ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ । ପାଟନାରୁ ବାହାରି ୧୧ଟା ସୁଦ୍ଧା ଭୁବନେଶ୍ୱରରେ ପହଞ୍ଚିବେ । ଏହାପରେ ଲୋକ ସେବା ଭବନରେ ଅବସ୍ଥିତ କନଭେନସନ ସେଣ୍ଟରରେ ଆୟୋଜିତ ହେବାକୁ ଥିବା ‘ମାଣ୍ଡିଆ ଦିବସ’ କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ କେନ୍ଦ୍ର କୃଷିମନ୍ତ୍ରୀ ଯୋଗଦେବେ ବୋଲି ସୂଚନା ରହିଛି ।
କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଅବସରରେ, ସେ ଓଡ଼ିଶା ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ମାଣ୍ଡିଆ ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିବେ । ଏହି କାର୍ଯ୍ୟକ୍ରମରେ କୃଷକଙ୍କ ଆୟ ବୃଦ୍ଧି ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ବାଜରାକୁ ଏକ ଉପକରଣ ଭାବରେ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା କରାଯିବ ।
ଏହାପରେ କଟକ ଜିଲ୍ଲାର ସଦର ଅଞ୍ଚଳ ଗସ୍ତ କରିବେ କେନ୍ଦ୍ର କୃଷିମନ୍ତ୍ରୀ । ସେଠାରେ ସେ ଚାଷୀଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହ କ୍ଷେତ୍ର ପରିଦର୍ଶନ କରିବେ । ଏହାପରେ ସେ ଅପରାହ୍ନରେ, କଟକର ବିଦ୍ୟାଧରପୁରରେ I CAR -କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ରେ ଏକ ମିଳିତ ରଣନୈତିକ ବୈଠକରେ ଯୋଗଦେବେ । ସେଠାରେ ଭାରତୀୟ କୃଷିରେ ଉଚ୍ଚ ଉତ୍ପାଦକତା, ସ୍ଥାୟୀତ୍ୱ ଏବଂ ଆତ୍ମନିର୍ଭରଶୀଳତା ହାସଲ ପାଇଁ କାର୍ଯ୍ୟକ୍ଷମ ରଣନୀତି ପ୍ରସ୍ତୁତ ପାଇଁ ଆଲୋଚନା ହେବବୋଲି ସୂଚନା ରହିଛି ।
Comments are closed.