ନୂଆଦିଲ୍ଲୀ: କିଡନୀ ପ୍ରତିରୋପଣ ଏବେ ସାମାନ୍ୟ ଅସ୍ତ୍ରୋପଚାର । ଅନେକ ମହିଳା ଏବଂ ପୁରୁଷଙ୍କ କିଡନୀ ଏବେ ସଫଳ ଭାବେ ପ୍ରତିରୋପଣ କରାଯାଉଛି । ଯାହା ଦ୍ବାରା ସେମାନେ ବେଶ୍ କିଛି ଦିନ ଏକ ସୁସ୍ଥମୟ ଜୀବନ ବଞ୍ଚୁଛନ୍ତି । ହେଲେ କିଡନୀ ପ୍ରତିରୋପଣ ସମୟରେ ଏହାର ସୁସ୍ଥତା ଯାଞ୍ଚ କରିବା ଏବଂ ଏହା ଆପଣଙ୍କ ପାଇଁ ଉପଯୁକ୍ତ କି ନାହିଁ, ତାହା ପରଖିବା ନିହାତି ଆବଶ୍ୟକ ହୋଇଥାଏ । ଏଥିପାଇଁ ଅନେକ କ୍ରାଇଟେରିଆ ବି ରହିଥାଏ । ଯେମିତି ରକ୍ତ, ପାରସ୍ପରିକତା, ଆପଣଙ୍କ ବଡି କମ୍ପାଟିବିଲିଟି ସହ ଡୋନରର କମ୍ପାଟିବିଲିଟି ଏମିତି ଅନେକ । ଏଥିପାଇଁ ବେଳେ ବେଳେ ଉପଯୁକ୍ତ କିଡନୀ ନମିଳିବାରୁ ଜୀବନ ହାରିଥାନ୍ତି ରୋଗୀ ।
ଏଭଳି ସ୍ଥିତିରେ କିନ୍ତୁ ଏବେ ଜଣେ ମହିଳା ଘୁଷୁରୀ କିଡନୀ ଲଗାଇ ୫ମାସ ବଞ୍ଚିଛି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗତ ବର୍ଷ ଏପ୍ରିଲରେ, ଆମେରିକାର ଜଣେ ୫୩ ବର୍ଷୀୟା ମହିଳା ଟୋୱାନା ଲୁନିଙ୍କ ଶରୀରରେ ଏକ ଜେନେଟିକାଲି ପରିବର୍ତ୍ତିତ ଘୁଷୁରୀ କିଡନୀ ପ୍ରତିରୋପଣ କରାଯାଇଥିଲା । ଆରମ୍ଭରେ ସବୁକିଛି ଭଲ ଚାଲିଥିଲା । ଅସ୍ତ୍ରୋପଚାର ପରେ, ସେ ଏହି ପ୍ରାଣୀର କିଡନୀ ସାହାଯ୍ୟରେ ୧୩୦ ଦିନ ଅର୍ଥାତ୍ ପ୍ରାୟ ୫ ମାସ ବଞ୍ଚିଥିଲେ ।
ସବୁଠାରୁ ଆକର୍ଷଣୀୟ କଥା ହେଉଛି, ଘୁଷୁରୀର କିଡନୀରେ ଏତେ ଦିନ ପର୍ଯ୍ୟନ୍ତ ବଞ୍ଚିବାରେ ମହିଳା ଜଣଙ୍କ ପ୍ରଥମ । କାରଣ ଆଗରୁ କେବେ ବି ଏଭଳି କିଛି ଘଟିନଥିଲା । କିନ୍ତୁ ତା’ପରେ ଏପରି କିଛି ଘଟିଲା ଯାହା ଡାକ୍ତରମାନଙ୍କୁ ମଧ୍ୟ ଚିନ୍ତିତ କରିଦେଇଥିଲା । ମହିଳାଙ୍କ ଶରୀର ଧିରେ; ଧିରେ ଦିନ ଗଡିବା ସାଙ୍ଗରେ ଏହି କିଡନୀକୁ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କଲା । ଏହି କିଡନୀ ହଠାତ୍ କାହିଁକି କାମ କରିବା ବନ୍ଦ କରିଦେଲା ତାହା ଡାକ୍ତରମାନେ ଏପର୍ଯ୍ୟନ୍ତ ଜାଣିପାରି ନାହାନ୍ତି ।
ଆମେରିକାର ଆଲାବାମାର ଜଣେ ମହିଳା ଟୋୱାନା ଲୁନିଙ୍କର କିଡନୀ ଫେଲ୍ ହୋଇଥିଲା ଏବଂ ତାଙ୍କୁ ଡାଏଲିସିସ୍ କରାଯାଇଥିଲା । ତାଙ୍କୁ ଏକ ଜେନେଟିକାଲି ପରିବର୍ତ୍ତିତ ଘୁଷୁରୀ କିଡନୀ ମାନବ ଶରୀରରେ ପ୍ରତିରୋପଣ କରାଯାଇଥିଲା, ଏହି ଆଶାରେ ଯେ ଏହା ତାଙ୍କ ଜୀବନକୁ ଆଉ କିଛି ଦିନ ଆଗକୁ ନେବ । ପ୍ରତିରୋପଣ ବି ସଫଳ ହୋଇଥିଲା ଏବଂ ବୃକକ୍ କାମ କରିବା ଆରମ୍ଭ କରିଥିଲା । କିନ୍ତୁ ପ୍ରାୟ ୧୩୦ ଦିନ ପରେ ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ପ୍ରତିକ୍ରିୟା ଆରମ୍ଭ ହେଲା । ରୋଗ ପ୍ରତିରକ୍ଷା ପ୍ରଣାଳୀ ବୃକକକୁ ଏକ ବାହାର ଅଙ୍ଗ ଭାବି ଏହାକୁ ଧିରେ ଧିରେ ପ୍ରତ୍ୟାଖ୍ୟାନ କରିଥିଲା । ଏହା ପରେ, ଡାକ୍ତରମାନେ ସେହି କିଡନୀକୁ ବାହାର କରିବାକୁ ବାଧ୍ୟ ହୋଇଥିଲେ । ଏବେ ଟୋୱାନା ପୁଣି ଥରେ ଡାଏଲିସିସରେ ରହିଛନ୍ତି ।
