ନୂଆଦିଲ୍ଲୀ: ‘ଓ୍ବାନ୍ ନେସନ ଓ୍ବାନ୍ ଇଲେକ୍ସନ’ ବା ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଛି । ଖୁବ୍ ଶୀଘ୍ର ଏହା ସଂସଦର ଶୀତ କାଳୀନ ଅଧିବେଶନରେ ପାରିତ ହୋଇପାରେ ବୋଲି ସୂଚନା ମିଳିଛି । ତେବେ ମୋଦି ସରକାରଙ୍କ ବହୁ କଥିତ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଯଦି ସଂସଦର ଉଭୟ ଗୃହ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହୋଇଯାଏ ତେବେ ଏହା ଦେଶରେ ଏକାସାଙ୍ଗରେ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଏକ ବଡ ପଦକ୍ଷେପ ହେବ ।
ତେବେ ୨ ସେପ୍ଟେମ୍ବର ୨୦୨୩ରେ ସରକାର ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କିମିଟି ଗଠନ କରିଥିଲେ । କମିଟି ୬୨ ରାଜନୈତିକ ଦଳର ମତାମତ ନେଇଥିଲା । ଏମାନଙ୍କ ମଧ୍ୟରୁ ୩୨ ରାଜନୈତିକ ଦଳ ଗୋଟିଏ ଦେଶ-ଗୋଟିଏ ନିର୍ବାଚନକୁ ସମର୍ଥନ କରିଥିଲେ। ୧୫ ଦଳ ବିରୋଧ କରିଥିବା ବେଳେ ଆଉ ୧୫ ଦଳ ଏଥିରେ କୌଣସି ମତ ରଖିନଥିଲେ । ମତ ଗ୍ରହଣ ପରେ କମିଟି ୧୪ ମାର୍ଚ୍ଚ ୨୦୨୪ରେ ଏକ ରିପୋଟ ପୈଠ କରିଥିଲେ ।
୨୦୨୪ ଲୋକସଭା ନିର୍ବାଚନ ବେଳେ ଘୋଷଣାପତ୍ରରେ ଏ ନେଇ ବିଜେପି କାମ କରିବ ବୋଲି ପ୍ରତିଶ୍ରୃତି ଦେଇଥିଲା । ସ୍ବାଧୀନତା ଦିବସ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ସମସ୍ତେ ଆଗେଇ ଆସିବାକୁ ଅପିଲ କରିଥିଲେ । ଯାହାକି ସଂସଦରେ ଚାଲିଥିବା ଶୀତକାଳୀନ ଅଧିବେଶନ କିମ୍ବା ଆଗାମୀ ବଜେଟ୍ ଅଧିବେଶନରେ ସରକାର ପାରିତ କରିବା ନେଇ ଚର୍ଚ୍ଚା ।