Latest Odisha News

BREAKING NEWS

ଉତ୍କଳ ହସ୍ପିଟାଲର ସିଇଓ ଆଲୋକ ଲୋଧ ନିଲମ୍ବନ ହେଲେ

ଏଭଳି ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଆ ବିରୋଧୀ ମାନସିକତା ପାଇଁ ନିଲମ୍ବନ ହେଲେ ଉତ୍କଳ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଡାକ୍ତର ଆଲୋକ ଲୋଧ। ଓଡ଼ିଶାରେ ଓଡ଼ିଆଙ୍କୁ ନିଯୁକ୍ତି ନଦେବାର ମାନସିକତା ପାଇଁ ହଟାହଟା ହେବା ସହ ତାଙ୍କୁ ଚାକିରିରୁ ଉତ୍କଳ ହସପିଟାଲ ପକ୍ଷରୁ ନିଲମ୍ବନ କରାଯାଇଛି ।  ଉତ୍କଳ ହସ୍ପିଟାଲର ଓପିଡି ମ୍ୟାନେଜର ନିଯୁକ୍ତି ବିଜ୍ଞାପନରେ କେବଳ ଅଣଓଡ଼ିଆ ପ୍ରାର୍ଥୀ ଆବେଦନ କରିପାରିବେ ବୋଲି ହସ୍ପିଟାଲ ସିଇଓ ଲୋଧ ଲେଖିବା ଯୋଗୁ ତାଙ୍କୁ ଏଭଳି ଦଣ୍ଡ ଭୋଗିବାକୁ ପଡ଼ିଛି। ଖାଲି ଦଣ୍ଡ ଭୋଗିବାକୁ ପଡିନି ଆଗକୁ ମଧ୍ୟ ତାଙ୍କୁ ଓଡ଼ିଶାରେ ବିରୋଧ ହେବ ବୋଲି କିଛି ସଂଗଠନ ଚେତାବନୀ ଦେଇଛନ୍ତି । ଓଡ଼ିଶାରେ ଚାକିରି କରି ଓଡ଼ିଆ ବିରୋଧୀମାନସିକତା ଥିବା ଏହି ଅଧିକାରୀଙ୍କ କାର୍ଯ୍ୟରେ ଓଡ଼ିଶାବାସୀ ଗତକାଲି ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ତାଙ୍କୁ ସୋସିଆଲ ମିଡିଆରେ ଜୋରଦାର ବିରୋଧ କରାଯାଇଥିଲା ।

ଏଠରେ ସୂଚନାଯୋଗ୍ୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଆଲୋକ ଲୋଧ ଟ୍ବିଟର୍ରେ କରିଥିବା ପୋଷ୍ଟରେ ଲେଖିଥିଲେ ଯେ ଉତ୍କଳ ହସ୍ପିଟାଲ୍ ପାଇଁ ଜଣେ ଓପିଡି ମ୍ୟାନେଜରଙ୍କ ଆବଶ୍ୟକତା ରହିଛି। କୌଣସି କର୍ପୋରେଟ୍ ହସ୍ପିଟାଲରେ ୫ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ଥିବା ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ। ତେବେ ସେ ସ୍ପଷ୍ଟ କରିଥିଲେ ଯେ ଆବେଦନକାରୀ ଅଣଓଡ଼ିଆ ଅର୍ଥାତ୍ ଓଡ଼ିଶା ବାହାରର ହୋଇଥିବା ଦରକାର।

 

ସେ କେବଳ ଅଣଓଡ଼ିଆଙ୍କଠାରୁ ଆବେଦନ ମାଗିଥିବାରୁ ଏହାକୁ ବହୁ ସଚେତନ ଓଡ଼ିଆ ସହଜରେ ଗ୍ରହଣ କରିପାରି ନଥିଲେ। ଓଡ଼ିଶାରେ ହସ୍ପିଟାଲ୍ ନିର୍ମାଣ କରି ଏପରି ଓଡ଼ିଆ ବିରୋଧୀ ନିଯୁକ୍ତି ବିଜ୍ଞାପନ ଦେବା ଗ୍ରହଣୀୟ ନୁହେଁ ବୋଲି ବହୁ ୟୁଜର ନିଜର ମତପ୍ରକାଶ କରିଥିଲେ ।

 

ବହୁ ସାମ୍ବାଦିକ, ସମାଜସେବୀ, ବୁଦ୍ଧିଜୀବୀ ଏପରି ବିଜ୍ଞାପନକୁ ସାମାଜିକ ଗଣମାଧ୍ୟମରେ କଡ଼ା ନିନ୍ଦା କରିଥିଲେ। ଏପରିକି ଏହାକୁ ନେଇ ଏକ ଅଭିଯାନ ଆରମ୍ଭ ହୋଇଥିଲା। ତାଙ୍କୁ କ୍ଷମା ମାଗିବା ପାଇଁ ମଧ୍ୟ ସୋସିଆଲ ମିଡିଆରେ ଦାବି କରାଯାଇଥିଲା ।  ବିରୋଧ ପରେ ତୁରନ୍ତ ଶ୍ରୀ ଲୋଧ ତାଙ୍କ ବିଜ୍ଞାପନରେ ସଂଶୋଧନ କରିବା ସହ ଦୁଇଟି ପୋଷ୍ଟ କରି କ୍ଷମା ମାଗିଛନ୍ତି।

