Latest Odisha News

BREAKING NEWS

ଗ୍ଲୋବାଲ କରେନ୍ସି ଦୌଡ଼ରେ ଭାରତୀୟ ମୁଦ୍ରା: ୩୫ ଦେଶ ପରେ ଏବେ ମାଲେସିଆ ସହ କାରବାର ଟଙ୍କାରେ ହେବ

ନୂଆଦିଲ୍ଲୀ: ଧୀରେ ଧୀରେ ଗ୍ଲୋବାଲ କରେନ୍ସି ହେବାର ଦୌଡ଼ରେ ଭାରତୀୟ ମୁଦ୍ରା। ଏବେ ମାଲେସିଆ ସହିତ କାରବାର ଭାରତୀୟ ମୁଦ୍ରାରେ କରାଯିବ। ଏନେଇ ଗତକାଲି(ଏପ୍ରିଲ ୧) ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍ଇଏ) ପକ୍ଷରୁ ସୂଚନା ଦିଆଯାଇଛି।

ଗତବର୍ଷ ଜୁଲାଇ ମାସରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭାରତୀୟ ମୁଦ୍ରାରେ ଇଣ୍ଟରନ୍ୟାସ୍‌ନାଲ ଟ୍ରେଡ୍ ସେଟଲମେଣ୍ଟ ପାଇଁ ଅନୁମତି ଦେଇଥିଲା। ଆର୍‌ବିଆଇର ଏହି ନିଷ୍ପତ୍ତି ପରେ କେନ୍ଦ୍ର ସରକାର ମାଲେସିଆ ସହ ଭାରତୀୟ ଟଙ୍କାରେ କାରବାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମନ୍ତ୍ରଣାଳୟ କହିଛି “ ଅନ୍ୟ କରେନ୍ସିରେ ସେଟଲମେଣ୍ଟ ନେଇ ବର୍ତ୍ତମାନ ଥିବା ବ୍ୟବସ୍ଥା ସହ ଭାରତ ଓ ମାଲେସିଆ ମଧ୍ୟରେ ବ୍ୟବସାୟ ଏବେ ଭାରତୀୟ ମୁଦ୍ରାରେ କରାଯାଇ ପାରିବ।” ବାଣିଜ୍ୟର ଅଭିବୃଦ୍ଧିକୁ ସୁବିଧାଜନକ ବନାଇବା ସହ ଭାରତୀୟ ଟଙ୍କାକୁ ବିଶ୍ୱ ବାଣିଜ୍ୟିକ କମ୍ୟୁନିଟି ହିତରେ ବ୍ୟବହରା କରାଇବା ଆର୍‌ବିଆଇର ଉଦ୍ଦେଶ୍ୟ ବୋଲି ଏମ୍ଇଏ କହିଛି।

ମାଲେସିଆ ସହ ଭାରତୀୟ ମୁଦ୍ରାରେ କାରବାର କରିବାକୁ ହେଲେ ଏକ ଭୋଷ୍ଟ୍ରୋ ଆକାଉଣ୍ଟ ଖୋଲିବାକୁ ପଡ଼ିବ। ଏହି ଆକାଉଣ୍ଟରେ କାରବାର କରାଯିବ। ମନ୍ତ୍ରଣାଳୟ ସୂଚନା ଅନୁସାରେ, କୁଆଲାଲମ୍ପୁର ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସ୍ନାଲ ବ୍ୟାଙ୍କ ଅଫ୍ ମେଲେସିଆ(IIBM) ଓ ଭାରତରେ ଥିବା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟମରେ ଏକ ସ୍ପେଶାଲ୍ ରୁପିସ ଭୋଷ୍ଟ୍ରୋ ଆକାଉଣ୍ଟ ଖୋଲାଯିବ। ସୂଚନା ଥାଉକି ଘରୋଇ ମୁଦ୍ରାରେ ଅନ୍ୟ ଦେଶକୁ ମୂଲ୍ୟ ଦେବା ବେଳେ ଭୋଷ୍ଟ୍ରୋ ଆକାଉଣ୍ଟର ଆବଶ୍ୟକ ପଡ଼ିଥାଏ। ଏବେ ଭାରତ ମାଲେସିଆକୁ ମଧ୍ୟ ଏହି ଆକାଉଣ୍ଟ ମାଧ୍ୟମରେ ପେମେଣ୍ଟ କରିବ।

ସୂଚନା ଥାଉକି ପୂର୍ବରୁ ୩୫ ଟି ଦେଶ ଭାରତୀୟ ମୁଦ୍ରାରେ କାରବାର କରିବାକୁ ଅନୁମତି ଦେଇ ସାରିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ଋଷ, ମିଆଁମାର, ବାଂଲାଦେଶ, ଓ ନେପାଳ ରହିଛନ୍ତି। ହେଲେ ଅନ୍ତର୍ଜାତୀୟ ବଜାରରେ ଡଲାରର ଡିମାଣ୍ଡ ଅଧିକ ଥିବା ହେତୁ ଭାରତ ଅଧିକାଂଶ ସାମଗ୍ରୀର ରପ୍ତାନୀ ଓ ଆମଦାନୀ ପାଇଁ ଡଲାରରେ ମୂଲ୍ୟ ଦେବାକୁ ପଡ଼ିଥାଏ। ଏଥିପାଇଁ ଭାରତକୁ ଅରବ ଅରବ ଡଲାର ଖର୍ଚ୍ଚ କରିବାକୁ ପଡ଼ିଥାଏ। କିନ୍ତୁ ଧୀରେ ଧୀରେ ବିଶ୍ୱର ଅନ୍ୟ ଦେଶମାନେ ଭାରତୀୟ ମୁଦ୍ରାରେ କାରବାର ପାଇଁ ଅନୁମତି ଦେଉଥିବାରୁ ଏଥିରେ ଡଲାର ଉପରେ ଭାରତର ନିର୍ଭରତା କମ୍ ହେବ। ଯାହା ଭାରତର ଅର୍ଥନୀତି ପାଇଁ ଶୁଭ ସଂକେତ।

Leave A Reply

Your email address will not be published.