Latest Odisha News

BREAKING NEWS

Trump Tariffs Backfire: ଟାରିଫ୍ ଜାଲରେ ଫସିଲେଣି ଟ୍ରମ୍ପ୍!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ବିଛେଇଥିବା ଜାଲରେ ଏବେ ପଡିଛନ୍ତି । ଅନ୍ୟ ଦେଶରେ ଉପରେ ଲାଗୁ କରିଥିବା ଶୁଳ୍କ, ଏବେ ତାଙ୍କୁ ଭାରି ପଡିବା ଆରମ୍ଭ କଲାଣି । ଯାହାକୁ ନେଇ ଏବେ ଟ୍ରମ୍ପ ପ୍ରଶାସନ ଚିନ୍ତାରେ ଥିବା ବେଳେ ନରମିଲେଣି ଟ୍ରମ୍ପ । ଭାରତ ପ୍ରତି ରୁକ୍ଷ ସ୍ବରକୁ ଏବେ ପରିବର୍ତ୍ତନ କରିଛନ୍ତି । ବାରମ୍ବାର ଭାରତକୁ ଧମକ ଦେଉଥିବା ସ୍ବର, ଏବେ ମୋଦି ମୋର ଭଲ ବନ୍ଧୁ ଏବଂ ସବୁବେଳେ ରହିବେ ବୋଲି ଶୁଭିଲାଣି ।  ତେବେ ପୂର୍ବରୁ ଭାରତ ଉପରେ ୫୦% ଟାରିଫ୍ ଲଗାଇବା ସହିତ ଅନେକ ଧମକ ଦେଇଥିଲେ ଟ୍ରମ୍ପ ।

ଟ୍ରମ୍ପଙ୍କୁ ଭାରୀ ପଡିଛି ଶୁଳ୍କ ନୀତି

ରାଷ୍ଟ୍ରପତି ଟ୍ରମ୍ପଙ୍କ ଶୁଳ୍କ ନୀତି ଏବେ ଓଲଟା ପ୍ରଭାବ ପକାଇବା ଆରମ୍ଭ କରିଛି । ଯାହା ଏବେ ଆମେରିକାରେ ବେକାରୀ ସଂଖ୍ୟା ବୃଦ୍ଧି କରିବା ସହିତ, ମୁଦ୍ରାସ୍ଫୀତିକୁ ବି ବଢାଇଛି । ଏହା ଏବେ ଟ୍ରମ୍ପ ପ୍ରଶାସନର ଚିନ୍ତା ବଢାଇଛି । ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି କ୍ଷମତାକୁ ଆସିବା ପରଠାରୁ ୭ ମାସ ମଧ୍ୟରେ ନିଯୁକ୍ତି ବଜାରର ଅବସ୍ଥା ଦୁର୍ବଳ ହୋଇଛି। ନୂତନ ନିଯୁକ୍ତି ସୃଷ୍ଟି ପ୍ରାୟ ବନ୍ଦ ହୋଇଥିବା ବେଳେ ବେକାରୀ ହାର ୪.୩ % ରେ ପହଞ୍ଚିଛି । ଯାହା ଗତ ୪ ବର୍ଷ ମଧ୍ୟରେ ସର୍ବାଧିକ। ଯାହା ଏବେ ଆମେରିକା ଅର୍ଥନୀତିର ଗତିକୁ ମନ୍ଥର କରିଛି । ଅନ୍ୟପଟେ ଟ୍ରମ୍ପ୍ ପ୍ରଥମ ଦିନରୁ ମୁଦ୍ରାସ୍ଫୀତି ଶେଷ କରିବା ଏବଂ ବିଦ୍ୟୁତ୍ ମୂଲ୍ୟକୁ ଅଧା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏପ୍ରିଲରେ ବାର୍ଷିକ ମୁଦ୍ରାସ୍ଫୀତି ହାର ୨.୩ ପ୍ରତିଶତ ଥିବା ବେଳେ ଜୁଲାଇରେ ଏହା ୨.୭ ପ୍ରତିଶତକୁ ବୃଦ୍ଧି ପାଇଛି । ଏଥିସହିତ ଏହି ବର୍ଷ ବିଦ୍ୟୁତ୍ ମୂଲ୍ୟ ମଧ୍ୟ ୪.୬ ପ୍ରତିଶତ ବୃଦ୍ଧି ପାଇଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରୋଗ୍ରେସିଭ୍ ସେନେଟର୍ ଏଲିଜାବେଥ୍ ୱାରେନ୍ କହିଛନ୍ତି, ଟ୍ରମ୍ପଙ୍କ ନୀତି ଚାକିରି ବଜାରକୁ ନଷ୍ଟ କରୁଛି । ଡେମୋକ୍ରାଟ୍ ସେନେଟର୍ ଚକ୍ ସ୍କୁମର କହିଛନ୍ତି, ଟ୍ରମ୍ପଙ୍କ ଟାରିଫ୍ ଏବଂ ଅସ୍ଥିର ନୀତି ଅର୍ଥନୀତିକୁ କ୍ଷତି ପହଞ୍ଚାଉଛି। ଏହା ଏକ ଚେତାବନୀ ଯେ ଟ୍ରମ୍ପ ଆମ ଅର୍ଥନୀତିକୁ ନଷ୍ଟ କରୁଛନ୍ତି ।