ଏହା ପ୍ରଥମ ଥର ନୁହେଁ ଯେତେବେଳେ ଘୁଷୁରିର କିଡନୀ ମଣିଷ ଶରୀରରେ ପ୍ରତିରୋପଣ କରାଯାଇଛି। ଏହା ପୂର୍ବରୁ ମଧ୍ୟ, ଆମେରିକାରେ ଅନେକ ରୋଗୀଙ୍କୁ ଜେନେଟିକାଲି ପରିବର୍ତ୍ତିତ ଘୁଷୁରୀଙ୍କ କିଡନୀ ପ୍ରତିରୋପଣ କରାଯାଇଛି । କିଛି ପ୍ରତିରୋପଣ ସଫଳ ହୋଇଥିଲା ବେଳେ କିଛିରେ ରୋଗୀଙ୍କ ମୃତ୍ୟୁ ହୋଇଛି । ନିକଟରେ, ଜଣେ ୬୬ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ଘୁଷୁରିର କିଡନୀ ପ୍ରତିରୋପଣ କରାଯାଇଥିଲା ଏବଂ ତାଙ୍କୁ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ଏପର୍ଯ୍ୟନ୍ତ, ଆମେରିକାରେ ଏହି ପ୍ରକାରର କିଡନୀ ୫ ଜଣଙ୍କୁ ପ୍ରତିରୋପଣ କରାଯାଇଛି । ଏଥିମଧ୍ୟରୁ ଦୁଇଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଟୋୱାନାଙ୍କ ପରି ଜଣେ ରୋଗୀଙ୍କୁ ଡାଏଲିସିସ୍ କରିବାକୁ ପଡ଼ିଛି ।
ତେବେ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ପ୍ରତିରୋପଣ ସମ୍ପୂର୍ଣ୍ଣ ବିଫଳ ନଥିଲା । ଗୋଟିଏ ମଣିଷ ଶରୀରରେ ଘୁଷୁରିର କିଡନୀ ୧୩୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବା ଏକ ବଡ଼ ସଫଳତା । ଏହାକୁ ନେଇ ହସ୍ପିଟାଲର ସର୍ଜନମାନେ କହିଛନ୍ତି, ଏହା ଭବିଷ୍ୟତରେ କିଡନୀ ଫେଲ୍ୟୁଅର ରୋଗୀଙ୍କୁ ନୂତନ ଜୀବନ ଦେଇପାରିବ । ଦାତାଙ୍କ ଅଭାବ ଏବଂ ଲମ୍ବା ପ୍ରତୀକ୍ଷା ତାଲିକା ଥିବା ଦେଶମାନଙ୍କ ପାଇଁ ଏହା ଏକ ବୈପ୍ଳବିକ ବିକଳ୍ପ ହୋଇପାରେ । ହେଲେ ଏହା ଯେ ସମ୍ପୂର୍ଣ୍ଣ ଲାଭଦାୟକ ତା ନୁହେଁ, କାରଣ ବିଶେଷଜ୍ଞଙ୍କ ମତ ଅନୁସାରେ, ଏଟା ସତ ଯେ ଘୁଷୁରୀ କିଡନୀ ଯୋଗୁଁ ରୋଗୀମାନଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡିବ ନାହିଁ କିମ୍ବା ପରିବାରର କୌଣସି ସଦସ୍ୟଙ୍କୁ ଅଙ୍ଗ ଦାନ କରିବାକୁ ପଡିବ ନାହିଁ । କିନ୍ତୁ ବର୍ତ୍ତମାନ ଏଥିରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ମାନବ ଶରୀରର ରୋଗ ପ୍ରତିରୋଧକ ପ୍ରତିକ୍ରିୟା । ଜେନେଟିକ୍ ଇଞ୍ଜିନିୟରିଂ ମାଧ୍ୟମରେ ଘୁଷୁରୀ କିଡନୀକୁ ମାନବ ଶରୀର ସହିତ ସୁସଙ୍ଗତ କରାଯାଏ, କିନ୍ତୁ ଶରୀର ଏହାକୁ ଏକ ବାହାର ଅଙ୍ଗ ବୋଲି ବିବେଚନା କରି କେତେବେଳେ ବି ପ୍ରତ୍ୟାଖ୍ୟାନ କରିପାରିବ । ଯାହା ପରେ ଏହା ରୋଗୀଟି ପାଇଁ ବିପଦ ହୋଇପାରେ ।
Comments are closed.