Latest Odisha News

BREAKING NEWS

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଖ୍ୟାତ ଗାୟିକା ବାଣୀ ଜୟରାମଙ୍କ ଶେଷକୃତ୍ୟ ସମ୍ପନ୍ନ

ଚେନ୍ନାଇ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଖ୍ୟାତ ଗାୟିକା ବାଣୀ ଜୟରାମଙ୍କ ଶେଷକୃତ୍ୟ ସମ୍ପନ୍ନ। ଚେନ୍ନାଇର ବସନ୍ତ ନଗର ଶ୍ମାଶାନରେ ଇଲେକ୍ଟ୍ରିକ ଚୁଲାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପଞ୍ଚଭୂତରେ ଲୀନ ହୋଇଛନ୍ତି ସ୍ୱରର ରାଣୀ ବାଣୀ।

ଗତକାଲି ଚେନ୍ନାଇର ନୁଙ୍ଗବକ୍କମରେ ଥିବା ବାସଭବନରେ ବାଣୀଙ୍କର ପରଲୋକ ହୋଇଥିଲା। ଆହତ ଅବସ୍ଥାରେ ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଶନିବାର ଅପରାହ୍ନରେ ତାଙ୍କ ଘରୋଇ ସେବକ ବାଣୀଙ୍କ ଘରେ ପହଞ୍ଚି କଲିଂ ବେଲ୍ ମାରିଥିଲେ ବି ସେ ଖୋଲି ନଥିଲେ। ଡାକିଲେ ବି ଶୁଣି ନଥିଲେ।  ଶେଷରେ ବାଣୀଙ୍କ ଭଉଣୀ କବାଟ ଖୋଲି ଦେଖିବାରୁ ବାଣୀ ଅଚେତ ହୋଇ ତଳେ ପଡ଼ିଥିଲେ। ତାଙ୍କ କପାଳର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା। ମୃତଦେହ ଉଦ୍ଧାର କରି ପୁଲିସ ଘଟଣାରେ ମାମଲା ରୁଜୁ କରିଛି।

ବାଣୀଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ବଡ଼ ବଡ଼ ସିନେ ତରକା ଓ ସଂଗୀତଜ୍ଞ ବାଣୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ମଧ୍ୟକ ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି।

ସୂଚନା ଥାଉକି ବାଣୀ ଜୟରାମ ନିଜ କ୍ୟାରିୟରରେ ୧୦ ହଜାରରୁ ଅଧିକ ଗୀତ ରେକର୍ଡିଂ କରିଛନ୍ତି। ସେ ହିନ୍ଦୀ, ଓଡ଼ିଆ, ତାମିଲ ଓ ତେଲଗୁ ଆଦି ୧୯ଟି ଭାଷାରେ ଗୀତ ଗାଇଛନ୍ତି। ଜାନୁଆରୀ ୨୫ ତାରିଖରେ କେନ୍ଦ୍ର ସରକାର ବାଣୀଙ୍କ ନାଁ ପଦ୍ମ ଭୂଷଣ ସମ୍ମାନ ପାଇଁ ଘୋଷଣା କରିଥିଲେ। ହେଲେ ପୁରସ୍କାର ଗ୍ରହଣ କରିବା ପୂର୍ବରୁ ଶନିବାର ତାଙ୍କର ବିୟୋଗ ହୋଇଯାଇଛି।

କହି ରଖୁଛୁ ଯେ ବାଣୀଙ୍କ ସ୍ୱାମୀ ଟିଏସ୍ ଜୟରାମଙ୍କର ୨୦୧୮ରେ ବିୟୋଗ ହୋଇଥିଲା। ଏହାପରେ ବାଣୀ ଚେନ୍ନାଇ ସ୍ଥିତ ବାସଭବନରେ ଏକା ରହୁଥିଲେ।

 

Leave A Reply

Your email address will not be published.