Latest Odisha News

ପ୍ରତିଷୋଧ ନେଉଛି ସାପ, ଖୋଜି ଖୋଜି କାମୁଡୁଛି…

ଫତେପୁର: ଅନେକ ଫିଲ୍ମ ଓ ଟିଭି ସିରିଏଲ, ଯାହା ସାପ କାହାଣୀ ଉପରେ ଆଧାରିତ, ସେଥିରେ ଆମେ ସାପ ପ୍ରତିଷୋଧ ନେଉଥିବାର ଦେଖିଥାଉ । କୁହାଯାଏ ଥରେ ଯଦି ସାପ ଆଖିରେ କାହାର ଚେହେରା କଏଦ୍ ହୋଇଗଲା, ସେ ପାତାଳରେ ଲୁଚିଲେବି ତାକୁ ଖୋଜି ଦଂଶନ କରିଥାଏ ସାପ ।  ଏମିତି ଘଟଣା ଟିଭି ପରଦାରେ ଆମେ ଅନେକ ଦେଖିଛେ, ହେଲେ ଏମିତି କିଛି ସମାନ ଘଟଣା ଘଟିଛି ବାସ୍ତବ ଜୀବନରେ । ଉତ୍ତରପ୍ରଦେଶର ଜଣେ ଯୁବକଙ୍କୁ ଖୋଜି ଖୋଜି ମାଉସୀ ଘରେ ଯାଇ କାମୁଡିଛି ସାପ । ସବୁଠୁ ଆଶ୍ବର୍ଯ୍ୟ କଥା ହେଉଛି ବ୍ୟକ୍ତିଟି ସେହି  ସାପ ଠାରୁ ୬ ଥର କାମୁଡା ଖାଇସାରିଲାଣି, ପ୍ରତିଥର ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ବି ଭର୍ତ୍ତି ହୁଅନ୍ତି, ହେଲେ ପରବର୍ତ୍ତୀ ସମୟରେ ସେ ସୁସ୍ଥ ହୋଇ ପୁଣି ଘରକୁ ଫେରିଆସନ୍ତି, ଆଉ ପୁଣି ତାଙ୍କୁ ସାପ କାମୁଡେ ।

ଏ ଘଟଣା ଯେତିକି ଅବାସ୍ତବ ଲାଗୁଛି, ସେତିକି ଆଶ୍ଚର୍ଯ୍ୟକର ମଧ୍ୟ । ତେବେ ଉତ୍ତରପ୍ରଦେଶ ଫତେପୁର ଜିଲ୍ଲା ସ୍ଥିତ ସୌରା ଗାଁର ଜଣେ ୨୪ ବର୍ଷୀୟ ଯୁବକଙ୍କ ସହ କିଛି ଏପରି ଘଟଣା ଘଟିଛି । ଗତ ପାଖାପାଖି ଦେଢ ମାସ ମଧ୍ୟରେ ତାଙ୍କୁ ୬ ଥର ସାପ କାମୁଡି ସାରିଲାଣି । ପ୍ରତ୍ୟେକ ଥର ସାପ ତାଙ୍କୁ କାମୁଡିବ, ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯିବ ଓ ପରେ ସେ ସୁସ୍ଥ ହୋଇ ଫେରିଆସନ୍ତି ।

ଏହି ଘଟଣାକ୍ରମ ପ୍ରଥମେ ଜୁନ୍ ୨ରେ ଘଟିଥିଲା । ୨୪ ବର୍ଷୀୟ ଯୁବକ ବିକାଶ ଦୁବେ ତାଙ୍କ ଘରର ଖଟ ଉପରେ ଶୋଇଥିବା ବେଳେ ପ୍ରଥମେ ତାଙ୍କୁ ସାପ କାମୁଡିଥିଲା । ଏହାପରେ ସେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ । ପରେ ଜୁନ୍ ୨ ରୁ ଜୁଲାଇ ୬ ଭିତରେ ସାପ ତାଙ୍କୁ ୬ ଥର କାମୁଡି ସାରିଲାଣି ।

ତେବେ ଯେବେ ୪ର୍ଥ ଥର ପାଇଁ ସାପ ତାଙ୍କୁ କାମୁଡିଲା, ପରିବାର ଲୋକେ ତାଙ୍କୁ ଘରଠୁ ଅନ୍ୟତ୍ର ପଠାଇଦେବାକୁ ନିଷ୍ପତ୍ତି ନେଲେ । ଏହା ପରେ ରାଧାନଗର ସ୍ଥିତ ତାଙ୍କ ମାଉସୀ ଘରକୁ ସେ ଚାଲିଯାଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ସେଠି ବି ଖୋଜି ଖୋଜି ପହଞ୍ଚିଯାଇଥିଲା ସାପ । ଆଉ ତାଙ୍କୁ ପଞ୍ଚମ ଥର ପାଇଁ ପୁଣି କାମୁଡିଥିଲା ।

ଏହାପରେ ବିକାଶକୁ ତାଙ୍କ ପିତାମାତା ଘରକୁ ନେଇଆସିଲେ । ଏଇ ଗତ ୬ ତାରିଖରେ ତାଙ୍କୁ ପୁଣି ସାପ କାମୁଡିଛି । ଏହାପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପୂରା ବିଗିଡିଯାଇଥିଲା । ପରିବାର ଲୋକେ ତାଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ଆଉ ଏବେ ସିଏ ସୁସ୍ଥ ଅଛନ୍ତି ।

ତେବେ କେଉଁ କାରଣରୁ ସାପଟି ତାଙ୍କ ଜୀବନ ପଛରେ ପଡିଛି ସେନେଇ କିଛି ସୂଚନା ମିଳିପାରିନାହିଁ । ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ବିକାଶ କହିଛନ୍ତି, ଯେ ସିଏ ଲକ୍ଷ୍ୟ କରିଛନ୍ତି ସାପଟି ତାଙ୍କୁ ପ୍ରତି ଶନିବାର କିମ୍ବା ରବିବାର କାମୁଡୁଛି । ଆଉ କାମୁଡିବା ପୂର୍ବରୁ ତାଙ୍କୁ କିଛି ନା କିଛି ସଙ୍କେତ ମିଳିଥାଏ ।

କହିରଖୁଛୁ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ବିଶ୍ୱରେ ସାପ କାମୁଡ଼ା ଘଟଣା ପ୍ରାୟ ୫.୪ ନିୟୁତ । ଏହାସହିତ ବର୍ଷକୁ ପ୍ରାୟ ୧.୮ ରୁ ୨.୭ ନିୟୁତ ବ୍ୟକ୍ତି ସାପକାମୁଡାର ଶିକାର ହୁଅନ୍ତି। ଏଥିମଧ୍ୟରୁ ପ୍ରାୟ ୮ ହଜାରରୁ ୧ ଲକ୍ଷ ୩୦ ହଜାର ଲୋକଙ୍କ ମୃତ୍ୟୁ ବି ଘଟୁଛି। ଏଥିସହ ପ୍ରାୟ ଏହାର ୩ଗୁଣ ଲୋକ ଶାରିରୀକ ଅକ୍ଷମ ହୋଇଯାଉଛନ୍ତି।

Comments are closed.