Latest Odisha News

BREAKING NEWS

ସୋଆରେ ଉଦଯାପିତ ହେଲା ଜାତୀୟ ଏକତା ଶିବିର, ଯୋଗଦେଲେ ୨୧ଟି ବିଶ୍ୱବିଦ୍ୟାଳୟର ଏନଏସଏସ ସ୍ୱେଚ୍ଛାସେବୀ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଏବଂ ଏନଏସଏସର ଆଞ୍ଚଳିକ ନିର୍ଦ୍ଦେଶାଳୟ ପକ୍ଷରୁ ସପ୍ତାହ ବ୍ୟାପୀ ଆୟୋଜନ କରାଯାଇଥିବା ଜାତୀୟ ଏକତା ଶିବିରର ଉଦଯାପନୀ ହୋଇଯାଇଛି ।

ଏହି ଶିବିରରେ ଓଡ଼ିଶା ସମେତ ୧୦ଟି ରାଜ୍ୟର ୨୧ଟି ବିଶ୍ୱବିଦ୍ୟାଳୟର ୨୦୦ରୁ ଅଧିକ ଏନଏସଏସ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସ୍ୱେଚ୍ଛାସେବୀ ମାନଙ୍କୁ କହିଛନ୍ତି “ଅନେକ ଯୁବକ ନିଜକୁ ଅସାଧାରଣ କରି ଗଢି ତୋଳିବାର ଲକ୍ଷ୍ୟ ରଖିଥାନ୍ତି । ଯଦି ନିଜକୁ ସାଧାରଣ ଭାବେ ରହିବା ପାଇଁ ଇଚ୍ଛା ପ୍ରକାଶ କରିବ ତାହେଲେ ଏହା ଅସାଧାରଣ ବୋଲି କୁହାଯିବ । ସାଧାରଣ ପରି ରହିବା ଦ୍ୱାରା ହିଁ ଉଚ୍ଚତମ ଶିଖରକୁ ଉଠିପାରିବ । ପରିସ୍ଥିତି ଯାହା ବି ହେଉ ନା କାହିଁକି ଅନ୍ୟମାନଙ୍କୁ ଭଲ ପାଇବା ଏବଂ ଅନ୍ୟ ପାଇଁ ବଞ୍ଚିବା ଶିଖିବା ଉଚିତ୍” ।

ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ନାୟୁବିଶେଷଜ୍ଞ ତଥା ସୋଆର (ସ୍ୱାସ୍ଥ୍ୟ ନିର୍ଦ୍ଦେଶକ) ଡ. ଅଶୋକ ମହାପାତ୍ର ଓ ବିଶିଷ୍ଟ ସମାଜସେବୀ ଜଗଦାନନ୍ଦ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଏନଏସଏସର ଆଞ୍ଚଳିକ ନିର୍ଦ୍ଦେଶକ ଆର.ଗୋକୁଳକ୍ରିଷ୍ଣନ, ସୋଆ ଛାତ୍ରମଙ୍ଗଳ ଡିନ୍ ଡ. ଜ୍ୟୋତି ରଞ୍ଜନ ଦାସ ଏବଂ ସୋଆ ଏନଏସଏସ କାର୍ଯ୍ୟକ୍ରମ ସଂଯୋଜକ ଡ. ନଚିକେତା ଶର୍ମା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଜଗଦାନନ୍ଦ କହିଥିଲେ ଏନଏସଏସ ଶିବିରଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ସମାଜ ସହ ଯୋଡ଼ିବାରେ ସହାୟକ ହେବ । ଏହି ସାତ ଦିନ ଭିତରେ ସେମାନେ ବୁଝିପାରିବେ ଯେ ସେମାନେ ସମାଜ ପାଇଁ କିଭଳି କାର୍ଯ୍ୟ କରିବା ଉଚିତ୍ ।

ପ୍ରଫେସର ମହାପାତ୍ର ମଧ୍ୟ ସମାନ ଚିନ୍ତାଧାରାରେ ବକ୍ତବ୍ୟ ରଖି କହିଥିଲେ ଯେ ଆର୍ଥିକ ସ୍ଥିତି ବା ଏଥିରେ ଉନ୍ନତି କେବେ ବି ଭଲ ମଣିଷ ହେବାରେ ସହାୟକ ହୋଇ ନଥାଏ ।

ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଗୁଜୁରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର,ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଏନଏସଏସ ସ୍ୱେଚ୍ଛାସେବୀମାନେ ଏହି ଶିବିରରେ ଯୋଗ ଦେଇଥିଲେ ।

ସାତ ଦିନିଆ ଶିବିରରେ ସ୍ୱେଚ୍ଛାସେବୀ ମାନେ ଯୋଗାଭ୍ୟାସ କରିବା ସହ ମିଳିତ ଆଲୋଚନା, ଅନ୍ୟାନ୍ୟ କାର୍ଯ୍ୟକ୍ରମ ତଥା କୁଇଜ୍ ପ୍ରତିଯୋଗିତାରେ ଭାଗ ନେବା ସହ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କ ବକ୍ତବ୍ୟ ଛାତ୍ରଛାତ୍ରୀମାନେ ଶୁଣିଥିଲେ ।

ଏହି ଶିବିରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଆୟୋଜିତ ହୋଇଥିଲା ଏବଂ ଫାୟାର୍ ସେଫ୍ଟି ଡେମୋନଷ୍ଟ୍ରେସନ ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଅବସରରେ ଶନିବାର ଦିନ ଏନଏସଏସ ପକ୍ଷରୁ ଏକ ସ୍ୱତନ୍ତ୍ର ପୋଷ୍ଟାଲ୍ କଭର୍ ଉନ୍ମୋଚନ କରାଯାଇଥିଲା ।

Leave A Reply

Your email address will not be published.