Latest Odisha News

BREAKING NEWS

ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି…ବଢିଲା ରାଜନୀତି

ଭୁବନେଶ୍ବର: ଓଡିଶା ବିଶ୍ବବିଦ୍ୟାଳୟ ଆଇନ-୨୦୨୦ରେ ହେଉ ସଂଶୋଧନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିକୁ ନେଇ ବଢିଲା ରାଜନୀତି । ଆଇନରେ ରହିଥିବା ଅସଙ୍ଗତି ଦୂର କରିବା ସହ ଆବଶ୍ୟକ ସଂଶୋଧନ କରିବାକୁ ଚିଠିରେ ଧର୍ମେନ୍ଦ୍ର ଲେଖିଛନ୍ତି । ଶିକ୍ଷାବିତଙ୍କ ଆତ୍ମବିଶ୍ବାସ ଫେରାଇ ଆଣିବା, ଶିକ୍ଷାନୁଷ୍ଠାନଗୁଡିକର ସ୍ବାୟତତା ସୁରକ୍ଷିତ ରଖିବା ସହ ଶିକ୍ଷାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ଦିଗରେ ସଂଶୋଧନ କରିବାକୁ ସେ ଲେଖିଛନ୍ତି । ବିଜେଡି ସରକାର ସମୟରେ ଆଇନରେ ସଂଶୋଧନ ହୋଇଥିଲା । ତେବେ ସେତେବେଳେ ବିରୋଧୀ ଆସନରେ ରହିଥିବା ବିଜେପି ଏହାକୁ ବିରୋଧ କରିଥିଲା। ଫଳରେ ମାମଲା ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଏବେ କ୍ଷମତା ପରିବର୍ତ୍ତନ ପରେ ପୁଣି ସଂଶୋଧନ ହୋଇପାରେ ଓଡିଶା ବିଶ୍ବବିଦ୍ୟାଳୟ ଆଇନ।

ଆଇନ ସଂଶୋଧନ…କାହିଁକି ରାଜନୀତି?

ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ହିଁ ଧର୍ମେନ୍ଦ୍ର ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ପ୍ରଣୟନ କରିଥିବା କହିଛନ୍ତି । ଆଇନ ଦ୍ବାରା ଶିକ୍ଷାନୁଷ୍ଠାନର ସ୍ବାୟତତା, ଶିକ୍ଷାବିତଙ୍କ ସ୍ବାଧୀନତା ଓ ବିଶ୍ବସନୀୟତା କ୍ଷୁର୍ଣ୍ଣ ହେଉଥିଲା। ଓଡିଶାର ଶିକ୍ଷାବିତଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏପରିକି ଏହା ୟୁଜିସି ଦ୍ବାରା ନିର୍ଦ୍ଧାରିତ ଆଇନର ବ୍ୟବସ୍ଥା ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ବିରୋଧୀ ରହିଥିବା ଧର୍ମେନ୍ଦ୍ର କହିଛନ୍ତି । ତେଣୁ ଏନେଇ ଯଥାଶୀଘ୍ର ପୁନର୍ବିଚାର କରିବା ସହ ସଂଶୋଧନ କରିବାକୁ ସେ ଚିଠିରେ ଲେଖିଛନ୍ତି ।

ସଂଶୋଧିତ ଆଇନରେ କ’ଣ ବଦଳିଲା?

ପୂର୍ବତନ ବିଜେଡି ସରକାର ୨୦୨୦ମସିହାରେ ଓଡିଶା ବିଶ୍ବବିଦ୍ୟାଳୟ ଅଧିନିୟମ-୧୯୮୯ରେ କିଛି ସଂଶୋଧନ କରିଥିଲେ । କୁଳପତି ଚୟନ, ସିଣ୍ଡିକେଟ୍ ଗଠନ ସହ ଅଧ୍ୟାପକ ଓ ଅନ୍ୟ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନରେ ପରିବର୍ତ୍ତନ କରାଯାଇଥିଲା। ଅଧ୍ୟାପକ ଚୟନ ପାଇଁ ଓଡିଶା ଲୋକସେବା ଆୟୋଗ ଓ ବିଶ୍ବବିଦ୍ୟାଳୟ ଅଫିସରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଷ୍ଟାଫ ସିଲେକ୍ସନ୍ ବୋର୍ଡକୁ କ୍ଷମତା ଦିଆଯାଇଥିଲା। ଫଳରେ ନିଯୁକ୍ତିରେ ଗଳାବାଟର ସୁଯୋଗ ରହିବ ନାହିଁ ବୋଲି ସେତେବେଳର ରାଜ୍ୟ ସରକାର କହିଥିଲେ ।

କାହିଁକି ସଂଶୋଧନକୁ ହୋଇଥିଲା ବିରୋଧ?

