ନୂଆଦିଲ୍ଲୀ: ଆମେରିକାର ଆକ୍ରମଣ ପରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ କରିବାକୁ ନିଷ୍ପତି ନେଇଛି ଇରାନ। ଯାହାଦ୍ବାରା ବିଶ୍ଵ ବାଣିଜ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।
ତେବେ ଏହି ନିଷ୍ପତ୍ତିରୁ ଇରାନ କିଭଳି ଓହରିବ, ସେଥିପାଇଁ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଚୀନକୁ ଅପିଲ କରିଛନ୍ତି। ନିକଟରେ ଇରାନର ସରକାରୀ ପ୍ରେସ୍ ଟିଭିରେ ସଂସଦ ଷ୍ଟ୍ରେଟ୍ ବନ୍ଦ କରିବା ପାଇଁ ଏକ ଯୋଜନାକୁ ଅନୁମୋଦନ କରିଛି କିନ୍ତୁ ଏହା ସହିତ ଚୂଡ଼ାନ୍ତ ନିଷ୍ପତ୍ତି ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ପାଖରେ ଥିବା ଖବର ପ୍ରକାଶିତ ହୋଇଥିଲା। ଯାହାପରେ ଆମେରିକାର ମନ୍ତବ୍ୟ ଆସିଛି। ତୈଳ ଯୋଗାଣରେ ଯେକୌଣସି ବାଧା ସୃଷ୍ଟି ହେଲେ ଅର୍ଥନୀତି ପାଇଁ ଗଭୀର ପରିଣାମ ପଡ଼ିବ। ବିଶେଷକରି ଚୀନ୍ ହେଉଛି ବିଶ୍ୱର ସବୁଠାରୁ ବଡ଼ ଇରାନୀ ତୈଳ କ୍ରେତା ଏବଂ ତେହେରାନ ସହିତ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି ବୋଲି ଆମେରିକା କହିଛି।
ଉଲ୍ଲେଖଯୋଗ୍ୟ, ଯଦି ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ଦୀର୍ଘ ସମୟ ବନ୍ଦ ହୋଇଯାଏ ତେବେ ଏହାର ପ୍ରଭାବ କେବଳ ଇସ୍ରାଏଲ ଉପରେ ପଡ଼ିବ ନାହିଁ ବରଂ ସମଗ୍ର ବିଶ୍ୱ ଏହାର ପରିଣାମ ଭୋଗ କରିବ।ଇରାନ ଯେଉଁ ରାସ୍ତାକୁ ବନ୍ଦ କରିବା କଥା କହୁଛି, ତାହା ବିଶ୍ୱର ୨୦ ପ୍ରତିଶତ ତୈଳ ଏବଂ ଗ୍ୟାସ ଯୋଗାଣ କରେ।
ହରମୁଜ୍ ଷ୍ଟ୍ରେଟ୍ ଇରାନ ଏବଂ ଓମାନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଂକୀର୍ଣ୍ଣ ଜଳପଥ ଏବଂ ଏହା ପାରସ୍ୟ ଉପସାଗରକୁ ଓମାନ ଉପସାଗର ଏବଂ ଆରବ ସାଗର ସହିତ ସଂଯୋଗ କରେ। ଆମେରିକାର ଶକ୍ତି ସୂଚନା ପ୍ରଶାସନ ଏହାକୁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ଚେକ୍ ପଏଣ୍ଟ ବୋଲି ବିବେଚନା କରିଥାଏ। ବିଶ୍ୱ ତରଳ ପେଟ୍ରୋଲିୟମ୍ ଇନ୍ଧନ ବ୍ୟବହାର ଏବଂ ବିଶ୍ୱ ତରଳ ପ୍ରାକୃତିକ ଗ୍ୟାସ୍ (ଏଲଏନଜି) ବାଣିଜ୍ୟର ପ୍ରାୟ ଏକ ପଞ୍ଚମାଂଶ ଏହା ଦେଇ ଗତି କରିଥାଏ।
Comments are closed.