Latest Odisha News

BREAKING NEWS

ପୁଣି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲା ଆମେରିକା

 ୟୁକ୍ରେନ-ରୁଷ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ନେଇ ପୁଣି ଆମେରିକା ପ୍ରଶଂସା କରିଛି । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ “ଆଜିର ଯୁଗ ଯୁଦ୍ଧ ନୁହେଁ” ବାର୍ତ୍ତା ଦେଇଥିବା  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ପ୍ରଶଂସା କରିଛି ଆମେରିକା। ଇଣ୍ଡୋନେସିଆର ବାଲି ଠାରେ G20 ମିଳିତ ଘୋଷଣାର ବିବୃତ୍ତିକୁ ନେଇ ଆମେରିକା ଏବେ ମୋଦିଙ୍କ ଏହି ନୀତିକୁ ଆଗକୁ ବଢ଼ାଇବାକୁ କହିଛି ।

ହ୍ବାଇଟ ହାଉସର ପ୍ରେସ ସଚିବ କରାଇନ୍ ଜାନ-ପିଆର କହିଛନ୍ତି ଯେ ଜି -20 ଶିଖର ସମ୍ମିଳନୀ ସଫଳ ହୋଇଛି  । ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ ସଫଳ ଆଲୋଚନା କରିଥିବା ସେ କହିଛନ୍ତି ।

 ମିଳିତ ଘୋଷଣାରେ ଭାରତର ପ୍ରମୁଖ ଭୂମିକା ଉପରେ ଆଲୋକପାତ କରିଛି ଆମେରିକା । ରାଷ୍ଟ୍ରପତି ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥା ହୋଇଥିଲେ। ଶିଖର ସମ୍ମିଳନୀ ଘୋଷଣାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ଚଳିତ ବର୍ଷ ସେପ୍ଟେମ୍ବରରେ ସମରଖଣ୍ଡରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ପୁଟିନଙ୍କୁ ଦେଇଥିବା ବିବୃତ୍ତିକୁ ପୁଣି ଆମେରିକା ଉଚ୍ଚ ପ୍ରଶଂସା କରିଛି । ସେ ସମୟରେ ପୁଟିନଙ୍କୁ  ମୋଦୀ କହିଥିଲେ ଯେ ବର୍ତ୍ତମାନ  ଯୁଦ୍ଧର ଯୁଗ ନୁହେଁ। ଶାନ୍ତି ଏବଂ ସ୍ଥିରତା ରକ୍ଷା କରୁଥିବା ଆନ୍ତର୍ଜାତୀୟ ଆଇନ ତଥା ବହୁପକ୍ଷୀୟ ବ୍ୟବସ୍ଥାକୁ ସମର୍ଥନ କରିବା କଥା ସେତେବେଳେ ମୋଦି କହିଥିଲେ ।  ଏଥିରେ ମିଳିତ ଜାତିସଂଘର ଚାର୍ଟରରେ ଦର୍ଶାଯାଇଥିବା ଉଦ୍ଦେଶ୍ୟ ଏବଂ ନୀତି ରକ୍ଷା କରିବା ତଥା ସଶସ୍ତ୍ର ସଂଘର୍ଷରେ ସାଧାରଣ ନାଗରିକଙ୍କ ସୁରକ୍ଷା ତଥା ଭିତ୍ତିଭୂମି ଅନ୍ତର୍ଭୁକ୍ତ ଥିଲା। ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର କିମ୍ବା ଧମକକୁ ଗ୍ରହଣୀୟ ନୁହେଁ ବୋଲି କହିଥିଲେ ମୋଦି ।

ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ, ଏବଂ ସଙ୍କଟ ଦୂର କରିବା ପାଇଁ ପ୍ରୟାସ ତଥା କୂଟନୈତିକ ତଥା କଥାବାର୍ତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିର ଯୁଗ ଯୁଦ୍ଧର ହେବା ଉଚିତ ନୁହେଁ ଏହାହିଁ ଭାରତ କହିଥିଲା । ବାଲି ଶିଖର ସମ୍ମିଳନୀରେ ମଧ୍ୟ ଏହି କଥା ପ୍ରଧାନମନ୍ତ୍ରୀ ଉଠାଇଥିଲେ ଯାହାକୁ ନେଇ ଆମେରିକା କହିଛି ଋଷ-ୟୁକ୍ରେନ ବିବାଦ ଉପରେ  ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

Leave A Reply

Your email address will not be published.