ବେକାରୀ ବଢାଇଛି ଟ୍ରମ୍ପଙ୍କ ଟାରିଫ୍ ନୀତି

ଜୁନ୍ ମାସରେ ଆମେରିକାରେ ୧୩୦୦୦ ଚାକିରି ହରାଇଛି, ଯାହା ଡିସେମ୍ବର ୨୦୨୦ ପରେ ପ୍ରଥମ ମାସିକ ହ୍ରାସ । କାରଖାନା ଏବଂ ନିର୍ମାଣ କ୍ଷେତ୍ରରେ ଚାକିରି ହ୍ରାସ ଦେଖାଯାଇଛି। ଏପ୍ରିଲରେ, ଟ୍ରମ୍ପ କହିଥିଲେ ଯେ ତାଙ୍କ ଟାରିଫ୍ ନୀତି ଚାକିରି ଏବଂ କାରଖାନା ଫେରାଇ ଆଣିବ, କିନ୍ତୁ ସେବେଠାରୁ ଉତ୍ପାଦନ କ୍ଷେତ୍ରରେ ୪୨୦୦୦ ଏବଂ ନିର୍ମାଣ କ୍ଷେତ୍ରରେ ୮୦୦୦ ଚାକିରି ହରାଇଛି ଆମେରିକା । ଟ୍ରମ୍ପ ୨୦୨୪ ମସିହାରେ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ନୀତି ଅର୍ଥନୀତିକୁ ନୂତନ ଉଚ୍ଚତାକୁ ନେଇଯିବ। କିନ୍ତୁ ବାସ୍ତବରେ ଅର୍ଥନୀତି ମନ୍ଥର ହେଉଛି। ଟ୍ରମ୍ପ ଦାବି କରିଥିଲେ ଯେ ତେଲ ସମୃଦ୍ଧ ହେବ, ଏହାକୁ ତରଳ ସୁନା ବୋଲି କହିଥିଲେ । କିନ୍ତୁ ତେଲ ଏବଂ ଗ୍ୟାସ କ୍ଷେତ୍ରରେ ମଧ୍ୟ ୧୨୦୦୦ ଚାକିରି ହରାଇଛି ଦେଶ । ସେହିପରି ଶାସନ ଭାର ଗ୍ରହଣ କରିବା ବେଳେ ଟ୍ରମ୍ପ କହିଥିଲେ ଯେ ଅବୈଧ ପ୍ରବାସୀମାନଙ୍କୁ ବାହାର କରିବା ଦ୍ୱାରା କଳା ଚାକିରି ସୁରକ୍ଷିତ ରହିବ, କିନ୍ତୁ କଳା ସମ୍ପ୍ରଦାୟର ବେକାରୀ ହାର ୭.୫ ପ୍ରତିଶତରେ ପହଞ୍ଚିଛି, ଯାହା ଅକ୍ଟୋବର ୨୦୨୧ ପରଠାରୁ ସର୍ବାଧିକ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ତାଙ୍କର ପ୍ରବାସ ନୀତି ମଧ୍ୟ ଶ୍ରମିକ ଅଭାବକୁ ଆହୁରି ବୃଦ୍ଧି କରିଛି, ଯାହା ଚାକିରି ବଜାରକୁ ଖରାପ ଭାବରେ ପ୍ରଭାବିତ କରିଛି । ଯାହାକୁ ଭାରତ ଏବଂ ଅନ୍ୟ ଦେଶ ଉପରେ କଠୋର ଟାରିଫର ପ୍ରଭାବ ବୋଲି ଦର୍ଶାଇଛନ୍ତି ବିଶେଷଜ୍ଞ ।

