Latest Odisha News

ବଲାଙ୍ଗୀର ରାଜନୀତିରେ ତାତି! କଂଗ୍ରେସ ନେତାଙ୍କ ଫ୍ୟାକ୍ଟ୍ରି ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବଲାଙ୍ଗୀର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ବଲାଙ୍ଗୀର ଗସ୍ତ ରାଜନୈତିକ ମହଲରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି। ରବିବାର ସେ ବଲାଙ୍ଗୀରର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଘରେ ପହଞ୍ଚିଥିଲେ। ଏହି ସାକ୍ଷାତ ପରେ ରାଜ୍ୟ ରାଜନୀତିର ପାରା ବଢ଼ିଛି।

ଧର୍ମେନ୍ଦ୍ର ପ୍ରଧାନ ନରସିଂହଙ୍କ ପୁଅ ତଥା କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ରଙ୍କ ମାଲିକାନାରେ ଥିବା ଏକ କୁକୁଡା ଫାର୍ମ କମ୍ପାନୀର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିଲେ। ଏହି କମ୍ପାନୀ ଅଣ୍ଡା ତିଆରି କରିଥାଏ । ଏହି ଅବସରରେ ସେ ସମରେନ୍ଦ୍ରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏହା ସହ ନରସିଂହ ମିଶ୍ରଙ୍କ ଦୀର୍ଘ ରାଜନୈତିକ ଯାତ୍ରା ଓ ଅବଦାନକୁ ମଧ୍ୟ ସେ ମନେପକାଇଥିଲେ।

ଏହି ସମୟରେ ନରସିଂହଙ୍କ ଦୁଇ ପୁଅ ଅମରେନ୍ଦ୍ର ଓ ସମରେନ୍ଦ୍ରଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା ହୋଇଥିଲା। ସୂଚନା ଅନୁଯାୟୀ, ବିଜେପିର ତିନି ଜଣ ବିଧାୟକ ମଧ୍ୟ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ, ଯାହା ରାଜନୈତିକ ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି।

ଏହି ଘଟଣାକୁ ନେଇ ବଲାଙ୍ଗୀରର ବରିଷ୍ଠ କଂଗ୍ରେସ ନେତା ତଥା କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂହ ସାଲୁଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି, “କେନ୍ଦ୍ରମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ, ‘ମୁଖ୍ୟ ବ୍ୟକ୍ତି ପରଦା ପଛରେ ଅଛନ୍ତି।’ ବଲାଙ୍ଗୀର ଜିଲ୍ଲାବାସୀ, ଓଡ଼ିଶାର ଜନତା ଓ କଂଗ୍ରେସ କର୍ମୀ ଜାଣିବାକୁ ଚାହୁଁଛନ୍ତି, ଏହି ପରଦା ପଛରେ କିଏ ଥିଲେ? ବିଜେପିର କେଉଁ ନେତା ଏହା ପଛରେ ଅଛନ୍ତି?”

ଅନ୍ୟପକ୍ଷରେ, ସ୍ଥାନୀୟ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ସିଧାସଳଖ ମନ୍ତବ୍ୟ ଦେବାକୁ ଅମଙ୍ଗ ରହିଥିଲେ। ସେ କେବଳ ଇଙ୍ଗିତ କରି କହିଛନ୍ତି, “ଧର୍ମେନ୍ଦ୍ରଙ୍କ ଏହା ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା, ବିଜେପିର ନୁହେଁ। ତେବେ ଏହି ଗସ୍ତ ନିଶ୍ଚିତ ଭାବେ ଚର୍ଚ୍ଚାର ବିଷୟ ହୋଇଛି, କାରଣ ଲୋକେ ଏହାକୁ ସାଧାରଣ ଭାବେ ଗ୍ରହଣ କରି ପାରୁନାହିଁ।” ସେ ଆହୁରି କହିଛନ୍ତି, “କଂଗ୍ରେସ ଭିତରେ ଏକାଧିକ ଅଭିଯୋଗର ଆରମ୍ଭ ହୋଇଛି। ଆଗକୁ କ’ଣ ହେବ, ତାହା ଦେଖିବାକୁ ବାକି ରହିଲା।”

ଏହି ଚର୍ଚ୍ଚାର ଜବାବରେ ସମରେନ୍ଦ୍ର ମିଶ୍ର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “ଲୋକଙ୍କ ଧାରଣା ଆମ ନିୟନ୍ତ୍ରଣରେ ନାହିଁ। କିନ୍ତୁ ଆମେ ବିଜେପିରେ ଯୋଗ ଦେଉଛୁ ବୋଲି ଯେ କୌଣସି ଚର୍ଚ୍ଚା ଚାଲିଛି, ତାହା ସମ୍ପୂର୍ଣ୍ଣ ମିଛ।” ସେ ଆହୁରି କହିଛନ୍ତି, “ବ୍ୟକ୍ତିଗତ ଓ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟରେ ପାର୍ଥକ୍ୟ ବୁଝିବା ଦରକାର। କ’ଣ ରାଜନୈତିକ ନେତାଙ୍କ ବିବାହ ଉତ୍ସବରେ କେହି ଯାଆନ୍ତି ନାହିଁ? ଧର୍ମେନ୍ଦ୍ରଙ୍କ ବାପାଙ୍କ ବିୟୋଗ ସମୟରେ ଓଡ଼ିଶା କଂଗ୍ରେସ ମୁଖ୍ୟ ଭକ୍ତ ଚରଣ ଦାସ ତାଙ୍କ ଘରକୁ ଯାଇ ନ ଥିଲେ? ତେଣୁ ଏଥିରେ ଅଧିକ ଚିନ୍ତା କରିବାର କିଛି ନାହିଁ।”

ସମରେନ୍ଦ୍ର ଆହୁରି ଜଣାଇଛନ୍ତି, “କେନ୍ଦ୍ରମନ୍ତ୍ରୀ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଥିଲେ। ଆମେ ତାଙ୍କୁ ଆମ ଅନୁଷ୍ଠାନର ଉଦ୍‌ଘାଟନୀ ପାଇଁ ନିମନ୍ତ୍ରଣ କରିଥିଲୁ, ତେଣୁ ସେ ଆସିଥିଲେ। ଏଥିରେ କୌଣସି ସନ୍ଦେହର ଆବଶ୍ୟକତା ନାହିଁ।”

ଏହି ଘଟଣା ସମ୍ପର୍କରେ ଧର୍ମେନ୍ଦ୍ର ପ୍ରଧାନ ଏ ପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାନ୍ତି।

Comments are closed.