Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଓଡ଼ିଶା ପହଞ୍ଚିଲେ: ପ୍ରେସମିଟରେ କଂଗ୍ରେସ ଓ ବିଜେଡ଼ିକୁ ଟାର୍ଗେଟ

ଭୁବନେଶ୍ୱର: କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଜୁବୀନ ଇରାନୀ ଭୁବନେଶ୍ୱରରେ ଏକ ଦିନିକିଆ ଗସ୍ତରେ ଆସି ପହଞ୍ଚିଛନ୍ତି ।

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ସକାଳ ୯ଟା ସମୟରେ ପହଞ୍ଚିବା ପରେ ସେ ସହିଦନଗର ସ୍ଥିତ ବୁଣାକାର ସେବାକେନ୍ଦ୍ରକୁ ଯାଇଥିଲେ ।

ପରେ ସେ ଦିନ ୧୧ଟା ବେଳେ ହୋଟେଲ ନ୍ୟୁମାରିୟନ ଯାଇ ଓଡ଼ିଶାର ଅନେକ ବୁଦ୍ଧିଜୀବିଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ ।

ତେବେ ଦିନ ୧ଟାରେ ସ୍ଥାନୀୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ଏକ ପ୍ରେସ କନଫରେନ୍ସରେ ଉଦବୋଧନ ଦେଇଥିଲେ ।

ତେବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆଜି ପ୍ରେସମିଟରେ ଟାର୍ଗେଟ କରିଛନ୍ତି ବିଜେଡ଼ି ଏବଂ କଂଗ୍ରେସ ଦଳକୁ ।

ତେବେ ଆଜି ୧୯୭୫ ମସିହାରେ ଦେଶରେ ଲାଗୁ ହୋଇଥିବା ଜରୁରୀ କାଳୀନ ପରିସ୍ଥିତି ଦିବସକୁ ବିଜେପି ସାରା ଦେଶରେ କଳା ଦିବସ ଭାବେ ପାଳନ କରୁଥିବା ଅବସରରେ ସେ ଗଣମାଧ୍ୟମକୁ ସେ ସମ୍ପର୍କରେ ସୂଚନା ଦେଇଥିଲେ ।

ଏସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି, “୪୩ ବର୍ଷ ତଳେ ସମ୍ବିଧାନର କଣ୍ଠରୋଧ କରାଯାଇ ରାତି ଅଧିଆ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା । ଫଳରେ ଗଣତାନ୍ତ୍ରୀକ ଦେଶରେ ଲୋକେ ଏକାଠି ଛିଡ଼ା ହୋଇପାରୁନଥିଲେ । ପରସ୍ପର ସହିତ ଆଲୋଚନା କରିପାରିନଥିଲେ । ଏକଛତ୍ରବାଦ ଶାସନ ଯୋଗୁଁ ସମଗ୍ର ଦେଶବାସୀ ଅତିଷ୍ଠ ହୋଇପଡ଼ିଥିଲେ । ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରୁଥିବା ନେତାମାନଙ୍କୁ ଅକଥନୀୟ ଯନ୍ତ୍ରଣା ଦେଇ ଜେଲକୁ ପଠାଇ ଦିଆଯାଇଥିଲା । ଏହି କଳା କାହାଣୀକୁ ସ୍ମରଣ କରିବା ପୂର୍ବକ ବିଜେପି ଆଜି ସାରା ଦେଶରେ ଏହି ଦିବସଟିକୁ କଳା ଦିବସ ରୂପେ ପାଳନ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗଣମାଧ୍ୟମକୁ କହିଛନ୍ତି” ।

ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ସ୍ମୃତି ଇରାନି କହିଛନ୍ତି, “ଓଡ଼ିଶାବାସୀ ଏବେ ବିଜେପି ପ୍ରତି ବେଶ୍ ଆକୃଷ୍ଟ ହେଉଛନ୍ତି । ଧିରେ ଧିରେ ବିଜେପି ପ୍ରତି ଲୋକଙ୍କ ସମର୍ଥନ ବଢୁଛି । ଏଣୁ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଆକଳନ ଠିକ ହେବା ସହିତ ବିଜେପିର ମିଶନ-୧୨୦ ସଫଳ ହେବ” ବୋଲି କହିଛନ୍ତି ଶ୍ରୀମତୀ ଇରାନୀ ।

ତେବେ ବିଜେପିର କେତେକ ଦଳୀୟ କାର୍ଯ୍ୟକ୍ରମ ଏବଂ ‘ସମ୍ପର୍କ ପାଇଁ ସମର୍ଥନ’ କାର୍ଯ୍ୟକ୍ରମରେ ଯୋଗଦେଇ ନୂଆଦିଲ୍ଲୀ ଫେରିଯିବେ ।

Leave A Reply

Your email address will not be published.