Latest Odisha News

ବିଶ୍ବର ୧୧ ଉତ୍ତମ ବାସୋପଯୋଗୀ ସହର ଭିତରେ ରାଜଧାନୀ ଅନ୍ୟତମ

ଭୁବନେଶ୍ବର: ବିଶ୍ବର ୧୧ ଉତ୍ତମ ବାସୋପଯୋଗୀ ସହର ସର୍ଭେରେ ଭୁବନେଶ୍ବର ସାମିଲ । ୟୁଏନ ହାବିଟାଟ୍ ଅରଗାନାଇଜେସନ ବିଶ୍ବର ୧୧ ଉତ୍ତମ ଜୀବନଯାପନ ସହରଗୁଡିକ ମଧ୍ୟରେ ଭୁବନେଶ୍ବରକୁ ବାଛିଛନ୍ତି । ଏହାର ଜୀବନଶୈଳୀର ମାତ୍ରା କିପରି ତାହା ଉପରେ ଏକ ସର୍ଭେ ଚାଲିଛି ।

ଦକ୍ଷିଣ ଏସିଆର ଭୁବନେଶ୍ବର ହେଉଛି ଏକମାତ୍ର ସହର ଯାହା ଏହି ସର୍ଭେରେ ସାମିଲ କରାଯାଇଛି । ଏହି ସର୍ଭେରେ ଭୁବନେଶ୍ବର ସହରରେ ପରିବର୍ତ୍ତନର ଧାରା ନିରୀକ୍ଷଣ କରାଯାଇ ଏହାର ଜୀବନଶୈଳୀକୁ ଆହୁରି ସୁଦୃଢ କରାଯିବ । ଆହୁରି ମଧ୍ୟ ନାଗରିକମାଙ୍କର ମୌଳିକ ସେବା ତଥା ସହରୀ ଜୀବନଶୈଳୀର ପ୍ରତ୍ୟେକ କ୍ଷେତ୍ରରେ ବଞ୍ଚିବାର ଆରାମ ଦୃଷ୍ଟିରୁ ଭୁବନେଶ୍ୱରର ସ୍ଥାନ କେଉଁଠି ତାହା ଏହି ସର୍ଭେରୁ ଜଣାପଡିବ ।

ଏହି ସର୍ଭେ କରିବାକୁ ନୂଆଦିଲ୍ଲୀ ସ୍ଥିତ ୟୁଏନର ମୁଖ୍ୟ କାର୍ଯ୍ୟାଳାୟରୁ ଏକ ଟିମ୍ ଭୁବନେଶ୍ବର ଆସି ସହରର ଜୀବନଶୈଳୀ ଓ ଏହାର ମାନ ନିର୍ଦ୍ଦାରଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହାୟତାରେ ୟୁଏନ୍‌ ହାବିଟାଟ୍‌ର ୨ ଦିନିଆ କର୍ମଶାଳା ବିଏମ୍‌ସି ମୁଖ୍ୟାଳୟଠାରେ ଆରମ୍ଭ ହୋଇଛି। ୟୁଏନ୍‌ ହାବିଟାଟ୍‌ ପକ୍ଷରୁ ସମଗ୍ର ବିଶ୍ୱରେ ୧୧ଟି ସହରକୁ ଉତ୍ତମ ବାସୋପଯୋଗୀ ଭାବେ ଚୟନ କରାଯାଇଥିବାବେଳେ ଏହା ମଧ୍ୟରେ ଭୁବନେଶ୍ୱର ସ୍ଥାନ ପାଇଥିବା କର୍ମଶାଳାରେ ୟୁଏନ୍‌ ହାବିଟାଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ସରକାରଙ୍କ ପ୍ରତିନିଧି, ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ସ୍ବତନ୍ତ୍ର ଆଗ୍ରହ ଥିବା ଗୋଷ୍ଠୀ ଏବଂ ବ୍ୟବସାୟୀଙ୍କ ସହଯୋଗରେ ଜନକୈନ୍ଦ୍ରିକ ଉନ୍ନତି, ଉନ୍ନୟନ ଏବଂ ଜୀବନ ଧାରଣର ଗୁଣାତ୍ମକ ମାନ ମୂଲ୍ୟାଙ୍କନ ସହ ସେହି ଅନୁସାରେ ଲକ୍ଷ୍ୟ ହାସଲ କରିବାକୁ କେଉଁ ପ୍ରକାର ପଦକ୍ଷେପ ନିଆଯିବ, ସେ ସମ୍ପର୍କରେ ଅନୁଧ୍ୟାନ କରାଯିବ। ଏହି କ୍ରମରେ ଭୁବନେଶ୍ୱରବାସୀଙ୍କ ଗୁଣାତ୍ମକ ଜୀବନ ଧାରଣର ମାନ ମୂଲ୍ୟାଙ୍କନ ପାଇଁ ସର୍ଭେ କାମ ଆରମ୍ଭ ହୋଇଛି। ଏହାଦ୍ୱାରା ନାଗରିକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଭୁବନେଶ୍ୱରର ସ୍ଥାନ କେଉଁଠି, ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

୯ଟି ପାରାମିଟରକୁ ନେଇ ବିଭିନ୍ନ ଉପାୟରେ ସର୍ଭେ କରାଯାଉଛି। ଏହା ୬ରୁ ୧୨ ମାସ ପର୍ଯ୍ୟନ୍ତ ଚାଲିବ। ଡାଟା ଆନାଲିସିସ୍‌, ଗୋଷ୍ଠୀ ଓ ଆର୍ଥିକ ବିକାଶ, ଜିଆଇଏସ୍‌, ଜନସ୍ବାସ୍ଥ୍ୟ, ଦକ୍ଷତା ଅନୁଧ୍ୟାନ ବା ଷ୍ଟ୍ରାଟେଜିକ୍‌ ପ୍ଲାନିଂ, ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା, କର୍ମଶାଳା ଏବଂ ଅନ୍‌ଲାଇନ ଓ ପ୍ରତ୍ୟକ୍ଷ ତଥ୍ୟର ଆଦାନ ପ୍ରଦାନ ଆଦି କରାଯିବ। ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ସୂଚକାଙ୍କକୁ ନେଇ ଏକ ନୂତନ ଖସଡା ପ୍ରସ୍ତୁତ କରାଯିବ। ଚୂଡାନ୍ତ ଖସଡାକୁ ଭିତ୍ତିକରି ସହରୀ ଗୁଣାତ୍ମକ ଜୀବନ ଧାରଣ ପଦ୍ଧତିର ମାନ ନିର୍ଦ୍ଧାରଣ କରାଯିବ ।

Comments are closed.