Latest Odisha News

BREAKING NEWS

ଆଜିଠାରୁ ଶୂନ୍ୟ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ

ଭୁବନେଶ୍ୱର : ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଉଦ୍ଦେଶ୍ୟରେ ଆଜିଠାରୁ ସପ୍ତାହବ୍ୟାପୀ ପାଳନ ହେବ ଶୂନ୍ୟ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ବା ଜିରୋ ଫାଟାଲିଟି ୱିକ୍ । ଏହି ସପ୍ତାହରେ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ରୋକିବା ଦିଗରେ ସଚେତନତା କରାଯିବ । ଏଥିସହ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଯେପରି ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବା ନେଇ ବାଣିଜ୍ୟ ପରିବହନ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି  ।

ସେନେଇ ବିଭିନ୍ନ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛି ରାଜ୍ୟ ସଡକ ଓ ପରିବହନ ବିଭାଗ । ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୁଚନାଯୋଗ୍ୟ, ୨୦୨୧ ବର୍ଷରେ ୧୮ ବର୍ଷରୁ କମ୍ ୧୩୨ ପୁଅ ଓ ୨୩ ଝିଅଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଯାହାକି ଚିନ୍ତାଜନକ ବିଷୟ ବୋଲି କହିଥିଲେ ପରିବହନ ବିଭାଗର ଅତିରିକ୍ତ କମିଶନର (ଏନଫୋର୍ସମେଣ୍ଟ) ରୋଡ୍ ସେଫଟି ଲାଲମୋହନ ସେଠୀ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ଏସଓପି କିଭଳି ପାଳନ ହେବ ସେନେଇ ଧ୍ୟାନ ଦେବାକୁ ସବୁ ଜିଲ୍ଲାର ଜିଲ୍ଲାପାଳ,ଏସପିଙ୍କୁ ଚିଠି ଲେଖାଯାଇଛି।

ଅନ୍ୟପକ୍ଷରେ, ନାବାଳକ ଗାଡ଼ି ଚଳାଉଥିବା ଧରା ପଡ଼ିଲେ ଅଭିଭାବକଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ନାବାଳକଙ୍କ ଅଭିଭାବକ ଅଥବା ଗାଡ଼ି ମାଲିକଙ୍କ ଠାରୁ ୨୫ ହଜାର ଟଙ୍କା ଜରିମାନା ସହ ୩ ବର୍ଷ ଜେଲ୍ ହୋଇପାରେ । ଏପରିକି ଅବହେଳା ନଜରକୁ ଆସିଲେ ସାରଥି ଡାଟାବେସରେ ନାବାଳକଙ୍କ ତଥ୍ୟ ଦିଆଯିବ । ଫଳରେ ନାବାଳକ ଜଣଙ୍କୁ ୨୫ ବର୍ଷ ହେବା ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ମିଳିବ ନାହିଁ ବୋଲି କହିଛନ୍ତି ଶ୍ରୀ ସେଠୀ ।

Leave A Reply

Your email address will not be published.