Latest Odisha News

ଲୋକ ମେଳା ଓ କୃଷି ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ପୁରୀ: ପୁରୀର ଶରଧାବାଲିସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ମୁକ୍ତାକାଶ ରଙ୍ଗମଞ୍ଚରେ ସୋମବାର ସନ୍ଧ୍ୟାରେ ବିଂଶତମ ଲୋକମେଳା ଓ 13 ତମ କୃଷି ମେଳା ୨୦୨୨ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ  ବିଶ୍ବେଶ୍ବର ଟୁଡୁ ଏହି ଲୋକ ମେଳା ସମେତ ଜାତୀୟ ସ୍ତରର କୃଷି ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି ।

BjdElectrycity

ଏହି ମେଳା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳା ପରିସରରେ ବିଭିନ୍ନ ଲୋକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିସହିତ ଜନଜାତି ସମ୍ପ୍ରଦାୟ ଦ୍ବାରା ପ୍ରସ୍ତୁତ ବନ୍ୟଜାତ, କୃଷି ଓ ପାରମ୍ପରିକ ସାମଗ୍ରୀର ଷ୍ଟଲ୍ ମଧ୍ୟ ପଡ଼ିଛି । ଅଣଲାଭକାରୀ ସ୍ବେଚ୍ଛାସେବୀ ସଂଗଠନ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା (ଏସଏସଏସ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏସଏସଏସ ସଂଗଠନ ଲୋକ କଳା ଏବଂ ଅଭିବ୍ୟକ୍ତିକୁ ପ୍ରୋତ୍ସାହନ କରିବା ସହିତ ସମାଜର ସାମାଜିକ-ସାଂସ୍କୃତିକ ଚରିତ୍ରକୁ ସୁରକ୍ଷା ଏବଂ ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିଥାଏ।

Image

ବିଂଶତମ ଲୋକମେଳାକୁ ଉଦଘାଟନ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ, ଭାରତର ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ଦିଗରେ ଏପରି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ । ଦୀର୍ଘ ୨୦ ବର୍ଷ ଧରି ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଖୁସିର ବିଷୟ । ବିଭିନ୍ନ ରାଜ୍ୟରୁ ଆସିଥିବା ଜନଜାତି ସାମଗ୍ରୀ, କୃଷି ଉତ୍ପାଦର ଷ୍ଟଲ୍‌ ପଡ଼ିଥିବାରୁ ଏସବୁ ସାମଗ୍ରୀ କିଣିବା ଲାଗି କେନ୍ଦ୍ର ମନ୍ତ୍ରୀ ଆହ୍ବାନ କରିଥିଲେ । କୃଷି କ୍ଷେତ୍ରରେ ଅଭିନବ ଉଦ୍ଭାବନ ଏବଂ ଜ୍ଞାନକୌଶଳ ବିଷୟରେ ଜ୍ଞାନ ଆହରଣ କରିବା ଲାଗି ପ୍ରଦର୍ଶନୀ ଏକ ସୁଯୋଗ ଆଣି ଦେଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ, ଜନଜାତି, ଲୋକକଳା ସଂସ୍କୃତି ବିଷୟରେ ଜ୍ଞାନବୃଦ୍ଧି ନିମନ୍ତେ ଏଭଳି କାର୍ଯ୍ୟକ୍ରମ ଏକ ସୁଅବସର ଆଣିଛି । ରାଜ୍ୟରେ ଜନଜାତିଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

Image କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ, ଓଡ଼ିଶା ଏକ ଜନଜାତି ବହୁଳ ରାଜ୍ୟ ହୋଇଥିବା ବେଳେ ଏଠାରେ ୬୨ଟି ଜନଜାତି ସମ୍ପ୍ରଦାୟର ଲୋକମାନେ ବସବାସ କରିଥାନ୍ତି । ଜନଜାତି ବର୍ଗଙ୍କ କଲ୍ୟାଣ ପାଇଁ ରାଜ୍ୟରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି । ବିଗତ କିଛି ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ମଧ୍ୟ ରାଜ୍ୟ ବିଶେଷ ପ୍ରଗତି ହାସଲ କରିଛି । ଜନଜାତି ସମୁଦାୟର ଜୀବନଶୈଳୀ, ଜୀବିକା, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ଦିଗରେ ଲୋକମେଳା ଭଳି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିବ ବୋଲି ଶ୍ରୀ ସ୍ବାଇଁ କହିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ ।  ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉଦଘାଟନୀ ସନ୍ଧ୍ୟାରେ ଲୋକ ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା । ବିଭିନ୍ନ ରାଜ୍ୟରୁ ଆସିଥିବା ଲୋକ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

 

Leave A Reply

Your email address will not be published.