ଭୁବନେଶ୍ୱର: ଭାଲେଣ୍ଟାଇନ୍ ଡେ’ରେ ରାତି ତମାମ ଖୋଲାଥିଲା ବାର। ମତୁଆଲା ହେଉଥିଲେ ଯୁବକ-ଯୁବତୀ। ରାତି ଯେତିକି ବଢୁଥିଲା ନିୟମ ସେତିକି ଭାଙ୍ଗୁଥିଲା। ଖବର ପାଇ ଯେତେବେଳେ ଅବକାରୀ ବିଭାଗ ରେଡ୍ କରିଥିଲା, ସେତେବେଳେ ଗରମ ଦେଖାଇଥିଲେ ବାର୍ କର୍ତ୍ତୃପକ୍ଷ।
ଭୁବନେଶ୍ବର ଖାରବେଳ ନଗର ଅଞ୍ଚଳରେ ରାତି ତମାମ୍ ବାର୍ ଖୋଲିବା ଘଟଣାକୁ ନେଇ ତତ୍ପରତା ଦେଖାଇଛି ଅବକାରୀ ବିଭାଗ। ରାଜଧାନୀର ବିଭିନ୍ନ ପବ୍ ଓ ବାର୍ରେ ଚଢ଼ାଉ କରିଛି ଅବକାରୀ ବିଭାଗ। ରେଡ୍ ବେଳେ ହରଡଘଣାରେ ପଡ଼ିଲେ ଅବକାରୀ ବିଭାଗ। ଚଢ଼ାଉ ବେଳେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ ହୋଇଛି। ବାର୍ ମ୍ୟାନେଜରଙ୍କ ସହ ଅବକାରୀ ଅଧିକାରୀଙ୍କର ଧସ୍ତାଧସ୍ତି ହୋଇଛି। ଅଧିକ ଫୋର୍ସ ଓ ପୋଲିସ ସହାୟତାରେ ମ୍ୟାନେଜରଙ୍କୁ କାବୁ କଲେ ଅବକାରୀ ଅଧିକାରୀ।
ସୂଚନାଯୋଗ୍ୟ ଯେ, ଶନିବାର ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ଚାଲିଥିଲା ବାର୍। ଗତ ଶୁକ୍ରବାର ଭୋର୍ ୪ଟା ପର୍ଯ୍ୟନ୍ତ ବାର୍ ଚାଲିଥିବା ଅଭିଯୋଗ ହୋଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବାର୍ ସିଲ୍ କଲା ଅବକାରୀ ବିଭାଗ। ଘଟଣାକୁ ନେଇ ଖାରବେଳ ନଗର ଥାନାରେ ଅଭିଯୋଗ କଲେ ଅବକାରୀ ଅଧିକାରୀ। ଅଭିଯୋଗ ଆଧାରରେ ବାର୍ ମ୍ୟାନେଜର ଗିରଫ। ସିସିଟିଭି ଯାଞ୍ଚ କରାଯାଉଛି।
Comments are closed.