ଏହା ସହ ଉତ୍କଳ ହସପିଟାଲ ମଧ୍ୟ ସ୍ପଷ୍ଟିକରଣ ଦେଇ ତାଙ୍କୁ ନିଲମ୍ବନ କରାଯାଇଥିବା ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛି ।

 

ପ୍ରବଳ ବିରୋଧ ପରେ  ଲୋଧ  ସ୍ପଷ୍ଟିକରଣ ଦେଇ ଲେଖିଛନ୍ଥି ଯେ  ଓପିଡି ମ୍ୟାନେଜର ଓଡ଼ିଶା ବାହାରୁ ଆସୁଥିବା ରୋଗୀମାନଙ୍କୁ ପରିଚାଳନା କରିବେ ବୋଲି ସେ ଲେଖିଥିଲେ। କିନ୍ତୁ ବିଜ୍ଞାପନରେ ଭୁଲ କ୍ରମେ ଆବେଦନକାରୀ ପ୍ରାର୍ଥୀ ଓଡ଼ିଶା ବାହାରର ହେବା ଆବଶ୍ୟକ ବୋଲି ଲେଖାଯାଇଥିଲା। ଏହି ପ୍ରସଙ୍ଗରେ କଳିଙ୍ଗ ସେନା ପକ୍ଷରୁ କ୍ୟାପିଟାଲ୍ ଥାନାରେ ମଧ୍ୟ ଏତଲା ଦିଆଯାଇଛି। ଏଥିରେ ଦର୍ଶାଯାଇଛି ଯେ ଶ୍ରୀ ଲୋଧଙ୍କ ପୋଷ୍ଟ ଓଡ଼ିଆଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଓଡ଼ିଆଙ୍କୁ ନ୍ୟୁନ କରିଛି। ଏଭଳି ରୁଗ୍ଣ ମାନସିକତା ଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ତୁରନ୍ତ ଚାକିରିରୁ ବହିଷ୍କାର କରିବା ସହ ଓଡ଼ିଶା ବିରୋଧୀ ମାନସିକତା ରଖିଥିବା ସମସ୍ତ ଅଣଓଡ଼ିଆ କର୍ମଚାରୀଙ୍କୁ ଏଠାରୁ ବାହାର କରିବାକୁ କଳିଙ୍ଗ ସେନା ଦାବି କରିଥିଲା ।

କଳିଙ୍ଗ ସେନା ପକ୍ଷରୁ କୁହାଯାଇଥିଲା ଯେ  ଉତ୍କଳ ନାମ ବ୍ୟବହାର କରି, ଆମ ମାଟିରେ, ଆମ ପାଣି ପବନରେ ବଣିଜ କରି ଏବଂ ଆମ ରାଜ୍ୟବାସୀଙ୍କ ଟଙ୍କାରେ ନିଜର ବ୍ୟବସାୟିକ କଳେବର ବୄଦ୍ଧିକରୁଥିବା ବେଳେ, ଆମ ରାଜ୍ୟର ଅଭିଜ୍ଞ ଉଚ୍ଚ ଶିକ୍ଷିତ ପେଷାଦାରଙ୍କୁ ଖୋଲାଖୋଲି ଘୄଣାକରୁଥିବା ଏବଂ ଅଣ ଓଡ଼ିଆଙ୍କୁ ପ୍ରାଧାନ୍ୟ ଦେଉଥିବା, ଉତ୍କଳ ହଷ୍ପିଟାଲ ମୁଖ୍ୟ କାର୍ଯ୍ୟନିର୍ବାହୀ (C E.O.) ଡାକ୍ତର ଆଲୋକ ଲୋଧ ବିରୋଧରେ ଦୄଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ। ଆଲୋକ ଲୋଧଙ୍କର ଏଭଳି ଘୄଣା ଓ ବିଦ୍ଵେଷ, ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଗଭୀର କଷ୍ଟ ଦେଇଛି। ସମସ୍ତ ସ୍ଵାଭିମାନୀ ଓଡ଼ିଆ ଏଭଳି ଓଡ଼ିଆ ବିରୋଧୀ ହଷ୍ପିଟାଲକୁ ବର୍ଜନ କରିବା ଆବଶ୍ୟକ। ଏପରିକି ସେହି ପଦବୀରେ ଜଣେ ଓଡ଼ିଆଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି କଳିଙ୍ଗ ସେନା ମୁଖ୍ୟ ହେମନ୍ତ ରଥ ।

 

Leave A Reply

Your email address will not be published.