Latest Odisha News

BREAKING NEWS

ସାଙ୍କେତିକ ଭାଷା ହେବ ସୁଦୃଢ, ପିଏମ ଇ-ବିଦ୍ୟା ଡିଟିଏଚ ଚ୍ୟାନେଲ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ବଧିର ପିଲାଙ୍କ ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ, ଶ୍ରେଣୀ ଭିତ୍ତିକ ପାଠ୍ୟଖସଡା ତଥା ଯୋଗାଯୋଗ ଦକ୍ଷତା କ୍ଷେତ୍ରରେ ହେବେ ସୁଦୃଢ। ଏହି ଲକ୍ଷ୍ୟରେ ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭାରତୀୟ ସାଙ୍କେତିକ ଭାଷା(ଆଇଏସଏଲ) ପାଇଁ ପିଏମ ଇ-ବିଦ୍ୟା ଡିଟିଏଚ ୨୪ ଘଣ୍ଟିଆ ଚ୍ୟାନେଲ ଶୁଭାରମ୍ଭ କରିଛନ୍ତି। ଏହି ଡିଟିଏଚ ଚ୍ୟାନେଲ ନମ୍ବର-୩୧ ରହିଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜାତୀୟ ଶିକ୍ଷା ନୀତି ସ୍ୱତନ୍ତ୍ର ଆବଶ୍ୟକତା କରୁଥିବା ପିଲାମାନଙ୍କ ଶିକ୍ଷାକୁ ବିଶେଷ ପ୍ରାଥମିକତା ଦେଇଛି । ଯୋଗାଯୋଗ ପାଇଁ ଶବ୍ଦ ଏକମାତ୍ର ମାଧ୍ୟମ ନୁହେଁ, ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବାରେ ବିକଳ୍ପ ରୂପ ତଥା ସାଙ୍କେତିକ ଭାଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭାରତରେ ଶ୍ରବଣହୀନ ଜନସଂଖ୍ୟାକୁ ସମର୍ଥନ କରିବା ପାଇଁ ଅଧିକରୁ ଅଧିକ ଲୋକ ଭାରତୀୟ ସାଙ୍କେତିକ ଭାଷା  ଶିଖିବାର ପରିକଳ୍ପନା କରି ଏହାକୁ ବିଶ୍ୱସ୍ତରୀୟ ମାନଦଣ୍ଡରେ ବିକଶିତ କରିବା ଦରକାର । ଏହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଶୁଭାରମ୍ଭ ହୋଇଥିବା ଚ୍ୟାନେଲ ୩୧କୁ  ଲୋକପ୍ରିୟ କରିବା ଏବଂ ଭାରତୀୟ ସଂକେତିକ ଭାଷା ପାଇଁ ସମଗ୍ର ଭାରତରେ ଏହାର ଉପଲବ୍ଧି କରିବାକୁ ସେ ଷ୍ଟେକହୋଲଡରମାନଙ୍କୁ ନିବେଦନ କରିଛନ୍ତି । ଭାରତୀୟ ସାଙ୍କେତିକ ଭାଷା ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥାପିତ କରିବା, ବୃହତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଭାରତକୁ ଅଧିକ ସମାବେଶୀ ଭବିଷ୍ୟତ ଆଡକୁ ନେବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ବଧିର ପିଲାଙ୍କୁ ଏକ ଶୈକ୍ଷିକ ବାତାବରଣ ଦେବା ଲାଗି ଭାରତୀୟ ସାଙ୍କେତିକ ଭାଷାକୁ ଉନ୍ନତ କରାଯାଉଛି। ଜାତୀୟ ଶିକ୍ଷା ନୀତି ଅନୁସାରେ ଭାରତୀୟ ସାଙ୍କେତିକ ଭାଷା ବା ଆଇଏସଏଲକୁ ସାରା ଦେଶରେ ପ୍ରଚଳନ କରାଯିବ। ବଧିର ପିଲାଙ୍କ ପଢିବା ଲାଗି ବି କେନ୍ଦ୍ର ଓ ରାଜ୍ୟ ପାଠ୍ୟ ଖସଡାରେ ବିଭିନ୍ନ ଉପକରଣ ସାମିଲ କରାଯାଇଛି । ଭାରତୀୟ ସାଙ୍କେତିକ ଭାଷା ବା ଆଇଏସଏଲକୁ ବିଦ୍ୟାଳୟର ଏକ ଭାଷାଭିତ୍ତିକ ପାଠ୍ୟକ୍ରମ ଭାବରେ ସାମିଲ କରିବାକୁ ଲକ୍ଷ୍ୟ ରଖି ଏହି ପିଏମ ଇ-ବିଦ୍ୟା ଚ୍ୟାନେଲ ଲୋକାର୍ପଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ସମେତ ବହୁ ସଂଖ୍ୟାରେ ବଧିର ପିଲା, ସ୍ୱତନ୍ତ୍ର ପ୍ରଶିକ୍ଷକ, ଆଏସଏଲ ସ୍ୱୀକୃତିପ୍ରାପ୍ତ ବ୍ୟାଖ୍ୟାକାର ଓ ଅନେକ ବଧିର ଅନୁଷ୍ଠାନର ପଦାଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.