ନୂଆଦିଲ୍ଲୀ: ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା
ନା ଇସ୍ରାଏଲ, ନା ଆମେରିକା, ଗଲା ଅଧିକ ଭାରତୀୟଙ୍କ ଜୀବନ!
ଇରାନକୁ କେନ୍ଦ୍ର କରି ଚାଲିଥିବା ଯୁଦ୍ଧରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ଯୁଦ୍ଧରେ ସିଧାସଳଖ ଭାବେ ଜଡିତ ନଥିବା ସତ୍ତ୍ୱେ ଭାରତୀୟ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ଇସ୍ରାଏଲ ଓ ଆମେରିକାର ନାଗରିକଙ୍କ ତୁଳନାରେ ଅଧିକ ହୋଇଥିବା ଦାବି କରାଯାଉଛି।
ରିପୋର୍ଟ ଅନୁସାରେ, ସୋମବାର କତାରର ରାସ୍ ଲାଫାନ୍ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଇରାନ ଯୁଦ୍ଧର ପ୍ରଭାବରେ ପ୍ରାଣ ହରାଇଥିବା ଭାରତୀୟଙ୍କ ସଂଖ୍ୟା ୨୫ରେ ପହଞ୍ଚିଥିବା କୁହାଯାଉଛି। ସେହି ସମୟରେ ଆମେରିକାର ୧୩ ଏବଂ ଇସ୍ରାଏଲର ୨୪ ନାଗରିକ ମୃତ୍ୟୁବରଣ କରିଥିବା ଦାବି କରାଯାଇଛି । ଯାହା ଭାରତୀୟଙ୍କ ମୃତ୍ୟୁ ତୁଳନାରେ କମ୍ ।
ଇରାନ ଯୁଦ୍ଧ ୨୮ ଫେବୃୟାରୀରୁ ଆମର୍ଭ ହୋଇଥିବା ବେଳେ ସଂଘର୍ଷ ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ, ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡର ମୁଖ୍ୟ ମହମ୍ମଦ ପାକପୁର ଓ ଇରାନ ସର୍ବୋଚ୍ଚ ସୁରକ୍ଷା ପରିଷଦର ସଚିବ ଅଲି ଲାରିଜାନୀଙ୍କ ସମେତ ମୋଟ ୩୬୩୬ ଇରାନୀଙ୍କ ହତ୍ୟା ହୋଇଥିବା ରିପୋର୍ଟରେ ଦାବି କରାଯାଇଛି। ସେହିପରି ଲେବାନନର ମୋଟ ୪୦୦୦ ଲୋକ ପ୍ରାଣ ହରାଇଛନ୍ତି ।
ରାସ୍ ଲାଫାନ୍ ଆକ୍ରମଣ ବ୍ୟତୀତ ହର୍ମୁଜ୍ ଅଞ୍ଚଳରେ ୬ ଜଣ ଭାରତୀୟ ପ୍ରାଣ ହରାଇଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଆମେରିକୀୟ ଆକ୍ରମଣରେ ହୋଇଥିବା ଦାବି ହୋଇଛି। ଏହାକୁ ନେଇ ଭାରତ ସରକାର ଆମେରିକା ସମ୍ମୁଖରେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆମେରିକାର ବିଦେଶ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ମଧ୍ୟ କୁହାଯାଉଛି। ଏହା ବ୍ୟତୀତ କତାରରେ ପୂର୍ବରୁ ହୋଇଥିବା ଏକ ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିଲା। କୁଏତରେ ଇରାନୀ ଆକ୍ରମଣ ସମୟରେ ଜଣେ ଭାରତୀୟ ପ୍ରାଣ ହରାଇଥିବା ବେଳେ ୟୁଏଇରେ ମଧ୍ୟ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ଦାବି କରାଯାଉଛି।
ଯାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି, ଇରାନ ସହ ଯୁଦ୍ଧରେ ଇସ୍ରାଏଲ ଓ ଆମେରିକାଠାରୁ ଅଧିକ ଭାରତୀୟଙ୍କ ମୃତ୍ୟୁ କିପରି ହେଲା? ଏହା ପଛରେ ତିନୋଟି ପ୍ରମୁଖ କାରଣ ଦର୍ଶାଯାଉଛି। ପ୍ରଥମତଃ, ଇରାନ ଯୁଦ୍ଧ ସମୟରେ ଇସ୍ରାଏଲ ଅପେକ୍ଷା କୁଏତ ଓ ୟୁଏଇ ଭଳି ଖାଡ଼ି ଦେଶଗୁଡ଼ିକ ଉପରେ ଅଧିକ ଆକ୍ରମଣ କରିଛି । ଇସ୍ରାଏଲ ଆରମ୍ଭରୁ ନିଜ ନାଗରିକଙ୍କୁ ବଙ୍କରକୁ ସ୍ଥାନାନ୍ତର କରିଥିବାରୁ କ୍ଷୟକ୍ଷତି କମ୍ ହୋଇଥିଲା। ଦ୍ୱିତୀୟତଃ, ଖାଡ଼ି ଦେଶଗୁଡ଼ିକରେ ବିପୁଳ ସଂଖ୍ୟାରେ ଭାରତୀୟ ବସବାସ କରୁଛନ୍ତି। ସାଉଦି ଆରବରେ ପ୍ରାୟ ୨୭ ଲକ୍ଷ, ୟୁଏଇରେ ୪୩ ଲକ୍ଷ, କୁଏତରେ ୧୦ ଲକ୍ଷ ଏବଂ କତାରରେ ପ୍ରାୟ ୮ ଲକ୍ଷ ଭାରତୀୟ ରହୁଛନ୍ତି। ରାସ୍ ଲାଫାନ୍ ଭଳି ଶିଳ୍ପ ଅଞ୍ଚଳରେ ମଧ୍ୟ ବହୁ ସଂଖ୍ୟାରେ ଭାରତୀୟ କାମ କରୁଛନ୍ତି। ତୃତୀୟତଃ, ହର୍ମୁଜ୍ ପ୍ରଣାଳୀରେ ଅଟକିଥିବା ଜାହାଜଗୁଡ଼ିକରେ ବହୁ ସଂଖ୍ୟାରେ ଭାରତୀୟ ନାବିକ ଓ ଶ୍ରମିକ କାର୍ଯ୍ୟରତ ଅଛନ୍ତି। ତଥ୍ୟ ଅନୁସାରେ, ହର୍ମୁଜ୍ ଅଞ୍ଚଳରେ ଥିବା ୫୫୦ଟି ଜାହାଜରେ ୧୮ ହଜାରରୁ ଅଧିକ ଭାରତୀୟ କାମ କରୁଛନ୍ତି। ରିପୋର୍ଟ ଅନୁସାରେ, ମୃତ୍ୟୁବରଣ କରିଥିବା ଅଧିକାଂଶ ଭାରତୀୟ ଇରାନୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ୩ ଜଣ ଭାରତୀୟଙ୍କ ମୃତ୍ୟୁ ଆମେରିକୀୟ ଆକ୍ରମଣରେ ହୋଇଥିବା ଦାବି ହୋଇଛି।
ତେବେ ଆମେରିକା ଓ ଇରାନ ଉଭୟ ପକ୍ଷ କହିଛନ୍ତି ଯେ ମୃତ୍ୟୁବରଣ କରିଥିବା ଏହି ଲୋକମାନେ ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ଥିଲେ, ସେମାନଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଇ ନଥିଲା। ତଥାପି ଏବେ ଯୁଦ୍ଧ ବଢ଼ୁଥିବା ବେଳେ ଖାଡ଼ି ଅଞ୍ଚଳରେ ଥିବା ଲକ୍ଷ ଲକ୍ଷ ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ଆହୁରି ବଢ଼ିଯାଇଛି।
Comments are closed.