍ବବୃହତ କୋଭିଡ୍‌-୧୯ ଟିକାକରଣ ଅଭିଯାନ ଆରମ୍ଭ କରିସାରିଛି। ଏହି ଟିକାକରଣ କାର୍ଯ୍ୟକ୍ରମରେ ଜାତିସଂଘର ଅନେକ ଏଜେନ୍ସି ଭାରତ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଥିବା ନେଇ ଜାତିସଂଘ ମୁଖ୍ୟଙ୍କ ମୁଖପାତ୍ର କହିଛନ୍ତି।

ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍‌ର ମୁଖପାତ୍ର ଷ୍ଟେଫାନ୍ ଡୁଜାରିକ୍ ମଙ୍ଗଳବାର କହିଛନ୍ତି ଯେ ଭାରତରେ ରେସିଡେଣ୍ଟାଲ୍ ସଂଯୋଜକ ରେନାଟା ଡେସାଲିଅନ୍‌ଙ୍କ ନେତୃତ୍ୱରେ ମିଳିତ ଜାତିସଂଘ ଦଳ ଏକ ବୃହତ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମରେ ସରକାର ଏବଂ ଜାତିସଂଘର ସହଯୋଗୀମାନଙ୍କୁ ସମର୍ଥନ କରୁଛି। ସେ ଦୈନିକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ମଙ୍ଗଳବାର ପର୍ଯ୍ୟନ୍ତ ଭାରତ ସରକାର ପ୍ରାୟ ଦେଢ ଲକ୍ଷ ଲୋକଙ୍କୁ ଟିକା ଦେଇଛନ୍ତି। ସେ କହିଛନ୍ତି ଯେ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ମିଳିତ ଜାତିସଂଘର ଏଜେନ୍ସିଗୁଡ଼ିକ କର୍ତ୍ତୃପକ୍ଷଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛନ୍ତି।

ଭାରତ ୧୬ ଜାନୁଆରୀରେ ଏକ ବିରାଟ କରୋନା ଭୂତାଣୁ ବିରୋଧୀ ଟିକାକରଣ ଅଭିଯାନ ଆରମ୍ଭ କରିଥିଲା, ଯାହା ଅଧୀନରେ ସାରା ଦେଶରେ ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଶିଲ୍ଡ ଏବଂ କୋଭାକ୍ସିନ ଦିଆଯାଇଥିଲା। ଏହା ଭାରତରେ ନିର୍ମିତ ଦୁଇଟି ପ୍ରମୁଖ ଟିକା। ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକାର କୋଭସିଲ୍ଡ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଉତ୍ପାଦିତ ହେଉଥିବାବେଳେ କୋଭାକ୍ସିନ୍ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହେଉଛି।

ଭାରତର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ସମୁଦାୟ ୪,୫୪,୦୪୯ ଲୋକଙ୍କୁ ଟିକା ଦିଆଯାଇଛି। ଟିକାକରଣ ପରେ ପ୍ରାୟ ୫୮୦ ଟି ପ୍ରତିକୂଳ ପ୍ରଭାବ ପଡିଛି ଏବଂ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଟିକା ମୃତ୍ୟୁ ସମ୍ବନ୍ଧୀୟ ନୁହେଁ ବୋଲି ସରକାର କହିଛନ୍ତି।
Leave A Reply

Your email address will not be published.