Latest Odisha News

BREAKING NEWS

ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ: ଧର୍ମେନ୍ଦ୍ର କହିଲେ “ଗଣତନ୍ତ୍ରରେ ବୁଝାମଣାର ଆବଶ୍ୟକତା ରହିଛି”

ଭୁବନେଶ୍ୱର: ରାଜ୍ୟସଭା ଉପ ନିର୍ବାଚନ ଲାଗି ପୂର୍ବତନ ପ୍ରଶାସକ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ନେଇ ଏବେ ରାଜନୈତିକ ଆଲୋଚନା ପ୍ରଶମିତ ହୋଇନଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏସମ୍ପର୍କରେ ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି । ବରିଷ୍ଠ ବିଜେପି ନେତା ଶ୍ରୀ ପ୍ରଧାନ ରବିବାର ଦିନ କହିଛନ୍ତି, ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେପି ଓ ବିଜେଡ଼ି ମଧ୍ୟରେ ଯେଉଁ ଗୁପ୍ତ ବୁଝାମଣା ହୋଇଥିବାର କପୋଳକଳ୍ପିତ ରିପୋର୍ଟ ପ୍ରକାଶ ପାଉଛି ସେଥିରେ କୌଣସି ସତ୍ୟତା ନାହିଁ ।

“ରାଜ୍ୟସଭା ଉପ ନିର୍ବାଚନ ଲାଗି ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ,”ବୋଲି ମନ୍ତ୍ରୀ କହିଛନ୍ତି । “ଗଣତନ୍ତ୍ରରେ ବୁଝାମଣାର ମଧ୍ୟ ଆବଶ୍ୟକତା ରହିଛି,” ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ ଆହୁରି ମଧ୍ୟ ଗଣମାଧ୍ୟମରେ ପ୍ରକାଶ କରି କହିଛନ୍ତି ଯେ, ବିଜେଡ଼ି ସହିତ ଏହା କୌଣସି ଗୁପ୍ତ ବୁଝାମଣା ନୁହେଁ ବରଂ ଓଡ଼ିଶାର ବୃହତର ସ୍ୱାର୍ଥ ଦୃଷ୍ଟିରୁ ତଥା ରାଜ୍ୟର ବିକାଶ ନିମନ୍ତେ ଏହା ଏକ ଖୋଲା ବୁଝାମଣା । ଏହା ପଛରେ ରାଜ୍ୟର ବିକାଶ ହିଁ ଏକମାତ୍ର ଲକ୍ଷ୍ୟ ଏବଂ ରାଜ୍ୟ ପାଇଁ ଲାଭଦାୟକ ।

ଭୁବନେଶ୍ୱରଠାରେ ଶୁକ୍ରବାର ଦିନ ବିଜେପି ପକ୍ଷରୁ ପୂର୍ବତନ ପ୍ରଶାସକ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱ ଘୋଷଣା ହେବାର ପ୍ରାୟ ଅଧଘଣ୍ଟା ପରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ । ନବୀନ ଏସମ୍ପର୍କରେ ସ୍ପଷ୍ଟ କରିଥିଲେ ଯେ, ଅଶ୍ୱିନୀଙ୍କୁ ସମର୍ଥନ କରିବା ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ଅନୁରୋଧ କରିଥିଲେ ।

ଆଗାମୀ ରାଜ୍ୟସଭା ଉପ ନିର୍ବାଚନରେ ୩ଟି ଯାକ ଆସନ ଦଖଲ କରିବାର କ୍ଷମତା ରଖିଛି ବିଜେଡ଼ି (୧୪୫ ରୁ ୧୧୨ ଜଣ ବିଜେଡ଼ି ବିଧାୟକ), କିନ୍ତୁ ବୈଷ୍ଣବଙ୍କୁ ସମର୍ଥନ କରିବାର ଘୋଷଣା ସବୁ ମହଲରେ ଏହା ଆଲୋଡ଼ନ ସୃଷ୍ଟି କରିଥିଲା । ଏପରିକି ବିଜେଡ଼ି ସୂତ୍ରରୁ ଜଣାପଡ଼ିଥିଲା ଯେ, ନବୀନଙ୍କୁ ମୋଦୀ ଓ ଶାହ ପୂର୍ବରୁ ବେଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ନେଇ ନବୀନଙ୍କୁ ଅନୁରୋଧ କରିଥିଲେ, କାରଣ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ବୈଷ୍ଣବ ମନ୍ତ୍ରୀ ହେବା ସମ୍ଭାବନା ରହିଛି । ରାଜନୈତିକ ବିଶାରଦଙ୍କ କହିବାନୁଯାୟୀ, ଓଡ଼ିଶାର ସ୍ୱାର୍ଥ ଓ ବିଜେଡ଼ିର ରାଜନୈତିକ ବାଧ୍ୟବାଧକତାକୁ ଦୃଷ୍ଟିରେ ରଖି ନବୀନ ମୋଦୀ ଓ ଶାହଙ୍କ କଥାକୁ ଟାଳିଦେବା ସହଜ ନଥିଲା । ପୂର୍ବରୁ ବିଜେଡ଼ି ଲୋକସଭା ବାଚସ୍ପତି ନିର୍ବାଚନରେ ବିଜେପି ପ୍ରାର୍ଥୀ ଓମ୍ ବିରଳାଙ୍କୁ ସମର୍ଥନ କରିଥିଲା ।

