ନୂଆଦିଲ୍ଲୀ: ମୋଦି ସାଂଜ୍ଞାକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଏବେ ରାଜନୀତି ସରଗମର ହୋଇପଡିଛି । କୋର୍ଟଙ୍କ ଦଣ୍ଡାଦେଶ ପରେ ରାହୁଲଙ୍କ ସଦସ୍ୟତା ରଦ୍ଦ ହେବା ପରେ ସରକାରୀ ବାସଭବନ ଛାଡିବା ପାଇଁ ବି ନୋଟିସ ଦିଆଯାଇଛି । ଅନ୍ୟପକ୍ଷେ ରାହୁଲଙ୍କ ସମର୍ଥନରେ ଏକଜୁଟ ହୋଇଛନ୍ତି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ।
ରାହୁଲଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ବିଜେପିର ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଗତକାଲି ସଂସଦରେ କଳାପୋଷାକ ପିନ୍ଧି ପ୍ରତିବାଦ ଜଣାଇଥିଲେ । ସାରା ଦେଶରେ ରାହୁଲଙ୍କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ କେନ୍ଦ୍ର ସଂଖ୍ୟାଲଘୁ ସଂପ୍ରଦାୟ ମନ୍ତ୍ରୀ ସ୍ମୃତି ଇରାନୀ ଏକ ପ୍ରେସ ମିଟ କରି ରାହୁଲଙ୍କ କଡା ସମାଲୋଚନା କରିଛନ୍ତି ।
ସ୍ମୃତି କହିଛନ୍ତି, ମୋଦିଙ୍କୁ ଟାର୍ଗେଟ କରିଥିଲେ ଗାନ୍ଧି । ମୋଦିଙ୍କ ଶକ୍ତି ହେଉଛି ତାଙ୍କର ଇମେଜ । ରାହୁଲ ୪ ମେ’ ୨୦୧୯ରେ ଏକ ମାଗାଜିନ ସାକ୍ଷାତକାରରେ କହିଥିଲେ, ମୁଁ ମୋଦିଙ୍କ ଇମେଜକୁ ନଷ୍ଟ କରିବା ପାଇଁ ସେତେବେଳ ଯାଏ ଚେଷ୍ଟା କରିବି ଯେତେବେଳ ଯାଏ ଏହା ଭୂଲୁଣ୍ଠିତ ହୋଇନାହିଁ । ତେଣୁ ସେ ଦେଶରୁ ବିଦେଶ ସବୁଆଡେ ବୁଲି ବୁଲି ମୋଦିଙ୍କ ଅପବାଦ କରୁଛନ୍ତି ବୋଲି ସ୍ମୃତି ଇରାନୀ କହିଥିଲେ ।
ସ୍ମୃତି ଇରାନୀ କହିଛନ୍ତି, ମୋଦିଙ୍କ ଉପରେ କଂଗ୍ରସର ଆକ୍ରମଣ ନୂଆ ନୁହେଁ । ଏହା ପୂର୍ବରୁ ମଧ୍ୟ କଂଗ୍ରେସ କ୍ଷମତାରେ ଥିବାବେଳେ ମୋଦିଙ୍କୁ ଏପରି ଧମକ ଦେଉଥିଲା । ହେଲେ ଲୋକଙ୍କ ଭଲପାଇବା ପାଖରେ ଏହା କିଛି କାମ କଲାନି ।
ଇଂଲଣ୍ଡ ଗସ୍ତ ସମୟରେ ବିଦେଶ ମାଟିରେ ରାହୁଲ ମୋଦିଙ୍କ ଅପମାନ କରିବାକୁ ପଛାଇଲେ ନାହିଁ । ମୋଦିଙ୍କ ଅପମାନ କରୁ କରୁ ରାହୁଲ ଗାନ୍ଧି ଓବିସି ସମୁଦାୟର ବଦନାମ କରିବାକୁ ଲାଗିଲେ । ସ୍ମୃତି ଇରାନୀ କହିଥିଲେ, ଏପରି କରିବା ଗାନ୍ଧି ପରିବାର ପାଇଁ ପ୍ରଥମ ନୁହେଁ । ଏପରିକି ରାଷ୍ଟ୍ରକୁ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ସଂପ୍ରଦାୟର ମହିଳାଙ୍କୁ ରାଷ୍ଟ୍ରପତି ପଦ ପାଇଁ ଯେତେବେଳେ ମନୋନୀତ କରାଗଲା ସେତେବେଳେ କଂଗ୍ରେସ ନେତୃତ୍ୱରେ ମହାମହିମଙ୍କୁ ଅପମାନିତ କରାଗଲା ।
ରାହୁଲ ଗାନ୍ଧୀ ମୋଦିଙ୍କୁ ବିଦେଶରେ, ଦେଶରେ ଏପରିକି ସଂସଦ ଭବନରେ ମଧ୍ୟ ଅପମାନିତ କରିଛନ୍ତି । ଏପରିକି ସଂସଦରେ ମୋଦିଙ୍କ ବିରୋଧରେ ମିଛ ବୟାନ ଦେଇଥିଲେ ଯାହାର ପ୍ରମାଣ ଦେଇ ପାରି ନ ଥିଲେ ରାହୁଲ । ତେଣୁ ରାହୁଲ ବାରମ୍ବାର ମିଛି କହୁଛନ୍ତି ବୋଲି କହି ତାଙ୍କୁ ତୀବ୍ର କଟାକ୍ଷ କରିଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ।
Comments are closed.