Latest Odisha News

BREAKING NEWS

କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ମୃତଦେହ ଧରି ପରିବାରର ଧାରଣା

ମାଲକାନଗିରି:ମାଲକାନଗିରି ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମୃତକଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ମୃତଦେହକୁ ନେଇ ଜେଲ୍‌ ସମ୍ମୁଖରେ ଧାରଣା ଦେଇଛନ୍ତି। ମୃତ କଏଦୀ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତର କଳାଗୁଡ଼ା ଗ୍ରାମର ଲକିନାଥ ବେହେରା। ପ୍ରାୟ ତିନି ମାସ ତଳେ କୌଣସି ଏକ ମାମଲାରେ ସେ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ।

ଏପଟେ ପରିବାର ଲୋକେ ଶବକୁ ଧରି ୩୨୬ ଜାତୀୟ ରାଜପଥ ଘେରାଉ କରିବା ପାଇଁ ପ୍ରସ୍ତୁତ ହେବା ସହ ଲୋକଙ୍କ ଭିଡ଼ ବଢ଼ୁଥିବାରୁ ଉତ୍ତେଜନା ବୃଦ୍ଧି ପାଇବା ଆଶଙ୍କା ରହିଛି ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଲକିନାଥ ପ୍ରତିଦିନ ଭଳି ଆଜି ମଧ୍ୟ ପରିବାର ସଦସ୍ୟଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ନେଇ କୌଣସି ସୂଚନା ଦେଇନଥିଲେ। ତେବେ ସନ୍ଧ୍ୟା ସମୟରେ ପରିବାର ଲୋକଙ୍କ ନିକଟକୁ ଜେଲ୍‌ ପକ୍ଷରୁ ଫୋନ୍‌ ଆସିଥିଲା। ଲକିନାଥଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବାରୁ ତାଙ୍କୁ ତୁରନ୍ତ ମାଲକାନଗିରି ମେଡିକାଲକୁ ନିଆଯାଇଛି । ପରିବାର ଲୋକେ ମେଡିକାଲରେ ପହଞ୍ଚିବା ବେଳକୁ ଲକିନାଥଙ୍କ ମୃତ୍ୟୁ ଘଟିସାରିଥିଲା। ଏହା ଜାଣିବା ପରେ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ଏହି ସମୟରେ ପୋଲିସ ସହ ପରିବାର ଲୋକଙ୍କ ଧସ୍ତାଧସ୍ତି ହୋଇଥିବା ସୂଚନା ରହିଛି । ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ମୃତଦେହକୁ ଧରି ମେଡିକାଲରୁ ପ୍ରାୟ ୩ କିଲୋମିଟର ଷ୍ଟ୍ରେଚରରେ ଠେଲି ଠେଲି ଜିଲ୍ଲା କାରାଗାରକୁ ନେଇ ସେଠାରେ ଧାରଣା ଦେଇଛନ୍ତି । ପୋଲିସ ଯେତେ ବୁଝାଇଲେ ମଧ୍ୟ ଲୋକେ ନିଜ ଜିଦ୍‌ରେ ଅଟଳ ଥିଲେ।

ସୂଚନାଥାଉକି, କିଛି ଦିନ ତଳେ ମଧ୍ୟ ମାଲକାନଗିରି ଜିଲ୍ଲା କାରାଗାରରେ ଜଣେ ଗଞ୍ଜାମ ଜିଲ୍ଲାର କଏଦୀଙ୍କ ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଥିଲା।

 

Leave A Reply

Your email address will not be published.