ଭୁବନେଶ୍ବର: ଆଜି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବିଏସ୍ଏଫ୍ର ସ୍ୱତନ୍ତ୍ର ବିମାନରେ ଅମିତ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ପରେ ମୁଣ୍ଡଳିରେ ଥିବା କେନ୍ଦ୍ର ଶିଳ୍ପ ସୁରକ୍ଷା ବଳ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ। ନୂତନ ଅପରାଧିକ ଆଇନରେ ଐତିହାସିକ ସଂଶୋଧନ ଓ ନୂତନ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ୟୁନିଟ–୩ ସ୍ଥିତ ପ୍ରଦର୍ଶନୀ ପଡିଆ, ଭୁବନେଶ୍ୱରଠାରେ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ ଆୟୋଜନ କରାଯାଇଛି। ଆଜି କେନ୍ଦ୍ର ସ୍ଵରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଏହି ପ୍ରଦର୍ଶନୀକୁ ଉଦଘାଟନ କରିବେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। ଏହି ପ୍ରଦର୍ଶନୀ ଜନସାଧାରଣଙ୍କ ନିମନ୍ତେ ୭ ମାର୍ଚ୍ଚ ଠାରୁ ୧୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି ଅମିତ ଶାହ ମୁଣ୍ଡଳୀରେ ରେଜିଙ୍ଗ ଡେ ପରେଡ୍ରେ ଅଂଶଗ୍ରହଣ କରିବେ।
ଅନ୍ୟପଟେ ଅପରାହ୍ନରେ ପାରାଦ୍ୱୀପ ଯାଇ ଇଫକୋର ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ୍ ଉଦଘାଟନ କରିବେ ଅମିତ ଶାହ। ପରେ ଇନଫୋ ଭ୍ୟାଲି ଗୌଡ଼କାଶିପୁରରେ ବାଗଚି କ୍ୟାନସର୍ ହସ୍ପିଟାଲ୍ ପଛରେ ହେବାକୁ ଥିବା ରାଷ୍ଟ୍ରୀୟ ଫରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିବେ। କେନ୍ଦ୍ରୀୟ ଫରେନସିକ୍ ବିଜ୍ଞାନ ପ୍ରୟୋଗଶାଳାର ଗୃହ ନିର୍ମାଣ ପ୍ରକଳ୍ପ ଅନଲାଇନରେ ଶିଳାନ୍ୟାସ କରିବେ। ବିଭିନ୍ନ ବିଭାଗ ସହ ଜଡିତ ୧୧୫୯ କୋଟି ଟଙ୍କାର ୬୯ଟି ପ୍ରକଳ୍ପ ଉଦଘାଟନ ଓ ୨୧୧୬ କୋଟି ଟଙ୍କାର ୧୩୦ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ଓମଫେଡ୍ ସହ ଜଡିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ରାତି ୭ଟା ୩୦ରେ ସେ ନୂଆଦିଲ୍ଲୀ ଫେରିବେ ।