Latest Odisha News

BREAKING NEWS

ବେରୋଜଗାର ହେବ ଭାରତ ପାଇଁ ଆଉ ଏକ ମହାମାରୀ !

ନୂଆଦିଲ୍ଲୀ: ଦେଶରେ ବେକାରୀ ସମସ୍ୟା ଏବେ କରୋନା ଭୂତାଣୁ ଠାରୁ ବଡ଼ ମହାମାରୀର ରୂପ ନେବାକୁ ଯାଉଛି । ଶୀଘ୍ର ବେରୋଜଗାରୀ ସମସ୍ୟା କମ୍ ନହେଲେ ଏହା ଭାରତର ଚିନ୍ତା ବଢ଼ାଇ ଦେବ । ସରକାରଙ୍କ ଅନୁସାରେ- ଚଳିତ ମାର୍ଚ୍ଚ ୨୦୨୧ରେ ଦେଶରେ ବେରୋଜଗାରୀ ୬.୫ ପ୍ରତିଶତ ରହିଛି । ସହରାଞ୍ଚଳରେ ୭.୧ ପ୍ରତିଶତ ବେରୋଜଗାରୀ ଥିବାବେଳେ ଗ୍ରାମାଞ୍ଚଳରେ ୬.୨ ପ୍ରତିଶତ ରହିଛି । ଏର୍ଥାତ୍ ସହରରେ ବେକାରୀ ସମସ୍ୟା ଅଧିକ ।

ତେବେ, ଦେଶରେ ଏମିତି ୧୦ ରାଜ୍ୟ ଅଛନ୍ତି ଯାହାର ବେରୋଜଗାରୀ ଜାତୀୟ ହାରଠୁ ଅଧିକ । ସେହି ରାଜ୍ୟ ଗୁଡ଼ିକ ହେଲା- ହରିୟାଣା, ରାଜସ୍ଥାନ, ଗୋଆ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, ବିହାର, ତ୍ରିପୁରା, ଦିଲ୍ଲୀ ଓ ପଞ୍ଜାବ ।

Unemployment Is The Biggest Challenge For India

ସରକାରଙ୍କ ତଥ୍ୟକୁ ଦେଖିଲେ ଲାଗୁଛି ଯଦିଓ ମହାମାରୀ ପରେ ଦେଶ ଅନଲକ୍ ହୋଇଛି ତଥାପି କରୋନା ଆସୁ ଆସୁ ଯୁବକଙ୍କ ଲାଗି ଚାକିରିରେ ତାଲା ପଡ଼ି ଯାଇଥିଲା । ଲକଡାଉନର ପ୍ରଥମ ତିନିମାସ (ଏପ୍ରିଲରୁ ଜୁନ୍ ୨୦୨୦) ମଧ୍ୟରେ ଦେଶର ସହରାଞ୍ଚଳରେ ବେକାରୀ ହାର ୨୦.୯ ପ୍ରତିଶତ ଯାଏ ପହଞ୍ଚି ଯାଇଥିଲା । ଯେତେବେଳେ କି ଏହି ହାର ପୂର୍ବ ତିନିମାସ (ଜାନୁଆରୀ-ମାର୍ଚ୍ଚ ୨୦୨୦)ରେ ୯.୧ ପ୍ରତିଶତ ଓ (ଏପ୍ରିଲ୍-ଜୁନ ୨୦୧୯)ରେ ୮.୯ ପ୍ରତିଶତ ଥିଲା । ଏପ୍ରିଲରୁ ଜୁନ୍ ୨୦୨୦ ମଧ୍ୟରେ ୧୫ରୁ ୨୯ ବୟସ୍କଙ୍କ ବେକାରୀ ହାର ୩୪ ପ୍ରତିଶତ ଯାଏ ପହଞ୍ଚିଥିଲା ।

