ବନାରସ : କାଶୀ ହିନ୍ଦୁ ବିଶ୍ଵବିଦ୍ୟାଳୟର ଉତ୍କଳ ସମାଜ ତରଫରୁ ବହୁ ଆଡ଼ମ୍ବରପୂର୍ଣ ଭାବେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ମହାପ୍ରଭୁ ଜଗନ୍ନାଥ ଏବଂ ମହାମନା ମଦନ ମୋହନ ମାଲବୀୟଙ୍କ ନିକଟରେ ଭକ୍ତିପୁଷ୍ପ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହା ପରେ କାନ୍ତକବିଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ମାତୃଭୂମି ଠାରୁ କାହିଁ କେତେ ଦୂରରେ ବନ୍ଦେ ଉତ୍କଳ ଜନନୀର ମୂର୍ଚ୍ଛନା ସମସ୍ତ ପ୍ରବାସୀ ଛାତ୍ର ଏବଂ ଅଧ୍ୟାପକଙ୍କୁ ଭାବପ୍ରବଣ କରିଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ୟୁନିୟନ ବ୍ୟାଙ୍କର କ୍ଷତ୍ରିୟ ଅଧିକାରୀ ବିରଜା ପ୍ରସାଦ ଦାସ ଯୋଗ ଦେଇଥିବା ବେଳେ, ସଭାପତି ତ୍ରିଭୂବନ ମୋହନ ମହାପାତ୍ର ଓ ଉପ ସଭାପତି ବିନ୍ଦା ପାରଞ୍ଜେପେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏହି ଅବସରରେ ଉତ୍କଳ ସମାଜ ତରଫରୁ ଏକ ଓଡିଶା କୁଇଜ ଏବଂ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।
ଓଡିଶା କୁଇଜରେ ବିଭୂବ୍ରତ ଦାଶ ଓ ଟିକୁନ ଧଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନଙ୍ଗ, ସରିତା, ଚିନ୍ମୟ ଚିରଞ୍ଜିବୀ, ଅନିର୍ବାଣ, ନିହାରିକା, ସୋମ୍ୟାଶ୍ରୀ, ସୁନିଲ, ଇପ୍ସିତା, ଶାଶ୍ୱତି, ଶିଭାଜନ, ଅର୍ପିତା, ହଁସୁଜା, ମୋନରଞ୍ଜନ, ଲିପି ଯୋଗ ଦେଇ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଓଡ଼ିଆ ଭଜନ ପରିବେଷଣ କରିଥିବା ବେଳେ ଇପ୍ସିତା, ଅନଙ୍ଗ, ଅନିର୍ବାଣ ଏବଂ ସରିତାଙ୍କ ଦ୍ଵାରା ଏକ କ୍ଷୁଦ୍ର ନାଟକ `ଭଡାଟିଆ ଦରଦିଆ’ ପରିବେଷଣ କରାଯାଇ ଉତ୍କଳର ସ୍ମୃତିକୁ ମନେ ପକାଯାଇଥିଲା ।
ପ୍ରଫେସର କଲ୍ୟାଣ ଘଡେଇ, ଅମୀୟ କୁମାର ସାମଲ, ସରୋଜକାନ୍ତ, ସୋମ୍ୟ ରଞ୍ଜନ ମେହେର ଏବଂ ବିଶ୍ଵଜିତ ମିଶ୍ର କାର୍ଯ୍ୟ ପରିଚାଳନା କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡନ କରିଥିଲେ ।