Latest Odisha News

BREAKING NEWS

India US Trade Deal: ଭାରତ-ଆମେରିକା ଐତିହାସିକ ଟ୍ରେଡ୍ ଡିଲ୍, ମାଲାମାଲ ହେବ ଭାରତ !

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଅନ୍ତରୀଣ ବାଣିଜ୍ୟ ଚୁକ୍ତି ପାଇଁ ଏକ ନୂଆ ଫ୍ରେମୱାର୍କ ଉନ୍ମୋଚିତ ହୋଇଛି। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କ କହିବା ଅନୁସାରେ, ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ଦିଗରେ ଏହା ଏକ ମାଇଲଖୁଣ୍ଟ। ଏହି ଚୁକ୍ତିର ଲକ୍ଷ୍ୟ ହେଉଛି ଭାରତ ଏବଂ ଆମେରିକା ମଧ୍ୟରେ ବାର୍ଷିକ ୫୦୦ ବିଲିୟନ ଡଲାରର ବାଣିଜ୍ୟ ହାସଲ କରିବା।

ଏହି ଡିଲ୍ ପରେ ଏବେ ଅନେକ ଜିନିଷ ଉପରେ ‘ଜିରୋ ଡ୍ୟୁଟି’ ଲାଗିବ। ଅର୍ଥାତ୍ ଭାରତରୁ ଏହି ସବୁ ସାମଗ୍ରୀ ଆମେରିକା ପଠାଇଲେ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । ରତ୍ନ ଏବଂ ହୀରା ଏବେ ବିନା କୌଣସି ଟ୍ୟାକ୍ସରେ ରପ୍ତାନି ହେବ । ସେହିପରି ଔଷଧ ଶିଳ୍ପ ପାଇଁ ମଧ୍ୟ ବଡ଼ ସୁଯୋଗ ସୃଷ୍ଟି ହେବ । ଆମେରିକା ବଜାରରେ ଭାରତୀୟ ଫୋନ୍‌ର ଦବଦବା ବଢ଼ିବ ।

କେବଳ ଶିଳ୍ପ ନୁହେଁ, କୃଷି କ୍ଷେତ୍ରରେ ମଧ୍ୟ ଭାରତୀୟ ଚାଷୀଙ୍କୁ ବଡ଼ ଫାଇଦା ମିଳିବ। ଭାରତରୁ ରପ୍ତାନି ହେଉଥିବା ମସଲା, ଚା’, କଫି, ନଡ଼ିଆ ତେଲ, କାଜୁ ଏବଂ ବିଭିନ୍ନ ଫଳ ଓ ପନିପରିବା ଉପରେ ଏବେ କୌଣସି ଅତିରିକ୍ତ ଡ୍ୟୁଟି ଲାଗିବ ନାହିଁ। ଏହାଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇବା ସହ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେବ ।

ସେହିପରି ଇସ୍ପାତ, ଆଲୁମିନିୟମ, ତମ୍ବା ଭାରତୀୟ ବିମାନ ଏବଂ ବିମାନ ଯନ୍ତ୍ରାଂଶ ଉପରୁ ଆମେରିକୀୟ ଶୁଳ୍କ ହଟାଇବା ପାଇଁ ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଭରସା ଦେଇଛନ୍ତି ଯେ, ଏହି ଚୁକ୍ତି ଭାରତୀୟ ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବ ଏବଂ ମକା, ଗହମ, ଚାଉଳ, ସୋୟା, ପୋଲ୍ଟ୍ରି, କ୍ଷୀର, ପନିର, ଇଥାନଲ, ତମାଖୁ, କିଛି ପନିପରିବା ଏବଂ ମାଂସ ସମେତ କୃଷି ଓ ଦୁଗ୍ଧଜାତ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖି ଗ୍ରାମୀଣ ଜୀବିକାକୁ ସହାୟତା କରିବ ।

ଏହି ଚୁକ୍ତି ଅନୁସାରେ ଉଭୟ ଦେଶ ଯୋଗାଣ ଶୃଙ୍ଖଳା ବା ସପ୍ଲାଏ ଚେନ୍ ଅଧିକ ନିବିଡ଼ ଭାବେ କାର୍ଯ୍ୟ କରିବେ, ସମ୍ବେଦନଶୀଳ ପୁଞ୍ଜି ବିନିଯୋଗର ଯାଞ୍ଚ କରିବେ, ରପ୍ତାନି ନିୟନ୍ତ୍ରଣକୁ କଡ଼ାକଡ଼ି କରିବେ ଏବଂ ଅନ୍ୟ ଦେଶମାନଙ୍କ ଦ୍ୱାରା କରାଯାଉଥିବା ଅନୁଚିତ ବାଣିଜ୍ୟ କାର୍ଯ୍ୟର ମୁକାବିଲା କରିବେ।

ଭାରତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୫୦୦ ବିଲିୟନ ଆମେରିକୀୟ ଡଲାରର ଆମେରିକୀୟ ସାମଗ୍ରୀ କିଣିବାକୁ ଯୋଜନା କରୁଛି, ଯେଉଁଥିରେ ଶକ୍ତି, ପ୍ରଯୁକ୍ତିବିଦ୍ୟା ଉତ୍ପାଦ, ବିମାନ ଓ ବିମାନ ଯନ୍ତ୍ରାଂଶ, ମୂଲ୍ୟବାନ ଧାତୁ ଏବଂ କୋକିଂ କୋଇଲା ଅନ୍ତର୍ଭୁକ୍ତ । ଭାରତ ଏବଂ ଆମେରିକା ପ୍ରଯୁକ୍ତିବିଦ୍ୟା ଉତ୍ପାଦ, ଯେପରିକି ଡାଟା ସେଣ୍ଟରରେ ବ୍ୟବହୃତ ହେଉଥିବା ଉପକରଣଗୁଡ଼ିକର ବାଣିଜ୍ୟ ମଧ୍ୟ ବୃଦ୍ଧି କରିବେ ।

 

Leave A Reply

Your email address will not be published.