ଭୁବନେଶ୍ୱର : ଆଜି ଉତ୍କଳ ଦିବସ । ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ଆଜି ଉଜ୍ଜୀବିତ ହେଉଛି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତି । ଆଜିର ଦିନରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ମିଳିଥିଲା । ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରିଆସୁଛି ସାରା ରାଜ୍ୟ । ଆଜିର ଦିନ ହେଉଛି ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ଦିନ । ଏହାରି ଭିତରେ ୮୭ବର୍ଷ ପୂର୍ଣ୍ଣ ହୋଇଛି ।
ପୂର୍ବରୁ ଉତ୍କଳ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ି ରହିଥିଲା। ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବାବେଳେ ଉତ୍ତରରେ ବାଲେଶ୍ବରରେ ବଙ୍ଗଳାର ପ୍ରଭାବ ଥିଲା । କେତେକ ଅଞ୍ଚଳ ବିହାର ଅଧୀନରେ ଥିବାବେଳେ ଦକ୍ଷିଣରେ ଗଞ୍ଜାମ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ରାଧାନାଥ ରାୟ, ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପରି ଓଡ଼ିଶାର ବୀରପୁତ୍ରମାନେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଘର୍ଷ କରିଥିଲେ।
ଏହି ବୀରପୁତ୍ରଙ୍କ ଉଦ୍ୟମରେ ୧୯୦୩ରେ ପ୍ରଥମେ ଗଠନ ହେଲା ‘ଉତ୍କଳ ସମ୍ମିଳନୀ’। ଅବିଶ୍ରାନ୍ତ ସଂଗ୍ରାମ ପରେ ୧୯୩୬ ମସିହା ଏପ୍ରିଲ୍ ୧ରେ ଗଠନ ହୋଇଥିଲା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ। ଓଡ଼ିଶାକୁ ଏକତ୍ରିତ କରିବା ପାଇଁ ବୀରପୁତ୍ର ମାନଙ୍କ ତ୍ୟାଗ ଓ ବଳିଦାନକୁ କେବେ ଭୁଲି ହେବ ନାହିଁ । ଯାହାକୁ ନେଇ ପ୍ରତି ଓଡ଼ିଆ ମଧ୍ୟ ଗର୍ବ କରନ୍ତି ।
Comments are closed.