କରୋନା ମାଡ଼ରେ ପର୍ଯ୍ୟଟନ କ୍ଷେତ୍ରରୁ ନେଇ ହୋଟେଲ ଏବଂ ବିମାନ ଚଳାଚଳ ବେଶ୍ ପ୍ରଭାବିତ ହୋଇଛି । ଛୋଟ ଛୋଟ ଶିଳ୍ପରେ ତାଲା ପଡ଼ି ଯାଇଥିବା ବେଳେ ଗୋଟିଏ ଝଟକା ଲକ୍ଷ ଲକ୍ଷ ଲୋକଙ୍କୁ ସଡ଼କକୁ ଟାଣି ଆଣିଛି । ୭୦ ଲକ୍ଷରୁ ଅଧିକ ପିଏଫ୍ ଖାତା ବନ୍ଦ ହୋଇଯାଇଛି । ତେବେ ଏବେ ୫୩ ଲକ୍ଷ ନୂଆ ପିଏଫ୍ ଖାତା ଖୋଲିବା ନେଇ ସରକାର ଦାବି କରିଛନ୍ତି ।

ବେକାରୀ ଆଉ ଭାରତ

ମାର୍ଚ୍ଚ ୨୦୧୬ରେ ବେରୋଜଗାରୀ ହାର ୮.୭ ପ୍ରତିଶତ ଥିଲା

ମାର୍ଚ୍ଚ ୨୦୧୭ରେ ବେରୋଜଗାରୀ ହାର ୪.୭ ପ୍ରତିଶତ ଥିଲା

ମାର୍ଚ୍ଚ ୨୦୧୮ରେ ବେରୋଜଗାରୀ ହାର ପୁଣି ବଦ୍ଧି ପାଇ ୬ ପ୍ରତିଶତ ରହିଥିଲା

ମାର୍ଚ୍ଚ ୨୦୧୯ରେ ବେରୋଜଗାରୀ ହାରରେ ପୁଣି ବୃଦ୍ଧି ଘଟି ୬.୭ ପ୍ରତିଶତ ହୋଇଥିଲା

Unemployment Is The Biggest Challenge For India

ବିଗତ ୫ ବର୍ଷରେ ବେକାରୀ ଯୁବକଯୁବତୀଙ୍କୁ ରୋଜଗାର ଦେବା ଲାଗି ମୋଦି ସରକାର ଅନେକ ଗୁଡ଼ିଏ ଯୋଜନା ଆଣିଛନ୍ତି । ପିଏମ୍ ରୋଜଗାର ଯୋଜନାରେ ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ୨୧ ଲକ୍ଷ ୭୧ ହଜାର ୪୮ ଜଣଙ୍କୁ ରୋଜଗାର ମିଳିଛି । ପଣ୍ଡିତ ଦୀନଦୟାଲ୍ ଗ୍ରାମୀଣ କୌଶଳ ଯୋଜନାରେ ବିଗତ ୫ ବର୍ଷରେ ୪୯ ହଜାର ୫୦ ଜଣ ଲୋକ ରୋଜଗାର ପାଇଛନ୍ତି । ଦୀନଦୟାଲ୍ ଅନ୍ତ୍ରୋଦୟ ଯୋଜନାରେ ୫ ବର୍ଷରେ କର୍ମ ସଂସ୍ଥାନ ପାଇଛନ୍ତି ୫ ଲକ୍ଷ ୧୪ ହଜାର ୯୯୮ ଜଣ ।

ତେବେ ୧୩୦ କୋଟିରୁ ଅଧିକ ଜନସଂଖ୍ୟା ଥିବା ଭାରତରେ ମାତ୍ର କିଛି ହଜାର କିମ୍ବା ଲକ୍ଷ ଲୋକଙ୍କୁ କାମ ଦେଇଦେଲେ ଚଳିବ ନାହିଁ । କାରଣ ପ୍ରତିବର୍ଷ ଦେଶରେ କୋଟି କୋଟି ବେରୋଜଗାରୀ ଯୁବକଯୁବତୀ ବଢ଼ୁଛନ୍ତି । ସମସ୍ୟା ବହୁତ ବଡ଼ ହୋଇଥିବା ବେଳେ ସରକାର ସେମିତି ବଡ଼ ସମାଧାନ ଖୋଜି ବାହାର କରିବା ଦରକାର ।

Leave A Reply

Your email address will not be published.