ରାଜ୍ୟସଭା ଉପ ନିର୍ବାଚନ ଲାଗି ବିଜେଡ଼ି ଦଳୀୟ ଆଇଟି ସେଲ୍ ଅଧ୍ୟକ୍ଷ ଡ଼ଃ ଅମର ପଟ୍ଟନାୟକ ଏବଂ ବିଜୁ ଜନତା ଦଳର ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି ।

ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ବିଜେଡ଼ି ସମର୍ଥନ କରିବା ପରେ ଓଡ଼ିଶାର କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ, ବିଜେପି ଓ ବିଜେଡ଼ି ମଧ୍ୟରେ ଏକ ଗୁପ୍ତ ବୁଝାମଣା ରହିଛି ।

ବିଜେପିର ରାଜ୍ୟସଭା ନିର୍ବାଚନ ଲାଗି ବୈଷ୍ଣବଙ୍କ ପ୍ରାର୍ଥୀ ହେବା ଏବଂ ତାଙ୍କର ପ୍ରାର୍ଥୀତ୍ୱକୁ ନେଇ ବିଜେଡ଼ି କ’ଣ ପାଇଁ ସମର୍ଥନ କରୁଛି ସେ ସମ୍ପର୍କରେ କିଛି ସମ୍ଭାବ୍ୟ କାରଣ ‘ଓଡ଼ିଶା ସମ୍ବାଦ’ରେ ପ୍ରକାଶିତ ପ୍ରକାଶିତ ହୋଇଥିଲା ।

୧ – ନବୀନଙ୍କୁ ମୋଦୀ ଓ ଶାହ ପୂର୍ବରୁ ବେଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ନେଇ ଅନୁରୋଧ କରିଥିଲେ, କାରଣ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ବୈଷ୍ଣବ ମନ୍ତ୍ରୀ ହେବା ସମ୍ଭାବନା ରହିଛି ।

୨ – ରାଜନୈତିକ ବିଶାରଦଙ୍କ କହିବାନୁଯାୟୀ, ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଓ ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ନବୀନ ମୋଦୀ ଓ ଶାହଙ୍କ କଥାକୁ ଟାଳିଦେବା ସହଜ ନଥିଲା । ଏପରିକି ପୂର୍ବରୁ ବିଜେଡ଼ି ଲୋକସଭା ବାଚସ୍ପତି ନିର୍ବାଚନରେ ବିଜେପି ପ୍ରାର୍ଥୀ ଓମ୍ ବିରଳାଙ୍କୁ ସମର୍ଥନ କରିଥିଲେ । ସାଂସଦ ଭତ୍ତୃହରି ମହତାବଙ୍କୁ ବିଜେଡ଼ି ପକ୍ଷରୁ ଉପ ବାଚସ୍ପତି ଭାବେ ପ୍ରାର୍ଥୀ କରିବା ନେଇ ମଧ୍ୟ ସେବେ ଆଲୋଚନା ପରିସରକୁ ଆସିଥିଲା ।

ଅଧିକ ପଢନ୍ତୁ: ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ: ବିଜେପି-ବିଜେଡି ମଧ୍ୟରେ ନୂଆ ସମ୍ପର୍କ!

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ବିଜେଡ଼ି ଓ ବିଜେପି ମଧ୍ୟରେ ୧୯୯୮ ରୁ ୨୦୦୯ ମଧ୍ୟରେ ରାଜନୈତିକ ମେଣ୍ଟ ରହିଥିଲା । ସେତେବେଳେ ଅଶ୍ୱିନୀ ବୈଷ୍ଣବ ଥିଲେ ଓଡ଼ିଶା କ୍ୟାଡ଼ରର ଜଣେ ଆଇଏଏସ ଅଧିକାରୀ । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପ ସଚିବ ଭାବେ କାର୍ଯ୍ୟ ଭାର ତୁଲାଇଛନ୍ତି । ତାହା ପୂର୍ବରୁ ଅଶ୍ୱିନୀ ବାଲେଶ୍ୱର ଓ କଟକରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ । ସେ ବାଜପେୟୀଙ୍କ ଅତି ନିକଟତମ ଥିଲେ ଏବଂ ୨୦୦୪ ନିର୍ବାଚନରେ ପରାଜୟ ପରେ ମଧ୍ୟ ସେ ବାଜପେୟୀଙ୍କ ସହ କାର୍ଯ୍ୟ କରିଥିଲେ ।

ଏହି ଦୁଇଦଳ ମଧ୍ୟରେ ଯେତେବେଳେ ମେଣ୍ଟ ରହିଥିଲା ସେହିସମୟରେ ବିଜେଡ଼ି-ବିଜେପି ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ବୈଷ୍ଣବଙ୍କର ବେଶ୍ ଗୁରୁତ୍ୱପୂର୍ଣ ଭୁମିକା ଥିଲା ।

Leave A Reply

Your email address will not be published.