ସଂଶୋଧିତ ଆଇନ ଅନୁସାରେ ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତିରେ ରାଜ୍ୟ ସରକାରଙ୍କ ଭୂମିକା ରହିଥିଲା । ସେହିପରି ସିନେଟ୍ ଉଚ୍ଛେଦ ହେବା ସହ ସିଣ୍ଡିକେଟରେ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ସଦସ୍ୟ ରହିଥିଲେ । ତେବେ ଏହା ୟୁଜିସି ନିୟମକୁ ଉଲ୍ଲଂଘନ କରିବା ସହ ବିଶ୍ବବିଦ୍ୟାଳୟ ସ୍ବାଧୀନତା ହାନି କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ୟୁଜିସି ପକ୍ଷରୁ ସୁପ୍ରିମକୋର୍ଟରେ ମୋକଦ୍ଦମା ଦାଏର କରାଯାଇଥିଲା। ଶୁଣାଣି କରି ସର୍ବୋର୍ଚ୍ଚ କୋର୍ଟ ଗତବର୍ଷ ମେ ୨୦ରେ ସଂଶୋଧିତ ଆଇନର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିଥିଲେ । ପ୍ରଥମେ ତିନି ମାସ ପରେ ଏପର୍ଯ୍ୟନ୍ତ ରହିତାଦେଶ ବଳବତ୍ତର ରହିଛି । ତେବେ ଏଥିପାଇଁ ଅଧ୍ୟାପକ ଚୟନ ଓ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଛି । ଫଳରେ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଖାଲି ପଡିଥିବା ହଜାରେରୁ ଅଧିକ ଅଧ୍ୟାପକ ପଦବୀ ପୂରଣ ହୋଇପାରୁନଥିବା କୁହାଯାଉଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଛି ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ ଫ୍ରେମଓ୍ବାର୍କ ତାଲିକା । ତେବେ ସମଗ୍ର ସଫଳତାକୁ ଆଧାର କରି ପ୍ରକାଶ ପାଇଥିବା ଶ୍ରେଷ୍ଠ ଶହେ ତାଲିକାରେ ରାଜ୍ୟ ସରକାରଙ୍କ ଗୋଟିଏ ବି ଶିକ୍ଷାନୁଷ୍ଠାନ ସ୍ଥାନ ପାଇନି। ଏଥିରୁ ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥା କେଉଁ ସ୍ଥିତିରେ ରହିଛି, ସେକଥା ସ୍ପଷ୍ଟ ଜଣାପଡୁଛି । ବିଭିନ୍ନ କ୍ଷେତ୍ରରେ ଆଗରେ ରହିଥିବା ଓଡିଶା ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକ ପଛରେ ରହିଛି । ତେଣୁ ରାଜନୈତିକ ଉଦ୍ଦେଶ୍ୟ ରଖି ନୁହେଁ ବରଂ ପିଲାଙ୍କ ଭବିଷ୍ୟତ ଓ ଶିକ୍ଷା ବ୍ୟବସ୍ଥାରେ ଉନ୍ନତିକୁ ଆଖିରେ ରଖି ବିଶ୍ବବିଦ୍ୟାଳୟ ଆଇନରେ ସଂଶୋଧନ ହେଉ । ବିଶ୍ବବିଦ୍ୟାଳୟରେ ଭିତ୍ତିଭୂମିର ବିକାଶ ସାଙ୍ଗକୁ ଶୈକ୍ଷିକ ବାତାବରଣ ସୃଷ୍ଟି ପ୍ରତି ବିଜେପି ସରକାର ଧ୍ୟାନ ଦିଅନ୍ତୁ। କାରଣ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସଶକ୍ତ ଆଧୁନିକ ଶିକ୍ଷା ବ୍ୟବସ୍ଥା ଆବଶ୍ୟକ ।

Comments are closed.