ନରମିଲେଣି ଟ୍ରମ୍ପ

ଟ୍ରମ୍ପଙ୍କ ଶୁଳ୍କ ନୀତି ଏବେ ଆମେରିକା ଉପରେ ଭାରୀ ପଡିବା ଏବଂ ଟ୍ରମ୍ପଙ୍କୁ ପଛରେ ଛାଡି ବିଶ୍ବ ନେତାମାନେ ନୂଆ ଆଲାଏନ୍ସ କରିବା ଏବେ ଟ୍ରମ୍ପଙ୍କ ମନୋବଳକୁ ଦୁର୍ବଳ କରିଥିବା କୁହାଯାଇଛି । ଯାହାକୁ ନେଇ ଏବେ ସ୍ବର ନରମେଇଲେଣି ରାଷ୍ଟ୍ରପତି ଟ୍ରମ୍ପ । ଟ୍ରୁଥ୍ ସୋସିଆଲରେ ଏବେ ଭାରତ ଏବଂ ରୁଷ ଭଳି ରାଷ୍ଟ୍ରଙ୍କୁ ନେଇ ବୟାନ ବଦଳେଇଲେଣି । ଶୁଳ୍କ ବିବାଦ ମଧ୍ୟରେ ପ୍ରଥମେ ଟ୍ରମ୍ପ ଚୀନ ହାତରେ ଭାରତ ଏବଂ ରୁଷକୁ ହରାଇଦେଇଥିବା ମନ୍ତବ୍ୟ ଦେଇଥିଲେ । ସମ୍ପ୍ରତି ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହାନ ପ୍ରଧାନମନ୍ତ୍ରୀ କହି, ତାଙ୍କର ଭଲ ବନ୍ଧୁ ବୋଲି କହିଛନ୍ତି । ଆଉ ଏହି ସମ୍ପର୍କ ସବୁଦିନ ରହିବ ବୋଲି ମଧ୍ୟ ସେ ଦାବି କରିଛନ୍ତି । ଅପରପକ୍ଷେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ରମ୍ପଙ୍କ ବୟାନକୁ ପ୍ରଶଂସା କରିଥିବା ବେଳେ, ତାଙ୍କ ମତ ସହ ସମର୍ଥନ କରିଛନ୍ତି । ତଥାପି ମୋଦି ଟ୍ରମ୍ପଙ୍କୁ ପାଲଟା ବନ୍ଧୁ କହିବାରୁ କ୍ଷାନ୍ତ ରହିଛନ୍ତି । ଯାହା ଆଗକୁ ଭାରତ ଏବଂ ଆମେରିକା ସଂପର୍କକୁ ନୂଆ ମୋଡ ଦେଇପାରେ ।

Comments are closed.