ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ମାମଲାରେ ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକଙ୍କୁ ଗୋପାଳପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ଗତ ମେ’ ୨୧ତାରିଖ ଦିନ ଯାଜପୁର ଜିଲ୍ଲା ବାସିନ୍ଦା ତଥା ଓଡିଆ ବିଭାଗର ଦ୍ବିତୀୟ ବର୍ଷ ଛାତ୍ରୀଙ୍କୁ କିଛି ବହି ଦେବା ସହ ପାଠପଢା ବାବଦରେ ଆଲୋଚନା ପାଇଁ ସନ୍ଧ୍ୟା ୪ଟା ୩୦ସମୟରେ ପ୍ରଫେସର ନାୟକ ରହୁଥିବା କ୍ୱାର୍ଟରକୁ ଡାକିଥିଲେ। ଛାତ୍ରୀ ଜଣକ ସାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାଇଥିଲେ । କିନ୍ତୁ କିଛି ସମୟ ପରେ ପ୍ରଫେସର ନାୟକ ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଛାତ୍ରୀ।
ତେବେ ଛାତ୍ରୀ ଜଣଙ୍କ କୌଶଳ କ୍ରମେ ସେଠାରୁ ପଳାଇ ଆସିବାକୁ ସକ୍ଷମ ହୋଇଥିଲେ। ପରେ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ନଜଣାଇ କିଛି ଦିନ ହେଲା ମାନସିକ ଚାପରେ ରହୁଥିଲେ। ପରେ ପରିବାର ଲୋକଙ୍କୁ ଏ ବାବଦରେ ଜଣାଇ ଗୁରୁବାର ଗୋପାଳପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।
ପରେ ପୁଲିସ କେସ ନଂ ୧୨୪/୨୨ରେ ଏକ ମାମଲା ରୁଜୁ କରି ପ୍ରଫେସର ନାୟକଙ୍କୁ ପଚରାଉଚରା କରିଥିଲେ । ପଚରାଉଚରା ବେଳେ ଡ଼ିଏସପି କଳ୍ପନା କହଁର ଏବଂ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ତଦନ୍ତ କରିଥିଲେ । ତଦନ୍ତ ପରେ ପୁଲିସ ଅସଦାଚରଣ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରଫେସର ସଦାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରି ସୂଚନା ଦେଇଛନ୍ତି । ଏହିଭଳି ଘଟଣା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ବୋଲି ଜଣାପଡିଛି।
ଅପରପକ୍ଷେ ପ୍ରଫେସର ନାୟକଙ୍କୁ ବୁଧବାର ରାତିରେ ଦୁଇଜଣ ଛାତ୍ର ତାଙ୍କ କ୍ବାର୍ଟରରେ ପଶି ଆକ୍ରମଣ କରିଥିଲେ । ଉପରୋକ୍ତ ଘଟଣାକୁ ନେଇ ଛାତ୍ର ଦ୍ୱୟ ପ୍ରଫେସର ନାୟକଙ୍କୁ ଆକ୍ରମଣ କରିଥିବା କୁହାଯାଉଛି । ସେ ଏନେଇ ଗୋପାଳପୁର ଥାନାରେ ଏକ ଏତଲା ଦେଇଥିଲେ । ପୁଲିସ ଏହି ଅଭିଯୋଗରେ ଭିତ୍ତିକରି ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଶେଷ ବର୍ଷର ଦୁଇ ଛାତ୍ର ଦିନେଶ ପାଢ଼ୀ ଓ ହୃଷିକେଶ ବାଡତିୟାଙ୍କୁ ଗିରଫ କରିଛି ।
Comments are closed.