Latest Odisha News

ବୁଷ୍ଟର ଡୋଜ୍ ନେଇ ସୁସ୍ଥ ରହିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇକୁ ମଜଭୁତ୍ କରିବା ପାଇଁ ଭାରତ ସରକାର ପଦକ୍ଷେପ ନେଇଛନ୍ତି । ଅମୃତ ମହୋତ୍ସବ ଅବସରରେ ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ୭୫ ଦିନିଆ ସ୍ୱତନ୍ତ୍ର ଅଭିଯାନରେ ସାମିଲ୍ ହୋଇ ଖୁବଶୀଘ୍ର ବୁଷ୍ଟର ଡୋଜ୍ ନେଇ ସୁସ୍ଥ ରହିବା ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଏକ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି, ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଦେଶ ଓ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦ୍ରୁତ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । କୋଭିଡ୍ ଲଢ଼େଇର ମାତ୍ର ୧୮ ମାସ ମଧ୍ୟରେ ୨୦୦ କୋଟିରୁ ଅଧିକ ଟିକାକରଣ କରାଇ ଭାରତ ସାରା ବିଶ୍ୱରେ ଇତିହାସ ରଚିଛି, ଯାହା ଖୁସିର ବିଷୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦକ୍ଷ ଏବଂ ବଳିଷ୍ଠ ନେତୃତ୍ୱ ଯୋଗୁଁ ଭାରତ ଆଜି ସମଗ୍ର ବିଶ୍ୱରେ ଏହି ବିରାଟ ବଡ଼ ସଫଳତା ହାସଲ କରିପାରିଛି । ନିରାପଦ ଏବଂ ପ୍ରଭାବଶାଳୀ କୋଭିଡ଼ ଟିକା ଉପଲବ୍ଧ କରାଇ ଆମ ଦେଶ ନିଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଶକ୍ତ କରିବା ସଙ୍ଗେସଙ୍ଗେ ତ୍ୱରିତ ଟୀକାକରଣ ପ୍ରକ୍ରିୟାକୁ ନିଶ୍ଚିତ କରିଛି । ଏହାର ସଫଳତା ପଛରେ ଦେଶର ଲକ୍ଷ ଲକ୍ଷ ଡ଼ାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ବୈଜ୍ଞାନିକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ରହିଛି ଏବଂ ଏଥିପାଇଁ ଆମେ ସମସ୍ତେ ତାଙ୍କ ପାଖରେ ଋଣୀ ।

ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ସରକାରଙ୍କ ତରଫରୁ ପ୍ରଥମେ କୋଭିଡର ଦୁଇଟି ଡୋଜ୍ ଏବଂ ଏବେ ବୁଷ୍ଟର ଡୋଜ୍ ମାଗଣାରେ ଦିଆଯାଉଛି । ବୁଷ୍ଟର ଡୋଜ୍ ଦେବା ପାଇଁ ଅମୃତ କାଳରେ ଜୁଲାଇ ୧୫ରୁ ୭୫ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନରେ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ଟିକାକରଣ କରାଯାଉଛି । କିନ୍ତୁ କୋଭିଡ଼ ବୁଷ୍ଟର ଡୋଜ୍ ନେବା କ୍ଷେତ୍ରରେ ଜାତୀୟ ହାର ଠାରୁ ଓଡ଼ିଶାର ହାର କମ ଅଛି । ଓଡ଼ିଶାର ୮୭ ପ୍ରତିଶତ ନାଗରିକ ଏ ପର୍ଯ୍ୟନ୍ତ ବୁଷ୍ଟର ଡ଼ୋଜ୍ ଟିକା ନେଇ ନାହାନ୍ତି ।

ଅଗଷ୍ଟ ୪ ତାରିଖ ସୁଦ୍ଧା ଓଡ଼ିଶାରେ ୩ କୋଟି ୨୩ ଲକ୍ଷ ନାଗରିକ ପ୍ରଥମ ଓ ଦ୍ୱିତୀୟ ଡ଼ୋଜ ଟିକା ନେଇସାରିଛନ୍ତି । କେବଳ ୪୨ ଲକ୍ଷ ୩୪ ହଜାର ଜଣ ବୁଷ୍ଟର ଡୋ଼ଜ୍ ନେଇଛନ୍ତି । ରାଜ୍ୟର ୬ଟି ଜିଲ୍ଲା ଯଥା କଟକ, ଖୋର୍ଦ୍ଧା, ଜଗତସିଂପୁର, ସୁନ୍ଦରଗଡ଼, ପୁରୀ ଏବଂ ଅନୁଗୁଳରେ ଏ ପର୍ଯ୍ୟନ୍ତ ୧୦ ପ୍ରତିଶତ ବରିଷ୍ଠ ନାଗରିକ ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି । ରାଜ୍ୟର ୮ଟି ଜିଲ୍ଲାରେ ପାଖାପାଖି ୨୫ ଲକ୍ଷ ନାଗରିକ ଦ୍ୱିତୀୟ ଡୋଜ୍ ଟିକା ନେଇ ନାହାନ୍ତି ।

ଏବେ ବର୍ଷାଋତୁରେ କୋଭିଡ଼ ସଂକ୍ରମଣ ଆହୁରି ବଢ଼ିବାର ଆଶଙ୍କା ତିଆରି ହୋଇଛି । ଏହି କୋଭିଡ୍ ମହାମାରୀକୁ ପ୍ରତିହତ କରିବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି ଟୀକା । ତେଣୁ ଯେଉଁମାନେ ପ୍ରିକସନ ଡୋଜ୍ ନେବା ପାଇଁ ଯୋଗ୍ୟ, ସେମାନେ କାଳ ବିଳମ୍ବ ନ କରି ତୁରନ୍ତ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ଯାଇ ଡୋଜ୍ ନିଅନ୍ତୁ । ବୁଷ୍ଟର ଡୋଜ୍ ନେଇ ନ ଥିବା ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରନ୍ତୁ । ନିଜ ପରିବାର, ସମାଜ, ରାଜ୍ୟ ତଥା ଦେଶକୁ ସୁରକ୍ଷିତ ରଖନ୍ତୁ । ବୁଷ୍ଟର ଡୋଜ ନେଇ ସ୍ୱାସ୍ଥ୍ୟକର୍ମୀ ଓ ବୈଜ୍ଞାନିକଙ୍କ ପରିଶ୍ରମକୁ ଉଚିତ୍ ସମ୍ମାନ ଦେବା । କୋଭିଡ଼ ବିରୁଦ୍ଧରେ ଆମ ଲଢ଼େଇକୁ ଆହୁରି ବ୍ୟାପକ କରିବା ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବକୁ ସଗୌରବେ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ ନାଗରିକଙ୍କୁ ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.