Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

ଭୁବନେଶ୍ୱର: ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବା ଗଣମାଧ୍ୟମରୁ ଜାଣିବାକୁ ପାଇଲି। ବୈଠକରେ ସୀମା, ଭାଷା ଓ ଜଳ ବିବାଦ ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ। ଏହି ଦୃଷ୍ଟିରୁ ବୈଠକ ଗୁରୁତ୍ୱପୂର୍ଣ୍ଣ ରହିଛି।

ଗତ ସେପ୍ଟେମ୍ବର ୨୨ରେ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ସୀମା ବିବାଦ ଏବଂ ଗତ ଅକ୍ଟୋବର ୧ରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ପତ୍ର ଲେଖିଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୀମା ବିବାଦ ବିଷୟରେ ଅବଗତ କରାଇଥିଲେ। ଗଣତନ୍ତ୍ରରେ ଆପୋଷ ବୁଝାମଣା ଏବଂ ଆଲୋଚନା ମାଧ୍ୟମରେ ଅନେକ ବିବାଦର ସମାଧାନ ହୋଇପାରିଛି। ଦୁଇ ରାଜ୍ୟ ମଧ୍ୟରେ ସର୍ବୋଚ୍ଚ ରାଜନୈତିକ ସ୍ତରରେ ହେଉଥିବା ଆଲୋଚନା ମାଧ୍ୟମରେ ସୀମା, ଭାଷା ଓ ଜଳ ବିବାଦର ଆପୋଷ ସମାଧାନର ବାଟ ବାହାରିବ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

୨୦୧୮ ଏପ୍ରିଲ ୯ତାରିଖରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ କୋଟିଆ ଗ୍ରାମର ଲୋକମାନଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ। ସେହି ସମୟରେ ମଧ୍ୟ ରାଜ୍ୟ ସରକାରଙ୍କୁ ଆପୋଷ ଆଲୋଚନା ମାଧ୍ୟମରେ ଏହି ସମସ୍ୟା ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.