Latest Odisha News

ପ୍ରେମ ପାଇଁ ଦିନ ଟିଏ: ପ୍ରେମ ଗଗନ ପରି ଅସୀମ ତ ଆଉ କେବେ ସାଗର ପରି ଗଭୀର

ଭୁବନେଶ୍ଵର: ପ୍ରେମ । ଶାଶ୍ୱତ, ଚିରନ୍ତନ,ନୈସର୍ଗିକ । ପ୍ରେମ ମାନେ’ନା ବାଧା ବିଘ୍ନ । ମାନେ’ନା ସୀମା ସରହଦ । ଜାତି ଧର୍ମ ବର୍ଣ୍ଣ ସବୁର ଉପରେ ଭଲ ପାଇବାର ପରିଭାଷା । ପ୍ରେମ ପାଇବାରେ ଥାଏ, ଥାଏବି ହରାଇବାରେ । ସାଥୀ ପାଇଁ କେବଳ ଉତ୍ସର୍ଗ ହିଁ ପ୍ରେମ । ସେଂଟ ଭାଲେଣ୍ଟାଇନଙ୍କୁ ମନେ ପକାଇବା ପାଇଁ ଆଜି ପରି ଦିନ ଟିଏ, ଭଲ ପାଇବାର ଦିନଟିଏ ।

ଆଜି ଭାଲେଂଟାଇନ୍ ଡେ । ପ୍ରେମ ପାଇଁ ଦିନଟିଏ । ପ୍ରେମର ଏହି ଦିନ ପାଳିବାକୁ ପ୍ରତିବର୍ଷ ଅପେକ୍ଷା କରିଥାନ୍ତି ପ୍ରେମୀଯୁଗଳ । ଭଲ ପାଉଥିବା ସାଥୀକୁ ଆପଣାର କରିବା ପାଇଁ ସମସ୍ତେ ବ୍ୟସ୍ତ । ଦୋକାନ ବଜାରରେ ବିକ୍ରି ଚାଲିଛି ଉପହାର ଆଉ ଗୋଲାପ ଫୁଲ । ସେପଟେ କିଛି ସାମାଜିକ ଅନୁଷ୍ଠାନ ଏହି ଦିବସକୁ ମାତୃପିତୃ ପୂଜନ ଦିବସ ଭାବେ ମଧ୍ୟ ପାଳନ କରୁଛନ୍ତି । ଆଉ ବଜରଙ୍ଗ ଦଳ ଏହାକୁ ପାଶ୍ଚାତ୍ୟ ସଭ୍ୟତାର ସଂସ୍କୃତି କହି ବିରୋଧ ପାଇଁ ସଜବାଜ ହେଉଛି । ଭଲ ପାଇବା ପାଇଁ, ପ୍ରେମର ପରିଭାଷା ପରିପ୍ରକାଶ ପାଇଁ ଗୋଟିଏ ଜୀବନ ବି କମ ପଡିଯାଏ । ଦିନ ଟିଏ ତ କିଛି ନୁହେଁ । ତଥାପି ହସଖୁସି ଭିତରେ ସାଥୀ ସହ ସମୟ ବିତେଇବା ପାଇଁ ଆଜି ଦିନର ପରିକଳ୍ପନା ।

ଯୁବପୀଢୀଙ୍କ ପାଇଁ ଭାଲେଣ୍ଟାଉନ ଡେ ବେଶ ଗୁରୁତ୍ବ ବହନ କରିଥାଏ । ୬ ଦିନର କସରତ ପରେ ଆଜିର ଦିନକୁ ମନ ଭରି ଉପଭୋଗ କରିବେ ଲଭ ବାର୍ଡ୍ସ । ସେ କଲେଜ ହେଉ ବା ପାର୍କ ଆଜି ସବୁ ସ୍ଥାନରେ ପ୍ରେମୀ ଯୁଗଳଙ୍କ ଭିଡ ଜମିବ । କିଏ ବିତିଯାଇଥିବା ଦିନର ମିଠାମିଠା ସ୍ମୃତିକୁ ମନେ ପକାଇବ ତ ଆଉ କିଏ ନୂଆନୂଆ ଆରମ୍ଭ ହୋଇଥିବା ସମ୍ପର୍କକୁ ମଜଭୁତ କରିବାକୁ ଚେଷ୍ଟା କରିବ । ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରେମୀ ଯୁଗଳ ବିଭିନ୍ନ ଆୟୋଜନ ମଧ୍ୟ କରିଥାନ୍ତି । କିଏ ଡେଟ୍‌ରେ ଯାଏତ ଆଉ କିଏ ଲଙ୍ଗ୍‌ ଡ୍ରାଇଭ୍‌ରେ, ପୁଣି କିଏ କ୍ୟାଣ୍ଡେଲ ଲାଇଟ ଡିନର କରିଥାଏ । ସେହିପରି ସକାଳୁସକାଳୁ ମନ୍ଦିରକୁ ଯାଇ ଭଙ୍ଗବାନଙ୍କ ନିକଟରେ ପ୍ରେମକୁ ଚିରସ୍ଥାଇ କରିବାକୁ ପ୍ରାର୍ଥନା କରିଛନ୍ତି ।

ସେପଟେ ସକାଳୁସକାଳୁ ଭାଲେଣ୍ଟାଇନ ଡେ’ରେ ପାର୍କ ଓ ଦୋକାନରେ ଯୁବପୀଢୀଙ୍କ ଭିଡ ଜମିବା ଆରମ୍ଭ ହୋଇଯାଇଛି । ଗୋଲାପର ବୁକେ ସାଙ୍ଗକୁ ଚକୋଲେଟ କିଣୁଛନ୍ତି ପ୍ରେମୀ ଯୁଗଳ । ଆଜି ମନର ମଣିଷକୁ ମନ ପସନ୍ଦର ଉପହାର ମଧ୍ୟ ଦେବେ ପ୍ରେମ ପକ୍ଷୀ । ପ୍ରେମର ମିଠାମିଠା ଭାବନାରେ ପ୍ରେମ ପକ୍ଷୀଙ୍କ ଆଖିରେ ଆଜି ରଙ୍ଗୀନ ଦିଶୁଛି ଆକାଶ । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆଜି ବହୁଛି ପ୍ରେମର ପବନ । ଭବିଷ୍ୟତକୁ ନେଇ ସୁନେଲି ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି ପ୍ରେମପକ୍ଷୀ । ସ୍ନେହ ପ୍ରେମ ଓ ବିଶ୍ବାସରେ ଗଢା ଏ ସମ୍ପର୍କ ଅତୁଟ ରହିଥାଏ ।

Comments are closed.